ରାଉରକେଲା: ବିଳମ୍ବିତ ରାତିରେ ଚର୍ଚ୍ଚରୁ ଡକାୟତି । ଦୁଇ ଫାଦରଙ୍କୁ ମାଡ଼ ମାରି ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଡକାୟତି ଗ୍ୟାଙ୍ଗ । ଆହତ ଅବସ୍ଥାରେ ଦୁଇ ଫାଦର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ପୋଲିସର ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ, ରାଉରକେଲା ଉପକଣ୍ଠ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ବିରକେରାର ଝରାବାହାଲସ୍ଥିତ ଏକ ଚର୍ଚ୍ଚରେ ଏହି ସଶସ୍ତ୍ର ଡକାୟତି ହୋଇଛି । ପ୍ରାୟ ୧୦ ଜଣ ଦୁର୍ବୃତ୍ତ ତାଲାଭାଙ୍ଗି ଦୁଇ ଜଣ ଫାଦରଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ୧୦ ଲକ୍ଷ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ବିରକେରା ନିକଟସ୍ଥ ଝରାବାହାଲସ୍ଥିତ GEL ଚର୍ଚ୍ଚ ପରିସରରେ ଏକ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ରହିଛି ।
ଚର୍ଚ୍ଚ ପରିସରରେ ଫାଦର ନାରିଏଲ ବିଲୁଙ୍ଗ ଏବଂ ଏଲୋଇସ ଖାଲଖୋ ରହୁଥିବାବେଳେ ଏଭଳି ଡକାୟତି ହୋଇଛି । ବର୍ତ୍ତମାନ ସ୍କୁଲରେ ପିଲାଙ୍କ ନାମଲେଖା ଚାଲିଥିବାବେଳେ ଚର୍ଚ୍ଚ ପରିଚାଳନା ପାଇଁ ମଧ୍ୟ ଅର୍ଥ ଆସିଥିଲା ବୋଲି କହିଛନ୍ତି ଫାଦର । ଦୁଇ ଫାଦରଙ୍କ ଅଭିଯୋଗ ଅନୁସାରେ, "ବିଳମ୍ବିତ ରାତି ପ୍ରାୟ ୨ ଟାରୁ ସାଢ଼େ ୨ ଟା ମଧ୍ୟରେ ଚର୍ଚ୍ଚ ମୁଖ୍ୟ ଫାଟକ ତାଲା ଭାଙ୍ଗି ସେମାନେ ପଶିଥିଲେ ପ୍ରାୟ ୧୦ ଜଣ ଦୁର୍ବୃତ୍ତ । ସମସ୍ତ ଦୁର୍ବୃତ୍ତମାନେ ମୁହଁରେ ମୁଖା ପିନ୍ଧିଥିଲେ ଏବଂ ଲୁଟ କରିଥିଲେ । ତେବେ ସେମାନେ ହିନ୍ଦୀ ଏବଂ ସାଦ୍ରି ଭାଷାରେ କଥା ହେଉଥିଲେ । ସେମାନଙ୍କ ହାତରେ ଭୁଜାଲି, ହକିଷ୍ଟିକ୍ ଏବଂ ଲୁହା ରଡ୍ ଥିଲା ।" ଦୁର୍ବୃତ୍ତମାନେ ଦୁଇ ଫାଦରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ରଶିରେ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଛି ।