ସମ୍ବଲପୁର: ସଦର ଥାନା ମାନେଶ୍ଵର ହାଟପଦାରେ ବୃଦ୍ଧା ମାଆ ଓ ଝିଅଙ୍କ ନିଆଁରେ ପୋଡି ହୋଇ ସନ୍ଦେହଜନକ ମୃତ୍ୟୁ ହେବା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା । ଏହା କୌଣସି ଅଗ୍ନିକାଣ୍ଡ ଜନିତ ଅଘଟଣ ନୁହେଁ ବରଂ ଏକ ଯୋଜନାବଦ୍ଧ ଡବଲ ମର୍ଡର । ପରେ ଏହାକୁ ଅଘଟଣର ରୂପ ଦେବାକୁ କରାଯାଇଥିଲା ସୁପରିକଳ୍ପିତ ଷଡଯନ୍ତ୍ର । ବୃଦ୍ଧା ମହିଳା ଓ ତାଙ୍କ ଝିଅଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଛନ୍ତି ଖୋଦ ବୃଦ୍ଧାଙ୍କ ପୁଅ ଓ ନାତି ।
ହତ୍ୟାକାଣ୍ଡ ପରେ ଏହାକୁ ଅଘଟଣ ରୂପ ଦେବା ପାଇଁ ଉଭୟ ମୃତଦେହରେ ପେଟ୍ରୋଲ ଢାଳି ପୋଡିଥିଲେ ଉଭୟ ଅଭିଯୁକ୍ତ ବାପା-ପୁଅ । ହତ୍ୟାକାଣ୍ଡ ପଛରେ ରହିଛି ସମ୍ପତ୍ତି ଓ ଜମିବାଡି କାରଣ । ଗତକାଲିଠାରୁ ସମ୍ବଲପୁର ସଦର ପୋଲିସ ମାମଲାର ଛାନଭିନ ଜାରି ରଖିଥିବା ବେଳେ ମାମଲାର ଫର୍ଦ୍ଦାଫାସ କରିଛି । ଉଭୟ ଅଭିଯୁକ୍ତ ପୁଅ ଓ ନାତିକୁ ଗିରଫ କରାଯାଇଥିବା ନିଜେ ସଦର ‘ଏସଡିପିଓ’ ସ୍ପଷ୍ଟ କରିଛନ୍ତି ।
- ଶ୍ବାସରୁଦ୍ଧ କରି ମାରିଥିଲେ ପୁଅ-ନାତି, ପେଟ୍ରୋଲ ଢାଳି ଜାଳିଥିଲେ: ପୋଲିସ
SDPO ତୁଫାନ ବାଗ ଗଣମାଧ୍ୟମକୁ କହିଛନ୍ତି, ‘‘ପୋଲିସ ଖବର ପାଇ ଉଭୟ ମୃତଦେହ ଜବତ କରି ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରେ ମୃତ ବୃଦ୍ଧାଙ୍କ ଝିଅଙ୍କ ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ସନ୍ଦେହଜନକ ଭୂମିକାରେ ଥିବା ବାପ-ପୁଅଙ୍କୁ ଜେରା କରାଯାଇଥିଲା । ଅଭିଯୁକ୍ତ ହେଲେ ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦୀକ୍ଷିତ ଓ ତାଙ୍କ ପୁଅ ସଙ୍କେତ ଦୀକ୍ଷିତ । ଦୁଇଟି ଟିମ୍ ସମସ୍ତ ଦିଗରୁ ତଦନ୍ତ କରି ଏହି ଖୁଲାସା କରିଛି । ବାପ ଓ ପୁଅ ହିଁ ଶ୍ୱାସରୁଦ୍ଧ କରି ଉଭୟଙ୍କୁ ହତ୍ୟା କରିଥିଲେ । ପରେ ଏହାକୁ ଦୁର୍ଘଟଣା ରୂପ ଦେବା ପାଇଁ ପେଟ୍ରୋଲ ଢାଳି ଉଭୟ ମୃତଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କ ପରିବାରରେ ଜମିବାଡି ବିବାଦ ରହିଛି ଓ ସେହି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ । ଘଟଣାର ଅଧିକ ତଦନ୍ତ ଜାରି ରହିଛି । ’’