ନିମାପଡ଼ା: ପୁରୀ ଜିଲ୍ଲା ପିପିଲି ବ୍ଲକରେ ବିପଦ ମୁଁହା ହେଉଛନ୍ତି ପଶୁ । ପିପିଲି ବ୍ଲକର 25 ପଞ୍ଚାୟତରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ନିର୍ମାଣ କରିଛନ୍ତି 22ଟି ପ୍ରାଣୀ ସ୍ବାସ୍ଥ୍ୟକେନ୍ଦ୍ର । ହେଲେ ଦୀର୍ଘ 3 ବର୍ଷରୁ ଅଧିକ ସମୟ ହେବ ପଶୁ ଡାକ୍ତରଙ୍କ ଅଭାବ ହେତୁ ବର୍ଷ ବର୍ଷ ଧରି ଚିକିତ୍ସାଳୟରେ ତାଲା ଝୁଲୁଛି । ଫଳରେ କେଉଁଠି ସ୍ବାସ୍ଥ୍ୟକେନ୍ଦ୍ର ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଲାଣି ତ ଆଉ କେଉଁଠି ଉପକରଣ ଖତ ଖାଉଛି ।
ପିପିଲି ବ୍ଲକର ଚନ୍ଦ୍ରାଦେଇପୁର, ଜସୁଆପୁର, ନୂଆହାଟ, ମକୁନ୍ଦପୁର, ମଙ୍ଗଳପୁର, ହାଟସାହି, ସହଜପୁର, ତେଇସିପୁର ଭଳି ଅନେକ ପଞ୍ଚାୟତରେ ସମୁଦାୟ 22ଟି ସେଣ୍ଟର ମଧ୍ୟରୁ 17ଟି କେନ୍ଦ୍ରରେ ବର୍ଷ ବର୍ଷ ଧରି ତାଲା ଝୁଲୁଛି । ବ୍ଲକରେ 22 ଜଣ ପ୍ରାଣୀ ଚିକିତ୍ସା ନିରୀକ୍ଷକ ନିୟୋଜିତ ହେବା କଥା, ହେଲେ ମୁଖ୍ୟ ଚିକିତ୍ସା ଅଧିକାରୀ ଆଲୋକ ମିଶ୍ରଙ୍କ ସମେତ ମାତ୍ର 7 ଜଣ ପଶୁ ଡାକ୍ତର ହିଁ ପୁରା ପିପିଲିର ଗୋରୁ, ଗାଈ, ଛେଳି, ମେଣ୍ଢା, ମଇଁଷି, କୁକୁର ଏବଂ ବିଲେଇଙ୍କୁ ଚିକିତ୍ସା ଯୋଗାଇ ଦେଉଛନ୍ତି । ଯାହା ସମ୍ଭବ ହେଉନାହିଁ । ପିପିଲି ବ୍ଲକ ମୁଖ୍ୟ ପ୍ରାଣୀ ଚିକିତ୍ସକଙ୍କ କାନ୍ଧରେ ଏବେ 30 ହଜାରରୁ ଊର୍ଦ୍ଧ୍ବ ଗାଈ ଗୋରୁ, 20 ହଜାରରୁ ଊର୍ଦ୍ଧ୍ବ ଛେଳି ମେଣ୍ଢା, 3 ଶହରୁ ଊର୍ଦ୍ଧ୍ବ ମଇଁଷି, 4 ଶହରୁ ଊର୍ଦ୍ଧ୍ବ ଘୁଷୁରୀ ସମେତ ହଜାର ହଜାର ସଂଖ୍ୟାରେ ରାସ୍ତା ଘାଟରେ ବୁଲୁଥିବା ବୁଲା କୁକୁର, ବିରାଡ଼ିଙ୍କ ଦାୟିତ୍ବ ରହିଛି ।