ଅନୁଗୋଳ:‘‘ମରିବୁ ପଛେ, ଭିଟାମାଟି ଛାଡ଼ିବୁ ନାହିଁ । ଏଠାରୁ ଗଲେ ଆମ ଜଙ୍ଗଲ ଓ ଆମ ଉର୍ବର ଚାଷ ଜମି ଆମେ କେଉଁଠୁ ପାଇବୁ । ଯେଉଁମାନେ ଭିଟାମାଟି ଛାଡିଛନ୍ତି, ଆମେ ଜାଣିଛୁ ସେମାନେ କେତେ କଷ୍ଟରେ ଜୀବନ ବିତାଉଛନ୍ତି । ତେଣୁ ଆମେ ଶପଥ ନେଉଛୁ, କୌଣସି ପରିସ୍ଥିତିରେ ଆମେ ଭିଟାମାଟି ଛାଡିବୁ ନାହିଁ ।’’ ନିଜ ଜୀବନ-ଜୀବିକା ଓ ଭବିଷ୍ୟତକୁ ନେଇ ଏମିତି ଅସମାହିତ ପ୍ରଶ୍ନ କରି ବନ ବିଭାଗ ଓ ସ୍ଥାନୀୟ ପ୍ରଶାସନ ବିରୋଧରେ ଗର୍ଜନ କରିଛନ୍ତି ସାତକୋଶିଆ ବାସିନ୍ଦା । ଅଭୟାରଣ୍ୟରେ ମହବଳ ଛାଡିବା ପାଇଁ ବନ ବିଭାଗ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ କରିସାରିଥିବା ବେଳେ ସ୍ଥାନାନ୍ତରଣ ବିରୋଧରେ ଏପରି ରଣହୁଙ୍କାର ଦେଇଛି ‘ସାତକୋଶିଆ ପ୍ରଜା ସୁରକ୍ଷା ସମିତି’ ।
- ମହାବଳ ଆଣିବାକୁ ଶେଷ ପର୍ଯ୍ୟାୟରେ ପ୍ରକ୍ରିୟା:-
ସାତକୋଶିଆ ଅଭୟାରଣ୍ୟକୁ ଫେରିବେ ମହାବଳ ବାଘ । ସେଥିପାଇଁ ବନ ବିଭାଗ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚଳାଇଛି । ‘ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ’(NTCA)ର ଗାଇଡ଼ଲାଇନ୍ ଅନୁସାରେ ଅଭୟାରଣ୍ୟର ଆଭ୍ୟନ୍ତରୀଣ ଅଞ୍ଚଳ ବା(କୋର-ଏରିଆ) ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଗୋଟିଏ ପରେ ଗୋଟିଏ ଗାଁକୁ ସ୍ଥାନାନ୍ତର କରାଯାଉଛି । ପ୍ରକଳ୍ପ ପରିସର ଭିତରେ ବଡ଼ ବଡ଼ ଘାସ ପଡିଆ ପ୍ରସ୍ତୁତ କରାଯାଉଛି । ନିୟମାବଳୀ ଅନୁସାରେ, ପ୍ରକଳ୍ପ ପାଇଁ ଯାହା ସବୁ ଆବଶ୍ୟକ ସେ ସମସ୍ତ ପ୍ରସ୍ତୁତି ଜୋରଦାର କରିଛି ବନ ବିଭାଗ । କିନ୍ତୁ ଅଧିକାଂଶ ଗ୍ରାମବାସୀ ଏବେ ଅନ୍ୟତ୍ର ସ୍ଥାନାନ୍ତର ହେବାକୁ ରାଜି ହେଉନାହାନ୍ତି ।
- ଗଠନ ହେଲା ‘ସାତକୋଶିଆ ପ୍ରଜା ସୁରକ୍ଷା ସମିତି’
ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବନ ବିଭାଗ ବେଆଇନ ଭାବେ ଜୋର ଜବରଦସ୍ତ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା କରୁଛି । ପୂର୍ବରୁ ଯେଉଁ ୩-୪ଟି ଗ୍ରାମର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି ସେମାନେ, ଏବେ ନାନା ସମସ୍ୟା ମଧ୍ୟରେ ଦୁର୍ଦ୍ଦିନରେ ରହୁଛନ୍ତି । ତେଣୁ ସେମାନେ ସେମାନଙ୍କ ଭିଟାମାଟି ଛାଡିବେ ନାହିଁ । ‘ସାତକୋଶିଆ ପ୍ରଜା ସୁରକ୍ଷା ସମିତି’ ଗଠନ କରି ଅଭୟାରଣ୍ୟ ସଂଲଗ୍ନ ପଞ୍ଚାୟତଗୁଡିକରେ ମେଳି ହୋଇ ବୈଠକ ପରେ ବୈଠକ କରୁଛନ୍ତି । ପୂର୍ବରୁ ଜଗନ୍ନାଥପୁର ପଞ୍ଚାୟତରେ ମେଳି ହୋଇଥିଲେ । ଗତ କିଛି ଦିନ ତଳେ ବଲଙ୍ଗ ପଞ୍ଚାୟତରେ ଶତାଧିକ ବାସିନ୍ଦା ମେଳି ହୋଇ ଗର୍ଜନ କରିଥିଲେ । ଆଗାମୀ ଦିନରେ ଅନ୍ୟ ପଞ୍ଚାୟତ ଗୁଡିକରେ ମଧ୍ୟ ଏଭଳି ମେଳି ହେବାପାଇଁ ଯୋଜନା କରୁଛନ୍ତି ।
ଏନେଇ ସାତକୋଶିଆ ବାସିନ୍ଦା ଆନନ୍ଦ ସାହୁ କହିଛନ୍ତି,‘‘ ଆମେ ଆମ ଗାଁରେ ଭଲରେ ଅଛୁ । ଆମକୁ ଅନ୍ୟତ୍ର ନେବା ଦରକାର ନାହିଁ, କି ଆମେ କୁଆଡେ ଯିବୁନାହିଁ । ଜଙ୍ଗଲ ବିଭାଗ ତାର ଜଙ୍ଗଲ ଜନ୍ତୁଙ୍କୁ ନିଜେ ସୁରକ୍ଷା ଦିଅନ୍ତୁ ।’’ ସେହିପରି ଅନ୍ୟଜଣେ ବାସିନ୍ଦା, କୃଷ୍ଣଚନ୍ଦ୍ର ସାହୁ କହିଛନ୍ତି,‘‘ଜଙ୍ଗଲ ବିଭାଗ ଆମ ଫସଲର ସୁରକ୍ଷା ଦେଉ । ଜନ୍ତୁ ଦାଉରୁ ଯେଉଁ ଫସଲ ନଷ୍ଟ ହେଉଛି ତାର କ୍ଷତିପୂରଣ ଦେଉ ତା ନକଲେ ଆଗାମୀ ଦିନରେ ବଡଧରଣର ଆନ୍ଦୋଳନ ହେବ । ବନ ବିଭାଗ ଅଫିସଠୁ ନେଇ ଜିଲ୍ଲା ଅଫିସ ଆଗରେ ଆନ୍ଦୋଳନ କରିବୁ । କିଛି ମୁଷ୍ଟିମେୟ ଲୋକ ବନ ବିଭାଗର ପ୍ରରୋଚନାରେରେ ପଡି ଗାଁ ଉଠାଇବା ପାଇଁ ଯୋଜନା କରୁଛନ୍ତି ଯାହା କେବେ ବି କରେଇ ଦିଆଯିବ ନାହିଁ ।"