ପୁରୀ:ଆଜି (ସୋମବାର) ପବିତ୍ର ଦୋଳପୂର୍ଣ୍ଣିମା । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସହ ଫଗୁ ଓ ଅବିର ଖେଳିଛନ୍ତି ମହାପ୍ରଭୁ । ଦୋଳପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀକ୍ଷେତ୍ର । ଦୋଳବେଦୀରେ ଦୋଳଠାକୁର, ଦୋଳଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀଙ୍କ ସମସ୍ତ ରୀତି, ନୀତି ସମ୍ପନ୍ନ ହୋଇଛି । ସେପଟେ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ରାଜାଧିରାଜ ବେଶ ତଥା ସୁନାବେଶ ପାଇଁ ଅଗଣିତ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।
ଏହା ବି ପଢନ୍ତୁ- ଧୁମଧାମରେ ଦୋଳ ଉତ୍ସବ ପାଳିତ: ଏକାଠି ହେଲେ ୫୧ ବିମାନ, ଅଗ୍ନି ହାଣ୍ଡୁଳାର ପୂର୍ଣ୍ଣାହୂତି
ଶ୍ରୀମନ୍ଦିରର ନୀତି ନିର୍ଘଣ୍ଟ ଅନୁଯାୟୀ ଦ୍ବାରଫିଟା, ମଙ୍ଗଳଆଳତୀ, ମଇଲମ ଓ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବାପରେ ନାଭିକଟା ମଣ୍ତପକୁ ଦିଅଁ ବିଜେ କରିଥିଲେ । ମହାପ୍ରଭୁଙ୍କ ରାଜାଧିରାଜ ବେଶ ତଥା ସୁନାବେଶ ଏବଂ ନାଭିକଟା ମଣ୍ତପ ନୀତି ସମ୍ପନ୍ନ ପରେ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ବିମାନକୁ ବିଜେ କରିଥିଲେ । ଘଣ୍ଟ, ଛତା, କାହାଳୀ ସହ ଭକ୍ତଙ୍କ ହରିବୋଲ, ହୁଳହୁଳି, ଧ୍ବନି ଏବଂ ରଙ୍ଗବେରଙ୍ଗର ଫଗୁ ମଧ୍ୟରେ ବଡଦାଣ୍ତ ଦେଇ ଠାକୁର ଦୋଳବେଦୀରେ ପହଞ୍ଚିଥିଲେ । ଦୋଳବେଦୀର ଚାରି ପାର୍ଶ୍ବ ଓ ଦୋଳ ବେଦୀରେ ଠାକୁରଙ୍କ ବିମାନ ୭ ଘେରା ପରିକ୍ରମା କରିବା ପରେ ଠାକୁର ଦୋଳବେଦୀରେ ବିରାଜିତ ହୋଇଥିଲେ । ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ବିମାନ ଆଗରେ ଏବଂ ପରିକ୍ରମା ସମୟରେ ଫଗୁ ଛିଞ୍ଚି ଛିଞ୍ଚି ଆତ୍ମବିଭୋର ହୋଇ ପଡ଼ିଥିଲେ ।