ଓଡିଶା

odisha

ETV Bharat / state

କଳାଭୂମିରେ ୪ ଘଣ୍ଟା ବିତାଇଲେ ସିଙ୍ଗାପୁର ରାଷ୍ଟ୍ରପତି, ଓଡ଼ିଶା କଳାକୃତି ଦେଖି ଅଭିଭୂତ - SINGAPORE PRESIDENT ODISHA VISIT

ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଶଂସା କଲେ ସିଙ୍ଗାପୁର ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ପତ୍ନୀ କିଣିଲେ ଶାଢୀ । UPIରେ କଲେ ପେମେଣ୍ଟ ।

Singapore President Visits Kalabhumi
Singapore President Visits Kalabhumi (ETV Bharat Odisha)

By ETV Bharat Odisha Team

Published : Jan 18, 2025, 7:15 AM IST

ଭୁବନେଶ୍ବର:ଗତକାଲି(ଶୁକ୍ରବାର) କଳାଭୂମି ପରିଦର୍ଶନ କରିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶନ୍ମୁଗରତ୍ନମ୍ । ସିଙ୍ଗାପୁର ରାଷ୍ଟ୍ରପତି କଳାଭୂମିରେ ୪ ଘଣ୍ଟା ସମୟ ବିତାଇଥିଲେ । ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ଓଡ଼ିଶାର ଖାଦ୍ୟ ଓ ହସ୍ତଶିଳ୍ପକୁ ମଧ୍ଯ ପ୍ରଶଂସା କରିଛନ୍ତି । ଏଥିସହ ରାଷ୍ଟ୍ରପତିଙ୍କ ପତ୍ନୀ କଳା ଭୂମିରେ ଶାଢୀ କିଣି UPIରେ ମୂଲ୍ୟ ପ୍ରଦାନ କରିଛନ୍ତି ।

ଓଡ଼ିଶା କଳାକୃତି ଦେଖି ଅଭିଭୂତ:

କଳାଭୂମି ପରିଦର୍ଶନ କରିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି (ETV Bharat Odisha)
ପୋଖରୀପୁଟ ଶିଳ୍ପୀବିହାରରେ ଥିବା ରାଜ୍ୟ ହସ୍ତଶିଳ୍ପ ସଂଗ୍ରହାଳୟ କଳାଭୂମି ପରିଦର୍ଶନ କରିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ୍ ଶନ୍ମୁଗରତ୍ନମ୍ । କଳାଭୂମିରେ ସେ ଦୀର୍ଘ ୪ ଘଣ୍ଟା ସମୟ ବିତାଇ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପର ଉଚ୍ଚ ପ୍ରଶଂସା କରିଛନ୍ତି । ସନ୍ଧ୍ୟା ୭.୩୦ରୁ ରାତି ୧୧.୩୦ ପର୍ଯ୍ୟନ୍ତ ରାଷ୍ଟ୍ରପତି ସମୟ ଅତିବାହିତ କରିଛନ୍ତି । ସେଠାରେ ପ୍ରଦର୍ଶିତ ଓଡ଼ିଶାର ଅନନ୍ୟ କଳାକୃତିକୁ ଦେଖି ସେ ଅଭିଭୂତ ହୋଇଛନ୍ତି । ଏହା ଦେଖି ଖୁସି ବ୍ୟକ୍ତ କରିବା ସହ ଉତ୍କଳୀୟ କଳାକୃତିର ଭୂୟସୀ ପ୍ରଶଂସା କରିଛନ୍ତି । ସର୍ବପ୍ରଥମେ ଏହି ପରିସରରେ ଥିବା ଜଗନ୍ନାଥ ଗ୍ୟାଲେରୀ ସେ ପରିଦର୍ଶନ କରିଛନ୍ତି । ଏଥିରେ ଥିବା ଜଗନ୍ନାଥଙ୍କ ବିଭିନ୍ନ ବେଶ, ରଥ ଚକ, ରଥର ପ୍ରତିକୃତି, ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହୃତ କୁଡୁଆ ଆଦି ଦେଖିଛନ୍ତି । ଜଗନ୍ନାଥ ଗ୍ୟାଲେରୀରେ ବେଶ କିଛି ସମୟ ବିତାଇ ଓଡ଼ିଶାର ଆଧ୍ୟାତ୍ମିକ ଚେତନା ଓ ପରମ୍ପରାର ମଧ୍ୟ ସେ ପ୍ରଶଂସା କରିଛନ୍ତି ।
Singapore President Visits Kalabhumi (ETV Bharat Odisha)

ଶାଢୀ କିଣି UPIରେ ପେମେଣ୍ଟ କଲେ ରାଷ୍ଟ୍ରପତିଙ୍କ ପତ୍ନୀ:
କଳାଭୂମିର ବିଭିନ୍ନ ଗ୍ୟାଲେରୀ ପରିଦର୍ଶନ କରିବା ସହ ଓଡ଼ିଶାର କଳା, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ରାଷ୍ଟ୍ରପତି ଦେଖିଛନ୍ତି । କଳାଭୂମିରେ ଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ଗ୍ୟାଲେରୀ ବୁଲି କରୁଣା ଶିଳ୍କ, କୋଟପାଡ ଶାଢ଼ୀ, ସମ୍ବଲପୁରୀ, ମାଣିଆବନ୍ଧ ଶାଢ଼ୀ ବୁଣିବା ଶୈଳୀ ବିଷୟରେ ପଚାରି ବୁଝିଛନ୍ତି । ରାଷ୍ଟ୍ରପତିଙ୍କ ପତ୍ନୀ ଏକ ଶାଢୀ ମଧ୍ୟ କିଣିଛନ୍ତି । ଏହାର ମୂଲ୍ୟ ସେ UPI ଜରିଆରେ ପ୍ରଦାନ କରିଛନ୍ତି । ଏକ ସହଜ ଓ ସରଳ ଦେୟ ପ୍ରଦାନ ବ୍ୟବସ୍ଥା ଭାବେ ଭାରତର ଏହି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ସାରା ପୃଥିବୀରେ ପ୍ରସିଦ୍ଧି ଅର୍ଜନ କରିଛି । ଏଥି ସହ ଚାନ୍ଦୁଆ, ଜନଜାତି ଚିତ୍ରକଳା, କାଇଁଚ ଓ ସବାଇ ଘାସ ହସ୍ତକଳା, ପିତ୍ତଳ ବାସନ କୁସନ, ରୂପା ତାରକସି କାମ, ପଟ୍ଟଚିତ୍ର ଶାଢ଼ୀ, କାଗଜ ତିଆରି କଳାକୃତି ଆଦି ବୁଲି ଦେଖିଛନ୍ତି ।

Singapore President Visits Kalabhumi (ETV Bharat Odisha)
Singapore President Visits Kalabhumi (ETV Bharat Odisha)

ରାତ୍ରୀ ଭୋଜନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ:
ରାଷ୍ଟ୍ରପତି ସେଠାରେ ରାତ୍ରୀ ଭୋଜନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିଛନ୍ତି । କଳାଭୂମି ପରିସରରେ ଆୟୋଜିତ ଏକ ନୈଶ ଭୋଜିରେ ଯୋଗଦେଇ ଓଡ଼ିଆ ବ୍ୟଞ୍ଜନର ପ୍ରଶଂସା କରିଛନ୍ତି । ଏଥିରେ ରାଷ୍ଟ୍ରପତିଙ୍କୁ ପାରମ୍ପରିକ ଓଡ଼ିଆ ଖାଦ୍ୟ ପରସା ଯାଇଛି । ଓଡ଼ିଶାର ଖାଦ୍ୟ ଅତ୍ୟନ୍ତ ସ୍ଵାଦିଷ୍ଟ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଫଳିତ ହୋଇଥିଲା ଦୁଇ ଦେଶ ମଧ୍ୟରେ ଥିବା ନିବିଡ ସମ୍ପର୍କ । ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଉଦ୍ଦେଶ୍ୟରେ ଓଡ଼ିଶୀ ନୃତ୍ୟ ସହ ଓଡ଼ିଶା ଓ ସିଙ୍ଗାପୁରର ଏକ ଫୁଜନ ନୃତ୍ୟ ପରିବେଷଣ କରାଯାଇଛି । ରାଷ୍ଟ୍ରପତି ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି ।

Singapore President Visits Kalabhumi (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ଓଡ଼ିଶା-ସିଙ୍ଗାପୁର 8 ଚୁକ୍ତିନାମା ସ୍ବାକ୍ଷର, ଆଗକୁ ଅନେକ ବିଭାଗରେ MOU ହେବ କହିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ସିଙ୍ଗାପୁର ରାଷ୍ଟ୍ରପତି, ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ, ସ୍ବାକ୍ଷରିତ ହେବ ଏମଓୟୁ

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ ନେଇ ଶ୍ରେୟ ରାଜନୀତି, ପୂର୍ବ ସରକାର ଯୋଗୁ ସମ୍ଭବ କହିଲା ବିଜେଡି



ଏହି ପରିଦର୍ଶନ ସମୟରେ ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ, ଓଡ଼ିଶାର ରାଜ୍ୟପାଳ ହରି ବାବୁ କମ୍ଭମପତି ଓ ତାଙ୍କ ଧର୍ମପତ୍ନୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଧର୍ମପତ୍ନୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।

Singapore President Visits Kalabhumi (ETV Bharat Odisha)

ଆଜି ଦେଖିବେ ରଘୁରାଜପୁର ହେରିଟେଜ ଭିଲେଜ:

Singapore President Visits Kalabhumi (ETV Bharat Odisha)

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ଆଜି ଗସ୍ତର ଦ୍ବିତୀୟ ଦିନ ଅର୍ଥାତ ଅନ୍ତିମ ଦିନରେ ସେ ରଘୁରାଜପୁର ହେରିଟେଜ ଭିଲେଜ ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ । ଏହା ପରେ ଅପରାହ୍ଣରେ ଭାରତ ବାୟୋଟେକର ଟିକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

Singapore President Visits Kalabhumi (ETV Bharat Odisha)

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details