ଓଡିଶା

odisha

ETV Bharat / state

ମଣପୁରମ ସୁନା ଡକାୟତି, ଆସାମରୁ ମାଷ୍ଟରମାଇଣ୍ଡ ଗିରଫ - MANAPPURAM ROBBERY

ମଣପୁରମ ଗୋଲ୍ଡ ଫାଇନାନ୍ସ ସୁନା ଡକାୟତି ମାମଲାରେ ପୋଲିସ ଜାଲରେ ମୁଖ୍ୟ ଅଭିଯୁକ୍ତ । ଆସାମରୁ ଗିରଫ କଲା ସମ୍ବଲପୁର ପୋଲିସ ।

ଆସାମରୁ ଗିରଫ ହେଲା ମଣପୁରମ ସୁନା ଡକାୟତିର ମାଷ୍ଟ୍ରମାଇଣ୍ଡ
ଆସାମରୁ ଗିରଫ ହେଲା ମଣପୁରମ ସୁନା ଡକାୟତିର ମାଷ୍ଟ୍ରମାଇଣ୍ଡ (ETV Bharat Odisha)

By ETV Bharat Odisha Team

Published : Feb 6, 2025, 11:39 AM IST

ସମ୍ବଲପୁର: ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ‘ମଣପୁରମ ଗୋଲ୍ଡ ଫାଇନାନ୍ସ ଲିମିଟେଡ଼’ରୁ ସୁନା ଡକାୟତି ଘଟଣାରେ ଆସାମରୁ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ । ତାର ନାମ ଉତ୍ତମ ପାଶୱାନ ଓ ସେ ହିଁ ମାମଲାର ମୁଖ୍ୟ ଅଭିଯୁକ୍ତ । ତାକୁ ଗୌହାଟୀରୁ ଓଡିଶା ପୋଲିସ ଗିରଫ କରିଥିବା ଉତ୍ତରାଞ୍ଚଳ ଆଇଜି ହିଂମାଶୁ ଲାଲ ସ୍ପଷ୍ଟ କରିଛନ୍ତି । ଗତକାଲି ତାକୁ ଗିରଫ ପରେ ଆଜି କୋର୍ଟ ଚାଲାଣ କରାଯାଇଛି । ତାକୁ ରିମାଣ୍ଡରେ ନେଇ ଅଧିକ ଜେରା କରିବାକୁ ପୋଲିସ ଶୁଣାଣିରେ ଆବେଦନ କରିବ ବୋଲି ମଧ୍ୟ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି ।

  • 7 ଦିନିଆ ରିମାଣ୍ଡରେ ନେବ ପୋଲିସ

ଆଇଜି ହିମାଂଶୁ ଲାଲକହିଛନ୍ତି,‘‘ ଉତ୍ତମ ପାଶୱାନ ହିଁ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ । ତାକୁ ଆସାମର ଗୌହାଟୀରୁ ଗିରଫ କରାଯାଇଛି । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । 7 ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିବୁ । ସମସ୍ତ ଦିଗରୁ ତଦନ୍ତ କରାଯାଉଛି । ମାମଲାରେ ଆଉ କିଛି ଦୃର୍ବୃତ୍ତ ସମ୍ପୃକ୍ତ ଥାଇପାରନ୍ତି । ତାକୁ ରିମାଣ୍ଡରେ ଆଣି ଜେରା କରିବା ପରେ ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ଜଣାପଡ଼ିବ ।’’

ଆସାମରୁ ଗିରଫ ହେଲା ମଣପୁରମ ସୁନା ଡକାୟତିର ମାଷ୍ଟ୍ରମାଇଣ୍ଡ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-

ମଣପୁରମ ଡକାୟତି ମାମଲା; ୨ ଅଭିଯୁକ୍ତ ଗିରଫ, ଜଣକୁ ୩ ଦିନିଆ ରିମାଣ୍ଡରେ ନେଲା ପୋଲିସ - MANPURAM OFFICE ARMED ROBBERY

  • ମାସେ ପରେ ଗିରଫ ହେଲା ମୁଖ୍ୟ ଅଭିଯୁକ୍ତ:-

ଗତମାସ (ଜାନୁଆରୀ) 3 ତାରିଖରେ ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ମଣପୁରମ ଗୋଲ୍ଡ ଫାଇନାନ୍ସ ଲିମିଟେଡରୁ ଏହି ଡକାୟତି ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ଉତ୍ତମ ଡକାୟତି ଦିନ ନିଜେ ସୁନା ଭର୍ତ୍ତି ବ୍ୟାଗ ଧରି ପ୍ରଥମ ମହଲାରୁ ତଳକୁ ଡେଇଁ ମୋଟର ସାଇକେଲ୍‌ରେ ଫେରାର ହୋଇଯାଇଥିଲା । ଏଥିରେ 5 ରୁ 6 ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଥିବା ଓ ସେମାନେ ସମସ୍ତେ ବାହାର ରାଜ୍ୟର ଅପରାଧୀ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଅନୁସାରେ, ଚର୍ଚ୍ଚା ହୋଇଥିଲା । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଫୁଟେଜ ସଂଗ୍ରହ କରି ଯାଞ୍ଚ କରି ଅଇଁଠାପାଲ୍ଲୀ ପୋଲିସ ଜଣେ ପରେ ଜଣେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିଥିଲା । ଏବେ ଏହି ମାମଲାରେ ଗିରଫଦାରୀ 3ରେ ପହଞ୍ଚିଛି ।

ଆସାମରୁ ଗିରଫ ହେଲା ମଣପୁରମ ସୁନା ଡକାୟତିର ମାଷ୍ଟ୍ରମାଇଣ୍ଡ (ETV Bharat Odisha)
  • ପୂର୍ବରୁ ଗିରଫ ହୋଇଥିଲେ ୨

ଏହି ମାମଲାରେ ଗତମାସ (ଜାନୁଆରୀ) 17 ତାରିଖରେ ସମ୍ବଲପୁର ପୋଲିସ ଟିମ୍‌ ବିହାର ହାଜିପୁରରୁ ଦୁଇ ଅଭିଯୁକ୍ତ ପଙ୍କଜ ପାଶଓ୍ବାନ ଓ ଅଜୟ ପାଶଓ୍ବାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ସେମାନଙ୍କୁ ସମ୍ବଲପୁର ଅଣାଯାଇ କୋର୍ଟ ଚାଲାଣ କରାଯାଇଥିଲା । ମାତ୍ର ମୁଖ୍ୟ ଅଭିଯୁକ୍ତ ଉତ୍ତମ ପାଶଓ୍ବାନ ବିହାର ପରିବର୍ତ୍ତେ ଅନ୍ୟତ୍ର ଫେରାର ମାରିଥିଲା । ପରେ ସେ ଆସାମର ଗୌହାଟୀରେ ଆତ୍ମଗୋପନ କରିଥିବା ଇନପୁଟ ସୂଚନା ମିଳିବା ପରେ ସମ୍ବଲପୁର ପୋଲିସର ଏକ ସ୍ବତନ୍ତ୍ର ଟିମ ଆସାମ ଅଭିମୁଖେ ବାହାରିଥିଲେ । ଏବେ ମୁଖ୍ୟ ଅଭିଯୁକ୍ତ ସମେତ ଘଟଣାରେ ଗିରଫଦାରୀ ସଂଖ୍ୟା 3କୁ ବୃଦ୍ଧି ପାଇଛି । ଅନ୍ୟ କିଛି ସମ୍ପୃକ୍ତ ଥିବା ନେଇ ପୋଲିସ ସନ୍ଦେହ କରୁଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details