ଭୁବନେଶ୍ବର:ରକ୍ତଦାନ ମହତ୍ ଦାନ । ଟୋପାଏ ରକ୍ତ ବିନ୍ଦୁ ଜଣଙ୍କ ଜୀବନ ବଞ୍ଚାଇପାରେ । ଗୋଟିଏ ପରିବାରରେ ହସର କାରଣ ବୁନ୍ଦାଏ ରକ୍ତ । ହେଲେ ଖରା ଦିନ ଆସିଲେ ରକ୍ତର ଅଭାବ ଦେଖିବାକୁ ମିଳେ। ରାଜ୍ୟର ଅନେକ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଥାଏ । ସାଧାରଣ ଲୋକଙ୍କ ରକ୍ତ ତ ଦୂରର କଥା ବିଶେଷ ଭାବରେ ଥାଲାସେମିଆ ଓ ସିକିଲସେଲ ଆନିମିଆରେ ପୀଡ଼ିତ ଥିବା ରୋଗୀଙ୍କର ରକ୍ତ ଅତ୍ୟନ୍ତ ଆବଶ୍ୟକ ପଡ଼ିଥାଏ । ରକ୍ତ ନେବାର ମାସଟେ ପୁରିଗଲେ ପୁଣି ଲୋଡା ପଡେ ରକ୍ତ । ଯାହାକୁ ନେଇ ରାଜ୍ୟସରକାର ତତ୍ପରତା ପ୍ରକାଶ କରିଛନ୍ତି ।
ଓଡ଼ିଶା ରକ୍ତ ନିରାପତ୍ତାର ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି ଯେ, ପ୍ରତିବର୍ଷ ଖରା ଦିନ ଆସିଲେ ଅନେକ ସ୍ଥାନରେ ରକ୍ତର ଅଭାବ ଦେଖାଯାଇଥାଏ । ଏଥିରେ ଅନେକ କାରଣ ରହିଛି ଯଥା ଖରା ଦିନରେ ଲୋକମାନେ ରକ୍ତ ଦାନ କରିବାକୁ ଆସନ୍ତି ନାହିଁ ଏବଁ ରକ୍ତଦାନ କରୁଥିବା ବଡ ବର୍ଗ ସ୍କୁଲ ଓ କଲେଜ ପିଲାଙ୍କ ଶିକ୍ଷାନୁଷ୍ଠାନ ବନ୍ଦ ରହିବା । ସେଥିପାଇଁ ଜାନୁଆରୀ ଫେବୃଆରୀ ମାସରେ ଅଧିକ ରକ୍ତ ସଂଗ୍ରହ କରିବାକୁ ଚେଷ୍ଟା କରାଯାଏ । ଏପଟେ ବିନା ଏକ୍ସଚେଞ୍ଜରେ ରକ୍ତ ଦେବାକୁ ଚେଷ୍ଟା କରାଯାଉଛି । ଖରା ଦିନରେ ଲୋକମାନଙ୍କୁ ଅନୁରୋଧ କି ସ୍ବଇଚ୍ଛାରେ ହସ୍ପିଟାଲରେ ଆସି ରକ୍ତ ଦାନ କରନ୍ତୁ । ଯାହା ଫଳରେ ଖରା ଦିନରେ ରକ୍ତ ଅଭାବ ରହିବ ନାହିଁ । ରାଜ୍ୟରେ ବର୍ଷକୁ ୪ ଲକ୍ଷରୁ ଅଧିକ ୟୁନିଟ ରକ୍ତ ଆବଶ୍ୟକ ।