ଭୁବନେଶ୍ବର:ଆଜି ମଧ୍ୟ ସ୍ବାଭାବିକ ହୋଇପାରୁନି ଗୃହକାର୍ଯ୍ୟ । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଗଞ୍ଜାମ ମଦମୃତ୍ୟୁ ପ୍ରସଙ୍ଗରେ ସରକାରକୁ ଘେରିଛନ୍ତି । ଗୃହରେ ନାରାବାଜୀ ଓ ହୋହାଲ୍ଲା କରିଛନ୍ତି ବିରୋଧୀ । ଫଳରେ ବାଚସ୍ପତି ସୁରମା ପାଢୀ ଗୃହକୁ ପୂର୍ବାହ୍ନ 11.30 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ପରବର୍ତ୍ତୀ ସ୍ଥିତିରେ ସୁଧାର ନଆସିବା କାରଣରୁ ଅପରାହ୍ନ 4ଟା ଯାଏ ଗୃହ ମୁଲତବୀ ଘୋଷଣା କରାଯାଇଛି ।
ଗତକାଲି ମଧ୍ୟ ଦେଖାଯାଇଥିଲା ଅଚଳାବସ୍ଥା:-
ଗତକାଲିଠାରୁ ଆରମ୍ଭ ହୋଇଛି ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ । ଗତକାଲି ପ୍ରଥମ କାର୍ଯ୍ୟଦିବସରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ବିରୋଧୀ ସଦସ୍ୟମାନେ କ୍ୟାମ୍ପସ ନିର୍ବାଚନ ଓ ରାଜ୍ୟପାଳଙ୍କ ପୁଅ ‘ଏଏସଓ’ଙ୍କୁ ମାଡ ମାରିବା ଘଟଣାରେ ସରକାରଙ୍କୁ ହୋହାଲ୍ଲା କରିଥିଲେ । ଫଳରେ ଦୁଇଟି ପର୍ଯ୍ୟାୟରେ ଗୃହକୁ ମୁଲତବୀ କରିବାକୁ ପଡିଥିଲା । ଆଜି ମଧ୍ୟ ଦ୍ବିତୀୟ ଦିନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସମାନ ସ୍ଥିତି ଦେଖିବାକୁ ମିଳିଛି । ଉଭୟ ବିଜେଡି ଏବଂ କଂଗ୍ରେସ ସଦସ୍ୟମାନେ ହୋ ହଲ୍ଲା କରି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ବିରୋଧ ପଦର୍ଶନ ।
ବିଜେଡି ମଦମୃତ୍ୟୁ ଓ କଂଗ୍ରେସ ଉଠାଇଲା ଆଦିବାସୀ ସଂରକ୍ଷଣ ପ୍ରସଙ୍ଗ:
ବିଜୁ ଜନତା ଦଳ ମଦମୃତ୍ୟୁ ଘଟଣାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଥିବା ବେଳେ କଂଗ୍ରେସ ଆଦିବାସୀ ସଂରକ୍ଷଣ ଦାବି କରି ଗୃହରେ ହଙ୍ଗାମା କରିଥିଲା । ଓଡିଶାକୁ ନିଶାମୁକ୍ତ କରିବା ପ୍ରତିଶୃତି ଦେଇଥିଲେ ବିଜେପି । ଏବେ ସରକାରକୁ ଆସିଲା ପରେ ପ୍ରତିଶ୍ରୁତି ଭୁଲିଗଲେ କହି ଆସିକା ମଦମୃତ୍ୟୁ ଘଟଣାରେ ଆରଡିସି ସ୍ତରୀୟ ତଦନ୍ତ ଦାବି କରିଛି ବିଜେଡି । ସେପଟେ କଂଗ୍ରେସ ସଦସ୍ୟମାନେ ଆଦିବାସୀ ସଂରକ୍ଷଣ ଦାବି କରି ପାଟିତୁଣ୍ଡ କରିଛି । ଫଳରେ ପ୍ରଥମେ ପ୍ରଥମାର୍ଦ୍ଧରେ ପୂର୍ବାହ୍ନ ସାଢେ 11ଟା ଯାଏ ଓ ପରବର୍ତ୍ତୀ ସମୟରେ ଅପରାହ୍ନ 4ଟା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ମୁଲତବୀ ରହିଛି । ପରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।