ଭୁବନେଶ୍ବର: ପରେଡରେକମ୍ପୁଛି ଗାନ୍ଧି ମାର୍ଗ । ରାଜ୍ୟସ୍ତରୀୟ ସାଧାରତନ୍ତ୍ର ଦିବସ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ସଜେଇ ହେଉଛି ରାଜଧାନୀ ଭୁବନେଶ୍ବରର ମହାତ୍ମା ଗାନ୍ଧି ମାର୍ଗ । ଓଡିଶା ପୋଲିସ ଓ ପ୍ରଶାସନର ଦ୍ୱାରା ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହ ପାଇଁ ସରିଛି ଫୁଲଡ୍ରେସ ରିହର୍ସାଲ । ଏଥର ଶୁଭିବ ଢେମସା ବାଦ୍ୟ ଦେଖିବାକୁ ମିଳିବ ଶିବ ତାଣ୍ଡବ ଏବଂ ଓଡ଼ିଶା-ଝାଡ଼ଖଣ୍ଡ ପୋଲିସର ଚିତ୍ତାକର୍ଷକ ପରେଡ୍ । ସେପଟେ ଗୋଟିଏ ଦିନ ପୂର୍ବରୁ ପୋଲିସ ଡିଜି ୱା.ବି ଖୁରାନିଆ ପହଞ୍ଚି ପରେଡ ରିହଲସଲ ଓ ଆୟୋଜନର ତଦାରଖ କରିଛନ୍ତି ।
ଏପରି କହିଲେ ଭୁବନେଶ୍ୱର ଡିସିପି :
ଏନେଇ ଭୁବନେଶ୍ୱର ଡିସିପି ପିନାକ ମିଶ୍ର କହିଛନ୍ତି,"ରାଜ୍ଯସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ବନ୍ଦୋବସ୍ତ କରାଯାଉଛି । ଏନେଇ ପୋଲିସ ଡିଜିପି ଏହାର ତଦାରଖ କରିଛନ୍ତି । ବିଶେଷ କରି କିପରି ପରେଡ ଚିତ୍ତାକର୍ଷକ ହେବ ସେନେଇ ବିଭିନ୍ନ ଦିଗକୁ ନେଇ ମଧ୍ୟ ନିଜର ମତାମତ ରଖିଛନ୍ତି । ଏହା ସହିତ ଯେହେତୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ, ସେନେଇ ରାଜ୍ୟପାଳ ମଧ୍ୟ ଯୋଗଦେବାର କାର୍ଯକ୍ରମ ରହିଛି । ଭିଭିଆଇପିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ସୁପରିଚାଳନା ବ୍ୟବସ୍ଥା କରାଯାଇଛି । ଏହା ସହ ସନ୍ଦିଗ୍ଧ ଗତିବିଧି ଉପରେ ମଧ୍ୟ କଡ଼ା ନଜର ସହ ବାରମ୍ବାର ସେହଦିଗରେ ମଧ୍ୟ ତର୍ଜମା କରାଯାଉଛି ।"
ଏଥର ଅତିଥି ଝାଡ଼ଖଣ୍ଡ ପୋଲିସ:
ଚଳିତ ବର୍ଷ ପରେଡରେ 43ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ । ସବୁ ବର୍ଷ ପରି ପଡୋଶୀ ରାଜ୍ୟର ଝାଡଖଣ୍ଡ ପୋଲିସ ଅତିଥି ଭାବେ ପରେଡରେ ସାମିଲ ହେବ । ସମନ୍ୱୟ ରକ୍ଷା ପାଇଁ ସବୁ ବର୍ଷ ପଡୋଶୀ ରାଜ୍ୟ ପୋଲିସ ଅଂଶଗ୍ରହଣ କରିଥାନ୍ତି । ସେହିପରି କେନ୍ଦ୍ରୀୟ ଫୋର୍ସ 120 ବାଟାଲିୟନ, ବିଏସଏଫ, ଆଇଟିବିପି, ସିଆରପିଏଫ, ସିଆରପିଏଫ ବ୍ୟାଣ୍ଡ, ସହ ରାଜ୍ୟର ଭୁବନେଶ୍ୱର ଏସଏସବିଏନ, ଏସଓଜି ଚନ୍ଦକା, ଓଆଇଏସଫ,ଆମର୍ଡ ପୋଲିସ, କମିଶନରେଟ ଟ୍ରାଫିକ ପୋଲିସ, କଟକ ଓଏସଏପି , ଓଡ୍ରାଫ, ଓଆଇଏସଫ, ଫାୟାର, ହୋମଗାର୍ଡ, ଅନେକ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ମହର୍ଷି ଡେୟାର ଡେଭିଲସର ସ୍ବତନ୍ତ୍ର ଟିମ ମଧ୍ୟ ଭାଗନେବେ ।
ଜମିବ ଢେମସା ସହ ଶିବ ତାଣ୍ଡବ :
ସେହିପରି ବିଭିନ୍ନ ବିଭାଗର ୧୨ଟ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ହେବା ସହ ବିଭିନ୍ନ ଜିଲ୍ଲାରୁ ଚୟନ ହୋଇଥିବା ନୃତ୍ୟ ପ୍ରଦର୍ଶନ ହେବ । ଆକର୍ଷଣସାଜିବ ଓଡିଶା ସେକଟିଂ ଏକାଡେମୀ ଦେଶାତ୍ମକ ସଙ୍ଗୀତରେ କୁନିକୁନି ପିଲାଙ୍କ ନୃତ୍ୟ, ଆରୀୟନ ରୋୟାଲ ସ୍ପୋର୍ଟସ ଏକାଡେ଼ମୀ ଛାତ୍ରଛାତ୍ରୀଙ୍କ ଶିବ ତାଣ୍ଡବ ନାଚ , ରାୟଗଡାର ଢେମସା ସହ କେନ୍ଦୁଝରର ଆଦିବାସୀ ନୃତ୍ୟ ଏବଂ ଘୋଡ଼ନାଚ ମଧ୍ୟ ପ୍ରଦର୍ଶନ ହେବ ।
ଏଥର ପରେଡ କମାଣ୍ଡର ଯୁବ IPS:
ଚଳିତବର୍ଷ ପରେଡ଼ର ନେତୃତ୍ୱ ନେବେ ଯୁବ IPS ଭୋସଲେ ଶୁଭମ ସଞ୍ଜୟ । ଏହି ଯୁବ ଆଇପିଏସଙ୍କ କମାଣ୍ଡରେ ପରିଚାଳିତ ହେବ ପରେଡ । ସମ୍ବଲପୁର ଅତିରିକ୍ତ ଏସପି ଭାବେ ଏବେ ଟ୍ରେନିଂରେ ଅଛନ୍ତି ।ସକାଳ 8ଟା 27 ମିନିଟ ସମୟରେ ରାଜ୍ୟପାଳ ପରେଡ ସ୍ଥଳରେ ପହଞ୍ଚିବେ । ପରେ ପତାକା ଉତ୍ତୋଳନ କରିବେ । ପରେ ଗୋଟିଏ ପରେ ଗୋଟିଏ ପରେଡ କମାଣ୍ଡରଙ୍କ କମାଣ୍ଡରେ ପରେଡ ପରିବେଷଣ ସହ ବିଭିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ।