ଓଡିଶା

odisha

ETV Bharat / state

ଦୁଇ ବାଇକ ମୁହାଁମୁହିଁ ଧକ୍କା, ଚାଲିଗଲା 2 ଜୀବନ - ମାଲକାନଗିରି ଦୁର୍ଘଟଣା

Road Accident In Malkangiri: ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା । 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ମୁହାଁମୁହିଁ ଧକ୍କା ହେଲା ବାଇକ
ମୁହାଁମୁହିଁ ଧକ୍କା ହେଲା ବାଇକ

By ETV Bharat Odisha Team

Published : Feb 17, 2024, 12:49 PM IST

ମାଲକାନଗିରି:ରାଜ୍ୟରେ ସଡ଼କ ଦୁର୍ଘଟଣା ନିତିଦିନିଆ ଘଟଣା ହୋଇଗଲାଣି । ଲଗାତାର ଭାବରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ଏବେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସଦର ମହକୁମା ସତୀଗୁଡା ଜଳଭଣ୍ଡାର ନିକଟରେ । ଯେଉଁଠି ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ 2 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।

ସୂଚନା ମୁତାବକ, ଗତକାଲି(ଶୁକ୍ରବାର) ସନ୍ଧ୍ୟା ପ୍ରାୟ ୬.୩୦ ସମୟରେ ମାଲକାନଗିରି ସଦର ମହକୁମା ସତୀଗୁଡା ଜଳଭଣ୍ଡାର ଉପର ଦେଇ ବନ ବିଭାଗର ଇକୋପାର୍କକୁ ଯିବା ରାସ୍ତାର ଉଭୟ ପାର୍ଶ୍ବରୁ ଦୁଇଟି ମୋଟର ସାଇକେଲ ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ସେପଟେ ଆହତମାନଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ୍ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଲେ ମାଲକାନଗିରି ସଦର ଏମ୍‌.ଭି. ୧୧୧ (ଡ୍ୟାମସାଇଟ୍‌) ଗ୍ରାମର ସୁକୁମାର ବିଶ୍ୱାସଙ୍କ ପୁଅ ବିଟୁ ବିଶ୍ୱାସ (୧୯ ବର୍ଷ) ଏବଂ ଅନ୍ୟ ଜଣେ ଛତିଶଗଡ ସୁକୁମା ଅଞ୍ଚଳର ସୁନ୍ଦର ବୋଲି ଜଣାପଡିଛି । ସେହିପରି ଗୁରୁତରମାନେ ହେଲେ ମାଲକାନଗିରିର କରେଣ୍ଟ ବିଶ୍ୱାସ ଓ ଅଭିରାମ ରାୟ । ଅନ୍ୟ ଜଣେ ଆହତଙ୍କ ନାମ ଜଣାପଡିନାହିଁ । ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଭଳି ଏକ ଦୁର୍ଘଟଣା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବାଟରେ ଜଗିଥିଲା ଯମ ! ଗଛରେ ପିଟି ହେଲା ବାଇକ, ବାପା ପୁଅ ମୃତ

ସେହିଭଳି ଶୁକ୍ରବାର ମାଲକାନଗିରି କୋରୁକୋଣ୍ଡା ବ୍ଲକ ନାକାମାମୁଡ଼ି ପଞ୍ଚାୟତର କେନ୍ଦୁଗୁଡା ଗାଁରେ ଦୁଇ ନାବାଳିକା ବାଲିମେଳା ଜଳଭଣ୍ଡାରରେ ଗାଧୋଉଥ‌ିବା ବେଳେ ପାଣିରେ ବୁଡିଯାଇ ସେମାନଙ୍କ ମୃତ୍ୟୁ ଘଟିଥିଲା । ଗୁରୁବାର ଅପରାହ୍ନରେ କେନ୍ଦୁଗୁଡା ଗାଁ ନିକଟ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ ନାବାଳିକା । ଗାଧୋଇବା ସମୟରେ ଜଳଭଣ୍ଡାରର ଗଭୀର ଜଳରାଶିରେ ଦୁହେଁ ନିଖୋଜ ହୋଇଯାଇଥିଲେ । ଘଟଣାସ୍ଥଳରେ ଚିତ୍ରକୋଣ୍ଡା ଅଗ୍ନିଶମ, ଚିତ୍ରକୋଣ୍ଡା ପୋଲିସ ଓ କୁଡୁମୁଳୁଗୁମା ତହସିଲଦାର ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ନିଖୋଜ ନାବାଳିକାଙ୍କୁ ଖୋଜାଖୋଜି କରିଥିଲେ । ଶେଷରେ ସକାଳେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details