ଓଡିଶା

odisha

ETV Bharat / state

ସମଲେଶ୍ବରୀ ମନ୍ଦିରରେ ବସା ବାନ୍ଧିବେ ଘରଚଟିଆ, ୱାଚ୍ ଟାୱାରରେ କୃତ୍ରିମ ବସା - SAMBALPUR SPARROWS NEST

ସମ୍ବଲପୁର ସମଲେଶ୍ବରୀ ମନ୍ଦିର ପରିସର ପାଲଟିବ ଘରଚଟିଆଙ୍କ ବାସସ୍ଥାନ । ୨୦ ବସା ତିଆରି କଲା ମନ୍ଦିର ଟ୍ରଷ୍ଟ ବୋର୍ଡ ।

ବିଲୁପ୍ତ ଘରଚଟିଆଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ହେବ ସମଲେଶ୍ବରୀ ମନ୍ଦିର
ବିଲୁପ୍ତ ଘରଚଟିଆଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ହେବ ସମଲେଶ୍ବରୀ ମନ୍ଦିର (ETV Bharat odisha)

By ETV Bharat Odisha Team

Published : Nov 16, 2024, 8:13 AM IST

Updated : Nov 16, 2024, 9:28 AM IST

ସମ୍ବଲପୁର:ଜଳବାୟୁ ପରିବର୍ତ୍ତନ, ସହରୀକରଣ ଓ ପ୍ରଦୂଷଣ କାରଣରୁ ଏବେ ବିଲୁପ୍ତ ପ୍ରାୟ ଘରଚଟିଆ ପକ୍ଷୀ । ଏକଦା ବହୁଳମାତ୍ରାରେ ନଜର ଆସୁଥିବା ଏହି ପକ୍ଷୀ ଏବେ ଅଦୃଶ୍ୟପ୍ରାୟ । ଯାହାକୁ ନେଇ ପରିବେଶବିତ ଓ ପ୍ରକୃତିପ୍ରେମୀମାନେ ଚିନ୍ତା ବ୍ୟକ୍ତ କରିଆସୁଛନ୍ତି । ସେମାନଙ୍କ ଅସ୍ଥିତ୍ବ ନିଶ୍ଚିହ୍ନ ହୋଇଯିବା ପୂର୍ବରୁ ସେମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବା ପାଇଁ ମତ ପ୍ରକାଶ ପାଉଛି ।

  • ସମ୍ବଲେଶ୍ବରୀ ମନ୍ଦିର ହେବ ଘରଚଟିଆଙ୍କ ଆଶ୍ରୟସ୍ଥଳୀ !

ଏହି ଅନୁଚିନ୍ତା ସହ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ବିଶ୍ବ ଘରଚଟିଆ ଦିବସ ମଧ୍ୟ ପାଳନ କରାଯାଉଛି । ସେମାନଙ୍କର ହ୍ରାସ ପାଉଥିବା ଜନସଂଖ୍ୟା ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ସେମାନଙ୍କ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଏ । ଏହାରି ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମ୍ବଲେଶ୍ବରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ଗ୍ରହଣ କରିଛି ଭିନ୍ନ ପଦକ୍ଷେପ । ଏହି ବିଲୁୁପ୍ତ ପ୍ରାୟ ପକ୍ଷୀଙ୍କୁ ସୁରକ୍ଷା ଦେବା ସେମାନଙ୍କ ବସବାସ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତ କରାଯାଇଛି କୃତ୍ରିମ ବସା । ଘରଚଟିଆମାନେ ଏଠାକୁ ଆସି ବସବାସ କରିବେ ଓ ସେମାନଙ୍କ ବଂଶବୃଦ୍ଧି ହେବ ବୋଲି ଆଶା ବ୍ୟକ୍ତ କରାଯାଉଛି ।

ଘରଚଟିଆଙ୍କ ନିରାପଦ ଆଶ୍ରୟ ସ୍ଥଳୀ ହେବ ସମଲେଶ୍ବରୀ ମନ୍ଦିର, ପ୍ରସ୍ତୁତ ହେଲା କୃତ୍ରିମ ବସା (ETV Bharat odisha)
  • ମନ୍ଦିର ପ୍ରାଙ୍ଗଣରେ ଝୁଲାଯାଇଛି ପ୍ରାୟ 20ଟି ବସା:-

ମନ୍ଦିର ପ୍ରାଙ୍ଗଣରେ ଥିବା ଓ୍ବାଚ-ଟାଓ୍ବାରରେ ପ୍ରାୟ 20ଟି ମାଟି ନିର୍ମିତ ବସା ପ୍ରସ୍ତତ କରାଯାଇଛି । ଅବିକଳ ସେମାନଙ୍କ ବସା ଆକାରରେ ଏହାକୁ ଝୁଲନ୍ତା ଅବସ୍ଥାରେ ରଖାଯାଇଛି । ଏହା ବସା ଭିତରେ ପାଳ ଆଉ ଶୁଖିଲା ଘାସ ପରି ପ୍ରାକୃତିକ ଜିନିଷ ରଖା ଯାଇଛି, ଯାହା ଘରଚଟିଆଙ୍କୁ ଆକର୍ଷିତ କରିବ । ମୁଖ୍ୟତଃ ପର୍ଯ୍ୟଟକମାନଙ୍କୁ ଛଡା ଯାଉନଥିବା ୱାଚ-ଟାୱାରର ଏହି ପ୍ରଥମ ମହଲାରେ ଏହି ବ୍ୟବସ୍ଥା କରାଯାଇଛି । ତେଣୁ ଏହି ସ୍ଥାନରେ ଲୋକଙ୍କ ଯାତାୟାତ ପ୍ରାୟ ନଥିବାରୁ ଏହି ସ୍ଥାନକୁ ଘରଚଟିଆମାନେ ନିଜର ବସା ଭାବେ ସୁରକ୍ଷିତ ମଣିବେ ବୋଲି ଭାବି ଏହି ପଦକ୍ଷେପ ନିଆଯାଇଛି ।

ବିଲୁପ୍ତ ଘରଚଟିଆଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ହେବ ସମଲେଶ୍ବରୀ ମନ୍ଦିର, ଲାଗିଲା କୃତ୍ରିମ ବସା (ETV Bharat odisha)
ବିଲୁପ୍ତ ଘରଚଟିଆଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ହେବ ସମଲେଶ୍ବରୀ ମନ୍ଦିର, ଲାଗିଲା କୃତ୍ରିମ ବସା (ETV Bharat odisha)

ଏହା ମଧ୍ୟ ପଢନ୍ତୁ:- ମଣିଷର ବନ୍ଧୁ ଘରଚଟିଆ, ଜାଣନ୍ତୁ କିଛି ରୋଚକ କଥା

ଏହା ମଧ୍ୟ ପଢନ୍ତୁ:ହଜିବାକୁ ବସିଲାଣି କିଚିରି ମିଚିରି ଶବ୍ଦ

ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ କହିଛନ୍ତି, ‘‘ମାଙ୍କ ପୀଠର ଯେଉଁ ଉନ୍ନତୀକରଣ ହୋଇଛି ତାର ପରିବେଶକୁ ଆହୁରି ଉନ୍ନତ କରିବା ପାଇଁ ଏଠି ପକ୍ଷୀ କଳରବ ଶୁଭିବାର ଆବଶ୍ୟକତା ରହିଛି । ତାହାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ସହରୀକରଣ ଫଳରେ ଏବେ କଂକ୍ରିଟ ଜଙ୍ଗଲ ପରି ସ୍ଥିତି ସୃଷ୍ଟି ହେଲାଣି । ଘରଚଟିଆ ନିଶ୍ଚିହ୍ନ ହେବାରେ ଲାଗିଲେଣି । ତାଙ୍କୁ ସୁରକ୍ଷା ଦେବା ପାଇଁ ଆମ ସମ୍ବଲପୁରର କିଛି ବ୍ୟକ୍ତି ଏହି ଦିଗରେ ଉଦ୍ୟମ କରିଆସୁଛନ୍ତି । ସେମାନଙ୍କଠୁ ପ୍ରେରଣା ନେଇ ସମଲେଶ୍ୱରୀ ମନ୍ଦିର ପରିସରରେ ଏହି ବ୍ୟବସ୍ଥା କରିବାକୁ ଚିନ୍ତା କଲୁ । ମନ୍ଦିର ପ୍ରାଙ୍ଗଣରେ ବହୁ ସୁରକ୍ଷିତ ସ୍ଥାନ ଅଛି ଏବଂ ବହୁତ ଘରଚଟିଆ ରହିଲା ଭଳି ଗଛ ମଧ୍ୟ ଲଗାଇଛୁ । ଯାହା ବିଶେଷଜ୍ଞଙ୍କଠୁ ଜାଣିବାକୁ ପାଇଲୁ ଯେ, ଘରଚଟିଆ ଉକ୍ତ ବସାକୁ ଆସିବା ପାଇଁ ଆମକୁ ଧୈର୍ଯ୍ୟର ସହ କିଛି ଦିନ ଅପେକ୍ଷା କରିବାକୁ ହେବ । ଯେଉଁ ଜାଗାରେ ସେମାନଙ୍କର ବସା,ଖାଦ୍ୟ, ପିଇବା ପାଣିର ବ୍ୟବସ୍ଥା କରିଛୁ, ତାହା ସମ୍ପୂର୍ଣ୍ଣ ନିରାପଦ ସ୍ଥାନ । ଆଶା କରୁଛୁ, ଖୁବଶୀଘ୍ର ଏଠି ଘରଚଟିଆ ଆସି ବସା ବାନ୍ଧିବେ ।’’

ବିଲୁପ୍ତ ଘରଚଟିଆଙ୍କ ସୁରକ୍ଷିତ ଆଶ୍ରୟସ୍ଥଳୀ ହେବ ସମଲେଶ୍ବରୀ ମନ୍ଦିର, ଲାଗିଲା କୃତ୍ରିମ ବସା (ETV Bharat odisha)

ଇଟିଭି ଭାରତ, ସମ୍ବଲପୁର

Last Updated : Nov 16, 2024, 9:28 AM IST

ABOUT THE AUTHOR

...view details