ଓଡିଶା

odisha

ETV Bharat / state

ଜଗା ଜମି କିଣା ବିକା ମାମଲା: ଟିକିନିକ୍ ହିସାବ ମାଗିଲେ ହାଇକୋର୍ଟ - ଜଗନ୍ନାଥ ମନ୍ଦିର ଆଇନ ସଂଶୋଧନ

Sri Jagannath Temple Bill 2022 Issue: ହାଇକୋର୍ଟରେ ଜଗନ୍ନାଥ ମନ୍ଦିର ଆଇନ ସଂଶୋଧନ ପ୍ରସଙ୍ଗ । କେତେ ଜମି ବିକ୍ରି ହୋଇଛି ତଥ୍ୟ ମାଗିଲେ ହାଇକୋର୍ଟ । ଅଧିକ ପଢନ୍ତୁ

Sri Jagannath temple bill
Sri Jagannath temple bill

By ETV Bharat Odisha Team

Published : Jan 25, 2024, 11:27 AM IST

Updated : Jan 25, 2024, 12:31 PM IST

କଟକ: ଜମି କିଣାବିକା ପାଇଁ ଶ୍ରୀମନ୍ଦିର କମିଟିକୁ ଅଧିକାର ପ୍ରସଙ୍ଗ । ସଂଶୋଧିତ ଆଇନ ବଳରେ କେତେ ଜମି ବିକ୍ରି ହୋଇଛି ସେନେଇ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ସତ୍ୟପାଠ ମାଧ୍ୟମରେ ଏହି ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି । ତେବେ ଏହି ତଥ୍ୟ ଦଖଲ ପାଇଁ ରାଜ୍ୟ ସରକାର ସମୟ ମାଗିଛନ୍ତି । ୨ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ ହୋଇଛି । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଶ୍ରୀଜିଉଙ୍କ ସମ୍ପତ୍ତି ପରିଚଳାନା ପ୍ରସଙ୍ଗରେ ଅଧିକ କ୍ଷମତା ପ୍ରଦାନ ପାଇଁ ଆଇନରେ କରାଯାଇଥିବା ସଂଶୋଧନକୁ ଚାଲେଞ୍ଜ କରି ଏହି ମାମଲା ଦାୟର କରାଯାଇଛି ।

ଏହି ସମ୍ପର୍କିତ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିବା ସହ ସମସ୍ତ ପକ୍ଷଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିଥିଲେ । ମାମଲାରେ ରାଜ୍ୟ ସରକାର, ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ, ଉପପ୍ରଶାସକ, ପରିଚାଳନା କମିଟି, ଦେବୋତ୍ତର କମିସନ ଓ ଅନ୍ୟମାନଙ୍କୁ ନୋଟିସ୍ ଜାରି କରି ଚାରି ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ଆଇନ, ୧୯୫୪ର ଧାରା ୧୬(୨) ଆଧାରରେ ଗ୍ରହଣ କରାଯାଉଥିବା ପଦକ୍ଷେପ ଭବିଷ୍ୟତ ମାମଲାର ଚୂଡାନ୍ତ ରାୟ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଏପ୍ରିଲ ୩୦ ସୁଦ୍ଧା ସରିବ ଜଗମୋହନ-ନାଟ୍ୟମଣ୍ଡପ ମରାମତି କାମ, କୋର୍ଟଙ୍କୁ ଅବଗତ କଲେ ଆମିକସକ୍ୟୁରୀ

ଆଇନରେ ସଂଶୋଧନ ପରେ ନୂଆ ଧାରା ୧୬(୨) ଅନୁସାରେ କରାଯାଇଥିବା ସମସ୍ତ କାରବାରର ସବିଶେଷ ବିବରଣୀ ଜବାବରେ ପ୍ରତିପକ୍ଷ ଉଲ୍ଲେଖ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପ୍ରତିପକ୍ଷଙ୍କ ପକ୍ଷରୁ ଦାଖଲ କରାଯିବାକୁ ଥିବା ଜବାବ ଉପରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

କ'ଣ ଏହି ମାମଲା:

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ନିକଟରେ ରାଜ୍ୟ ସରକାର ସଂଶୋଧନ କରିଥିଲେ । ଏହି ସଂଶୋଧନକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଥିଲା । ସଂଶୋଧନ ନେଇ ୨୦୨୨, ଜାନୁଆରି ୯ରେ ଅଧ୍ୟାଦେଶ ଜାରି କରାଯାଇଥିଲା । ବିଶେଷକରି ପୂର୍ବରୁ ଥିବା ଆଇନ ଅନୁସାରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥଙ୍କ ନାମରେ ରହିଥିବା କୋଣସି ଅସ୍ଥାବର ସମ୍ପତ୍ତି ଦଖଲକୁ ନେଇଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ବିନା ଏହାକୁ ବିକ୍ରି କରିପାରିବ ନାହିଁ, କିମ୍ବା କାହାକୁ ଲିଜ୍ ସୂତ୍ରରେ ଦେଇପାରିବ ନାହିଁ । ସେହିପରି କୌଣସି ପରିସ୍ଥିତିରେ ସରକାରଙ୍କ ବିନା ଅନୁମତିରେ ମନ୍ଦିର ପରିଚାଳନା କମିଟି ଶ୍ରୀଜଗନ୍ନାଥଙ୍କ ଜମିକୁ ବନ୍ଧକ ରଖିପାରିବେ ନାହିଁ ବୋଲି ଆଇନରେ ବ୍ୟବସ୍ଥା ଥିଲା ।

ଶ୍ରୀଜଗନ୍ନାଥ ମନ୍ଦିର ଆଇନରେ ଥିବା ଏଭଳି ବ୍ୟବସ୍ଥାରେ ସରକାର ସଂଶୋଧନ ଆଣି ଧାରା ୧୬(୨) ଯୋଡି ଥିଲେ । ଆଇନରେ ସଂଶୋଧନ ଅଣାଯିବା ଦ୍ୱାରା ସମସ୍ତ କ୍ଷମତା ମନ୍ଦିର ପରିଚାଳନା କମିଟି ହାତକୁ ଯାଇଥିଲା । ଶ୍ରୀଜଗନ୍ନାଥଙ୍କ ଅସ୍ଥାବର ସମ୍ପତ୍ତି ବିକ୍ରି ବା ଲିଜରେ ଦେବା ପାଇଁ ପରିଚାଳନା କମିଟିକୁ ଆଉ ରାଜ୍ୟ ସରକାରଙ୍କ ପୂର୍ବ ଅନୁମତି ଆବଶ୍ୟକ ନାହିଁ । ଆଇନରେ ସଂଶୋଧନ ଆଣି ସରକାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ଏପରି କ୍ଷମତା ପ୍ରଦାନ କରିବା ଦ୍ବାରା ମହାପ୍ରଭୁଙ୍କ ସମ୍ପତ୍ତି ପ୍ରତି ବିପଦ ଦେଖାଦେଇଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି । ଏପରି କ୍ଷମତାର ଅପବ୍ୟବହାର ହେବାର ସମ୍ଭାବନା ରହିଛି । ଏବେ ୩୫ ହଜାର ଏକର ଜମି ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡଭୁକ୍ତ ହୋଇ ରହିଥିବା ବେଳେ ଆଉ ୨୫ ହଜାର ଏକର ଜମି ରେକର୍ଡଭୁକ୍ତ ହୋଇପାରି ନାହିଁ । ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତିର ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇନରେ କରାଯାଇଥିବା ଜାନୁଆରୀ ୯ର ସଂଶୋଧନକୁ ରଦ୍ଦ କରାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 25, 2024, 12:31 PM IST

ABOUT THE AUTHOR

...view details