ଭଦ୍ରକ: ପୁଣି ଦେଖିବାକୁ ମିଳିଛି ସାରଥୀଙ୍କ ସତସଙ୍ଗ । ସାରଥିଙ୍କ ଶ୍ରୀଚରଣ ପାଦୁକା ସତସଙ୍ଗ କରି ଭକ୍ତମାନେ ଭଜନ କୀର୍ତ୍ତନ କରିଛନ୍ତି । କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମ ପରି ଭଦ୍ରକର ଅଚକରେ ସାରଥି ଭକ୍ତଙ୍କ ସମାଗମକୁ ନେଇ ଚର୍ଚ୍ଚା ଜୋର ଧରିଛି । ସବୁଠୁ ବଡ କଥା ହେଉଛି, ଏହି କାର୍ଯ୍ୟକ୍ରମରେ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ ସଂଖ୍ୟା ଅଧିକ ଥିବା ଦେଖିବାକୁ ମିଳିଛି । ସଭିଏଁ ସାରଥି ପ୍ରେମରେ ମସଗୁଲ ଆଉ ଭକ୍ତି ଭାବରେ ବିଭୋର ହୋଇ ସାରଥିଙ୍କୁ ସ୍ୱୟଂ ଭଗବାନ ବୋଲି କହୁଛନ୍ତି ଭକ୍ତ । ସେମାନଙ୍କ ମତରେ ସାରଥି ଅନୁଭବର ଠାକୁର । "ତାଙ୍କୁ କେହି କଳ୍ପନା ହିଁ କରିପାରନ୍ତି ନାହିଁ । ସୁଖ ଦୁଃଖର ସାଥି, ଶୟନେ ଶପନେ ଜାଗରଣେ ପାଖରେ ଅଛନ୍ତି" ବୋଲି ପ୍ରତିକ୍ରିୟା ରଖିଛନ୍ତି ଭକ୍ତ ।
ଯେଉଁ ପାଦୁକାରେ ଶଙ୍ଖ, ଚକ୍ର, ଗଦା ଏବଂ ପଦ୍ମର ଆୟୁଧ ରହିଛି । ସେ ଆୟୁଧକୁ ଦର୍ଶନ କଲେ ସବୁ କାମ ହେଇଯିବ ବୋଲି ମଧ୍ୟ କହୁଛନ୍ତି ସାରଥି ଭକ୍ତ । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଚକ ସ୍ଥିତ ନନ୍ଦପୁର ଠାରେ ସତସଙ୍ଗରେ ଭକ୍ତ ମାନେ ଏପରି ମତପ୍ରକାଶ କରିଛନ୍ତି । କିଛି ବର୍ଷ ତଳେ ନିଜର କେଳେଙ୍କାରୀ ଯୋଗୁଁ ତଥାକଥିତ ସାରଥି ବାବା ଜେଲ ଯାଇଥିଲେ । ଦୀର୍ଘ ଦିନର ନ୍ୟାୟିକ ସଂଘର୍ଷ କରି ଶେଷରେ ସର୍ତ୍ତମୂଳକ ଜାମିନରେ ମୁକୁଳିଥିଲେ । ହେଲେ ତାଙ୍କର ଭକ୍ତମାନଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ସମସ୍ତଙ୍କୁ ଚକିତ କରିଛି । ଅଚକରେ ଆୟୋଜିତ କାର୍ଯ୍ୟକ୍ରମ ପ୍ରାୟ 4 ଘଣ୍ଟା କାଳ ଚାଲିଥିଲା । ଯାହା ଏକ ପ୍ରକାର ଉତ୍ସବ ପରି ମନେ ହେଉଥିଲା । ରାସ୍ତାରେ ଯାଉଥିବା ଲୋକେ ଘଡିଏ ଚାହିଁ ରହୁଥିଲେ । ତେବେ ପ୍ରଶାସନ କେଉଁ ପରିସ୍ଥିତିରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଅନୁମତି ଦେଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।