ଖୋର୍ଦ୍ଧା:ଦିନ ଦ୍ବିପ୍ରହରରେ ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମା' ବରୁଣେଇଙ୍କ ପୀଠ ରଣକ୍ଷେତ୍ର ପାଲଟିଲା । ମୁହାଁମୁହିଁ ହୋଇଥିଲେ ସ୍ଥାନୀୟ ଯୁବକ ଓ ଗଞ୍ଜାମ ପର୍ଯ୍ୟଟକ । ଏହି ଘଟଣାରେ ଗଞ୍ଜାମ ଜିଲ୍ଲାର ଦୁଇ ପର୍ଯ୍ୟଟକ ଏବଂ ସ୍ଥାନୀୟ ଅଞ୍ଚଳର ୩ ଜଣ ଯୁବକଙ୍କୁ ମିଶାଇ ସମୁଦାୟ ୫ ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଘଟଣା ପରେ ବରୁଣେଇ ପୀଠରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଘଟଣାରୁ ଜଣାପଡ଼ିଛି ଆଜି ଗଞ୍ଜାମ ଜିଲ୍ଲାର ପ୍ରାୟ ଦୁଇ ଶହ ପର୍ଯ୍ୟଟକ ବଣ ଭୋଜି କରିବାକୁ ପର୍ଯ୍ୟଟନ ସ୍ଥଳୀ ମା' ବରୁଣେଇଙ୍କ ପୀଠକୁ ଆସିଥିଲେ । ସେହିପରି ସେଠାରେ ପୂର୍ବରୁ ଆଦର୍ଶ ଥାନା ଅନ୍ତର୍ଗତ ଉପରସାହି ବାଶେଇସାହି ଏବଂ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜେମାଦେଇ ଗ୍ରାମରେ ୨୦ରୁ୨୫ ଜଣ ଯୁବକ ଭୋଜି କରୁଥିଲେ । ତେବେ କୌଣସି କାରଣକୁ ନେଇ ଗଞ୍ଜାମ ପର୍ଯ୍ୟଟକ ଏବଂ ସ୍ଥାନୀୟ ଯୁବକମାନେ ହାତାହାତି ହୋଇଥିଲେ । ଏ ଘଟଣା ପରେ ସେଠାରେ ସ୍ଥାନୀୟ ଅଞ୍ଚଳରୁ ଯୁବକମାନେ ଅନ୍ୟ କେତେକ ଯୁବକଙ୍କୁ ଘଟଣା ସ୍ଥଳକୁ ଡାକିଥିଲେ ।ଏହାପରେ ଘଟଣାସ୍ଥଳ ପାଲଟିଥିଲା ରଣକ୍ଷେତ୍ର ।
ସ୍ଥାନୀୟ ଅଞ୍ଚଳରେ ଯୁବକମାନେ ଗଞ୍ଜାମ ପର୍ଯ୍ୟଟକଙ୍କୁ ଗୋଡ଼ାଇ ଗୋଡ଼ାଇ ଠେଙ୍ଗା ଓ ପଥରରେ ଆକ୍ରମଣ କରିଥିଲେ । ସେମାନେ କ୍ଷମା ପ୍ରାର୍ଥନା କରିବା ସତ୍ତ୍ବେ ଯୁବକମାନେ ଶୁଣିନଥିଲେ । ଆଶ୍ଚର୍ଯ୍ୟ କଥା ହେଉଛି ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିବା ସତ୍ତ୍ଵେ ଯୁବକମାନେ ଗଞ୍ଜାମ ପର୍ଯ୍ୟଟକ ଆସିଥିବା ଦୁଇ ବସକୁ ଠେଙ୍ଗା ଓ ଢେଲା ଫୋପାଡ଼ି ଭଙ୍ଗାରୁଜା କରିଥିଲେ ।