ନିମାପଡ଼ା: ନୂଆବର୍ଷ ସ୍ବାଗତ କରିବାକୁ ସମସ୍ତେ ପାଳନ କରିଛନ୍ତି ଜିରୋ ନାଇଟ୍ । ହେଲେ ପ୍ରତିଦିନ ସମସ୍ତଙ୍କ ସେବାରେ ଲାଗିଥିବା ସଫେଇ କର୍ମଚାରୀଙ୍କ କଥା କେବେ ଭାବିଛନ୍ତି ? ବର୍ଷର ଶେଷ ଦିନ ହେଉ କି ନୂଆବର୍ଷର ଆରମ୍ଭ । ସବୁଦିନ ସେମାନଙ୍କ ପାଇଁ ସମାନ । ଅନବରତ ନିଜ କାର୍ଯ୍ୟରେ ଲାଗି ଥାଆନ୍ତି ସେମାନେ ।
ଜିରୋ ନାଇଟ୍ ସେଲିବ୍ରେସନ ସାତ ସପନ:
୩୧ ଡିସେମ୍ବର ଜିରୋ ନାଇଟ୍ ସେଲିବ୍ରେସନ ପରେ ଇଂରାଜୀ ନବବର୍ଷ ପାଳନ କରୁଥିବାବେଳେ ସ୍ବଚ୍ଛତା କରୁଥିବା ସଫେଇ କର୍ମଚାରୀ ଝାଡୁଦାରଙ୍କ ପାଇଁ ନବବର୍ଷ ସାତ ସପନ ହୋଇଛି । କିପରି ପରିବେଶ ସୁରକ୍ଷା ରହିବ, ଚନ୍ଦ୍ରଭାଗା, କୋଣାର୍କ ସୂର୍ଯ୍ୟ ମନ୍ଦିର ସମୁଖ ସଫା ସୁତୁରା ରହିବ ସେଥିପାଇଁ ରାତି ଅଧରୁ ହାତରେ ସାଇକେଲ ଧରି କୋଣାର୍କ ବଜାର ସଫା କରିବାକୁ ଧାଇଁ ଆସିଛନ୍ତି ସଫେଇ କର୍ମଚାରୀ । ଖରା, ବର୍ଷା, ଶୀତକୁ ଖାତିର ନକରି ବର୍ଷତମାମ କୋଣାର୍କ ଅଞ୍ଚଳ ସ୍ବଚ୍ଛତା କରି ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରୁଛନ୍ତି । ଅଧରାତିରୁ ବାହାରି ଆସି କୋଣାର୍କ ସୂର୍ଯ୍ୟ ମନ୍ଦିର ସହ ବଜାର ପରିଷ୍କାର ପରିଚ୍ଛନ୍ନ କରି କୋଣାର୍କକୁ ଆହୁରି ସୁନ୍ଦର କରିବାକୁ ଲାଗିପଡିଛନ୍ତି ।
ନୂଆବର୍ଷ ପାଳନ କରିବାକୁ ଯାଇ କିଏ ପରିବାର ସହ ବଣଭୋଜି କରୁଛନ୍ତି ତ କିଏ ସାଙ୍ଗସାଥୀଙ୍କ ସହ ନାଚଗୀତରେ ଝୁମୁଛନ୍ତି । ହେଲେ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ରାସ୍ତା, ମନ୍ଦିର, ଦୋକାନ ବଜାର ସମ୍ମୁଖ ଅଳିଆ ଆବର୍ଜ୍ଜନା ସଫାକରି ଦେଉଥିବା ବ୍ୟକ୍ତିଙ୍କ ପାଇଁ ସେଲିବ୍ରେସନ ଫିକା ପଡିଛି । ସମସ୍ତେ ରାତିରେ ଶୋଇଗଲା ପରେ ଝାଡୁ ଖଣ୍ଡେ ଧରି ହାତରେ ଅଳିଆ ଆର୍ବଜନା ସଫା କରୁଥିବା ଲୋକଟି ସତେ ଯେମିତି ନିଜ ଖୁସି ଭୁଲିଯାଇଛି । କାରଣ ସେ ଯାଣିଛି କାମକୁ ନ ଆସିଲେ ଘରେ ଚୁଲି ଜଳିବ ନାହିଁ । ତେଣୁ ସମସ୍ତେ ନବବର୍ଷ ପାଳୁଥିବାବେଳେ ଝାଡୁମାରି ରାସ୍ତା ସଫେଇ କରୁଛନ୍ତି ସଫେଇ କର୍ମଚାରୀ । ଯେଉଁ ଦିନ କାମକୁ ଆସିବ ନାହିଁ ସେଦିନ ତାର ଦରମା ନାହିଁ କି ଘରେ ଚୁଲି ଜଳିବ ନାହିଁ ।
ଏହା ବି ପଢନ୍ତୁ...ଦୁର୍ଗନ୍ଧରେ ନାକ ଫାଟୁଛି; କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ - Sanitation worker protest ଏହା ବି ପଢନ୍ତୁ...ବିଦାୟ ନେଲା 2024, ଜିରୋ-ନାଇଟ ସେଲିବ୍ରେସନରେ ଝୁମିଲା ରାଜଧାନୀ |
'କାମକୁ ନ ଆସିଲେ ଦରମା ବନ୍ଦ'
ନୂଆବର୍ଷ ପାଳନ ନେଇ ସଫେଇ କର୍ମଚାରୀମାନେ ପ୍ରତିକ୍ରିୟା ରଖି କହିଛନ୍ତି । ପାଳନ କରିବାକୁ ଇଚ୍ଛା ଥିଲେ ବି କାମକୁ ଆସିବାକୁ ପଡେ । ନଚେତ କିଏ ସଫେଇ କରିବ? ଟଙ୍କା ଆସିବ କେଉଁଠୁ ? ଯେଉଁଦିନ କାମକୁ ନ ଆସିବୁ ସେଦିନ ଦରମା ନାହିଁ । ସରକାର ଯଦି ଆମର ଦରମା ଆଉ ଟିକେ ବଢାଇ ଦିଅନ୍ତେ ପରିବାର ଚଳାଇବାକୁ ସହାୟକ ହୁଅନ୍ତା । କୋଣାର୍କ NAC ସଫେଇ କର୍ମଚାରୀଙ୍କ ସୁପରଭାଇଜର ପଞ୍ଚାନନ ଲେଙ୍କା କହିଛନ୍ତି, "ଏମାନେ ଠିକାଦାର ମାଧ୍ୟମରେ କାମ କରୁଛନ୍ତି । କାମକୁ ଆସିଲେ ଟଙ୍କା ଦିଆଯିବ ନ ଆସିଲେ ସେମାନଙ୍କୁ ଟଙ୍କା ମିଳୁନାହିଁ । ସରକାର ଏମାନଙ୍କୁ ସବୁଦିନ ପାଇଁ ସରକାରୀ ଚାକିରି କରାଇଦେବା ସହ ଦରମା ବୃଦ୍ଧି କଲେ ଉପକୃତ ହୋଇପାରିବେ।"
ଇଟିଭି ଭାରତ, କୋଣାର୍କ