ଓଡିଶା

odisha

By ETV Bharat Odisha Team

Published : Feb 8, 2024, 12:49 PM IST

ETV Bharat / state

ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ, ୬ରୁ ୮ ମାସରେ ସରିବ ଟେଣ୍ଡର କାର୍ଯ୍ୟ

Bhubaneswar Metro Rail Project: ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପର୍କରେ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକ ଅନୁଷ୍ଠିତ । ୬ରୁ ୮ ମାସରେ ସରିବ ଟେଣ୍ଡର କାର୍ଯ୍ୟ । ଅଧିକ ପଢନ୍ତୁ

ମେଟ୍ରୋ ରେଳ ପ୍ରକଳ୍ପ
Bhubaneswar Metro Rail

ଭୁବନେଶ୍ୱର:ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସମ୍ପର୍କରେ ବୁଧବାର ଲୋକସେବା ଭବନ ବସିଥିଲା ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକ । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ବୈଠକର ଅଧ୍ୟକ୍ଷତା କରିଥିଲେ । ମେଟ୍ରୋ ରେଳ ପ୍ରକଳ୍ପ ଲାଗି ପାଣ୍ଠି ବ୍ୟବସ୍ଥା, ବୈଷୟିକ ନିର୍ଦ୍ଧିଷ୍ଟତା, ବିଭିନ୍ନ ସ୍ଥାନରେ ଷ୍ଟେସନ ଯୋଜନା, ପ୍ଲାଟପର୍ମ ବ୍ୟବସ୍ଥା ଆଦି ସଂପର୍କରେ ଆଲୋଚନା କରାଯାଇଥିଲା । ଆଗାମୀ ୬ ରୁ ୮ ମାସ ମଧ୍ୟରେ ପ୍ରକଳ୍ପ ଅନୁସାରେ ଭୂମି ଯୋଜନା ଓ ଗଠନ ବ୍ୟବସ୍ଥା, ସିଭିଲ କାମ, ବିଭିନ୍ନ ଉପଯୋଗିତା ସ୍ଥାନାନ୍ତର ଆଦି ସଂପର୍କରେ ଟେଣ୍ଡର କାର୍ଯ୍ୟ ସରିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ୨୦୨୪ ଜାନୁଆରୀ ପହିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଆଗାମୀ ଡିସେମ୍ବର ୨୦୨୭ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପାଇଁ ଲକ୍ଷ୍ୟ ରହିଛି ।



ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ଗଡିବ । ମେଟ୍ରୋ ରେଳ ନିର୍ମାଣ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମ ବା ଡିଏମଆରସ ଟର୍ଣ୍ଣ-କି ପରାମର୍ଶଦାତା ଭାବରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବ । ଏଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ସହ ଚୁକ୍ତି ସ୍ୱାକ୍ଷର କରିଛି । ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରକଳ୍ପ ତଦାରଖ କମିଟି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥିଭାଥାନନ୍, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ବାଣିଜ୍ୟ ଓ ପରିବହନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ମନୋଜ କୁମାର ମିଶ୍ରଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ କଲେ ନବୀନ

ଏହି ବୈଠକ ପୂର୍ବରୁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନ ନିର୍ଦ୍ଦେଶକ ମଣ୍ଡଳୀ ପରିଷଦର ୨ୟ ବୈଠକ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟର ସ୍ଥିତି ସଂପର୍କରେ ବୈଠକରେ ଉପସ୍ଥାପନ କରାଯାଇଥିଲା । ଏହା ସହିତ ବୋର୍ଡର କାର୍ଯ୍ୟ ପରିଚାଳନା ସମ୍ପର୍କିତ ବିଭିନ୍ନ ଆଲୋଚନା ହୋଇଥିଲା । ବୈଠକରେ ପରିଷଦର ସଭ୍ୟ ଓ ସଭ୍ୟାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details