ଭୁବନେଶ୍ବର:ଟ୍ବିନ୍ ସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କଲେ ବରିଷ୍ଠ ଆଇପିଏସ୍ ଅଧିକାରୀ ସଞ୍ଜୀବ ପଣ୍ଡା । ଆଜି ବିଦାୟୀ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୋଲିସ କମିଶନରଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ଏହି ସମୟରେ ନୂଆ କମିଶନରଙ୍କୁ କଟକ-ଭୁବନେଶ୍ବରର ପୋଲିସ ଅଧିକାରୀ ଭେଟିଛନ୍ତି ।
ଏହି ଅବସରରେ ନୂଆ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ଆଗକୁ ସାଧାରଣ ନିର୍ବାଚନ ଥିବାରୁ ତାହାକୁ କିପରି ସୁରଖୁରୁରେ ସମ୍ପାଦନ କରାଯିବ ସେଥି ନିମନ୍ତେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବୁ । ଅନୁସୂଚିତ ଜାତି ଓ ଦୁର୍ବଳ ଶ୍ରେଣୀର ମହିଳା ଓ ଶିଶୁଙ୍କ ସମସ୍ୟା ପ୍ରତି ସ୍ବତନ୍ତ୍ର ଭାବେ ସାମାଧାନ କରିବାକୁ ଚେଷ୍ଟା କରିବୁ । ଏଥିସହ ୫ଟି ଓ ମୋ’ ସରକାରର ସମସ୍ତ ନିୟମ ଅନୁପାଳନ କରିବୁ। ଏହାଦ୍ୱାରା ପୋଲିସ୍ ସାଧାରଣ ଲୋକଙ୍କ ନିକଟତର ହେବା ସହ ଅଧିକ ସେବା ଯୋଗାଇ ଦେଇ ପାରିବ ।
ତେବେ ବରିଷ୍ଠ ଆଇପିଏସ୍ ସଞ୍ଜୀବ ପଣ୍ଡା ଦ୍ୱୈତନଗରୀର ପୋଲିସ କମିଶନର ଦାୟିତ୍ୱ ନେଇଛନ୍ତି । ୧୯୯୪ ବ୍ୟାଚ୍ ଆଇପିଏସ୍ ସଞ୍ଜୀବ ପଣ୍ଡା ଓଡ଼ିଶା ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ସିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ସହ ଗୁଇନ୍ଦା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ସେ ୧୦ ତମ ପୋଲିସ କମିଶନର ଭାବେ କଟକ-ଭୁବନେଶ୍ୱରର ସୁରକ୍ଷା ଦାୟିତ୍ୱ ନେଇଛନ୍ତି । ସାଧାରଣ ଓ ବିଧାନସଭା ନିର୍ବାଚନ ପୂର୍ବରୁ ବରିଷ୍ଠ ଆଇପିଏସ୍ ଅଫିସରମାନଙ୍କ ମଧ୍ୟରେ ବଡ଼ ଧରଣର ଅଦଳବଦଳ କରାଯାଇଥିଲା । ରାଜ୍ୟ ସରକାର ୧୯୯୪ ବ୍ୟାଚ୍ର ଅଧିକାରୀ ସଞ୍ଜୀବ ପଣ୍ଡାଙ୍କୁ ପୋଲିସ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ଏହି ଅବସରରେ କମିଶନର କହିଛନ୍ତି, "ଅନୁସୂଚିତ ଓ ଦୁର୍ବଳ ଶ୍ରେଣୀକୁ ଦେବେ ଗୁରୁତ୍ୱ ।"