ବାଲେଶ୍ଵର: କାଦୁଅରେ ଧାନ ରୋଇ ପ୍ରତିବାଦ କଲେ ପଞ୍ଚାୟତର ଜନପ୍ରତିନିଧି । ଏହିଭଳି ଏକ ଆଶ୍ଚଯ୍ୟ ଜନକ ଘଟଣା ବାଲେଶ୍ଵର ସଦର ବ୍ଲକ କାର୍ଯ୍ୟାଳୟରେ ଦେଖିବାକୁ ମିଳିଛି । ବ୍ଲକ କାର୍ଯ୍ୟାଳୟରେ ଥିବା ଏକ ସେଲୋ ପମ୍ପ ସଫା କରାଯିବା ଫଳରେ ସେଥିରୁ କୁଢ଼ କୁଢ଼ କାଦୁଅ ବାହାରିଛି । ଫଳରେ ଲୋକଙ୍କ ଯିବା ଆସିବାରେ ଅସୁବିଧା ହେଉଛି । ଏହି ସମସ୍ୟାର ସମାଧାନ କରିବା ପାଇଁ ବାରମ୍ବାର ବିଡ଼ିଓ ତଥା ଅନ୍ୟାନ ଅଧିକାରୀଙ୍କୁ କହିଲେ ମଧ୍ୟ କିଛି ସଫଳତା ନମିଳିବାରୁ ଏହି ପଦକ୍ଷେପ ନିଆଯାଇଥିବା ଜନପ୍ରତିନିଧି ମତ ଦେଇଛନ୍ତି ।
ପ୍ରାୟ ପାଞ୍ଚଦିନ ଧରି ଏହି ସେଲୋ କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟାଳୟ ପରିସର ଏବେ କାଦୁଅରେ ଭର୍ତ୍ତି ହୋଇଯାଇଛି। ସାଧାରଣ ଲୋକ ଏହି କାଦୁଅ ଭିତରେ ନିଜ ସମସ୍ୟା ଜଣାଇବାକୁ ଆସି ପାରୁ ନାହାନ୍ତି । ଫଳରେ ଲୋକ ଅନେକ ସମସ୍ୟା ନେଇ ବ୍ଲକ କାର୍ଯ୍ୟାଳୟ ଆସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଜନପ୍ରତିନିଧିମାନେ ସଦର ବିଡିଓଙ୍କୁ ଜଣାଇବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ନିରାଶ ହୋଇ ଶେଷରେ ଆଜି ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଏବଂ ତାଙ୍କ ସମର୍ଥକମାନେ କାର୍ଯ୍ୟାଳୟ ପରିସରରେ ଭର୍ତ୍ତି ହୋଇଥିବା କାଦୁଅରେ ଧାନଗଛ ରୋଇଥିଲେ । ଏବଂ ଏକ ଭିନ୍ନ ଉପାୟରେ ପ୍ରତିବାଦ କରି ଏହି କାଦୁଅ ଉଠାଇବାକୁ ଦାବି କରିଥିଲେ। ବାଲେଶ୍ଵରର ଏହି ବ୍ଲକ କାର୍ଯ୍ୟାଳୟ ଏକ ପ୍ରମୁଖ କାର୍ଯ୍ୟାଳୟ ହୋଇଥିବା ବେଳେ ପ୍ରତିଦିନ ଏଠାକୁ ଶତାଧିକ ଲୋକ ସେମାନଙ୍କ ଅଭିଯୋଗ ନେଇ ଆସନ୍ତି। ଏମିତିକି ଜନପ୍ରତିନିଧିମାନେ ମଧ୍ୟ ସଦର ବ୍ଲକ କାର୍ଯ୍ୟାଳୟକୁ ସେମାନଙ୍କ ଅଞ୍ଚଳର ସମସ୍ୟା ନେଇ ଆସିଥାନ୍ତି।