ଭୁବନେଶ୍ବର: ସରକାରୀ ଚାକିରିରୁ ବରିଷ୍ଠ ପୋଲିସ ଅଧିକାରୀ ବି ରାଧିକାଙ୍କ ସ୍ୱେଚ୍ଛାକୃତ ଅବସର । ଆଜି(ଗୁରୁବାର) ଅପରାହ୍ନରୁ ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଚଳିତବର୍ଷ ଜୁଲାଇ ମାସରେ ସରକାରୀ ଚାକିରିରୁ ଅବସର ନେଇଥାନ୍ତେ । ଏହାପୂର୍ବରୁ ସେ ସ୍ୱେଚ୍ଛାକୃତ ଅବସର ନେଇ ଆବେଦନ କରିଥିବା ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି ।
୧୯୮୯ ବ୍ୟାଚର ଆଇପିଏସ ହେଉଛନ୍ତି ରାଧିକା । ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରି ଗତ ନଭେମ୍ବର ୨୮ ତାରିଖରେ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ । ଗୃହ ବିଭାଗର ବିଜ୍ଞପ୍ତି ଅନୁସାରେ, ଆଇପିଏସ ବି. ରାଧିକା ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବା ପାଇଁ ଗତବର୍ଷ ଡିସେମ୍ବର ୩୧ ଓ ଚଳିତବର୍ଷ ଜାନୁୟାରୀ ୧୧ ତାରିଖରେ ଦୁଇଥର ଆବେଦନ କରିଥିଲେ । ସର୍ବଭାରତୀୟ ସେବା ରୁଲସ-୧୯୫୮ର ରୁଲ-୧୬(୨)ର ପ୍ରାବଧାନ ଆଧାରରେ ରାଧିକା ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ । ଭିଆରଏସ ପାଇଁ ଜଣେ ସର୍ବଭାରତୀୟ ଅଫିସରଙ୍କୁ ନିଜ ଚାକିରି କାଳର ୩୦ ବର୍ଷ ପୂରଣ ଅବା ସେ ୫୦ ବର୍ଷ ବୟସରେ ଉପନୀତ ହେବାର ଆବଶ୍ୟକତା ରହିଛି ।
ରାଜ୍ୟ ସରକାରଙ୍କୁ ଅତିକମରେ ୩ ମାସ ପୂର୍ବରୁ ଲିଖିତ ଭାବେ ଆବେଦନ ଦେବାର ଆବଶ୍ୟକତା ରହିଛି । ଏହି ୩ ମାସ ଅବଧିକୁ କୋହଳ କରିବାର କ୍ଷମତା ରାଜ୍ୟ ସରକାରଙ୍କର ଥିବାରୁ ରାଧିକାଙ୍କ କ୍ଷେତ୍ରରେ ଏହି ଆବେଦନ ନିମନ୍ତେ ସର୍ବନିମ୍ନ ୩ ମାସ ପୂର୍ବରୁ ପ୍ରାବଧାନକୁ କୋହଳ କରିଛନ୍ତି । ଆଜି ଅପରାହ୍ନରେ ରାଧିକା ସରକାରୀ ଚାକିରିରୁ ଅବସର ନେବା ପାଇଁ ସରକାର ଅନୁମତି ଦେଇଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ସେ ରାଜ୍ୟର ପ୍ରଥମ ମହିଳା ଡିଜି ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା । ମାତ୍ର ରାଜ୍ୟ ସରକାର ତାଙ୍କୁ ରାଜ୍ୟ ପୋଲିସ ରିକ୍ୟୁଟ୍ରମେଣ୍ଟ ବୋର୍ଡର ଅଧ୍ୟକ୍ଷ ସହ ଷ୍ଟେଟ ଫୋରେନ୍ସିକ ସାଇନ୍ସ ଲାବ୍ରୋଟୋରୀର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ଦେଇଥିଲେ ।