କୋରାପୁଟ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ପ୍ରସ୍ତୁତି ଜୋରଦାର ରହିଛି । ନିର୍ବାଚନ ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କୋରାପୁଟ ଗସ୍ତ କରିଛନ୍ତି । ତେବେ ଚଳିତ ନିର୍ବାଚନରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ 30 କମ୍ପାନୀ ସିଆରପିଏଫ ମୁତୟନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି l କୋଟିଆରେ ବିଗତ ଦିନରେ ଏକା ଦିନରେ ଓ ସମାନ୍ତରାଳ ଭାବେ ଓଡିଶା ଓ ଆନ୍ଧ୍ରପ୍ରଦେଶ ଦ୍ୱାରା ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ଯୋଗୁଁ ଚଳିତ ନିର୍ବାଚନରେ ମଧ୍ୟ କୋଟିଆକୁ ନେଇ କୌଣସି ସମସ୍ୟା ଦେଖାଯିବ ନାହିଁ ବୋଲି ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି ।
ସୀମାନ୍ତ ଅଞ୍ଚଳରେ ଭୋଟ ଗ୍ରହଣକୁ ସୁଚାରୁ ରୂପେ ସମାପନ କରାଯିବା ନେଇ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ପ୍ରାଥମିକତା ଦିଆଯାଇଛି । ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ହେବା ନେଇ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତ କରାଯାଇଛି । ତେବେ ପ୍ରସ୍ତୁତିର ସମୀକ୍ଷା କରିବାକୁ କୋରାପୁଟ ଜିଲ୍ଲା ଗସ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
ଏହାମଧ୍ୟ ପଢନ୍ତୁ.. ଆଗାମୀ ନିର୍ବାଚନକୁ ନେଇ ଜିଲ୍ଲା ପୋଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ - Election Preparations
ଜିଲ୍ଲାର ସଦଭାବନା ସଭାଗୃହ ଠାରେ 4ଟି ଜିଲ୍ଲାର ନିର୍ବାଚନ ପ୍ରସ୍ତୁତି ସ୍ଥିତିନେଇ ସମୀକ୍ଷା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଜିଲ୍ଲାପାଳଙ୍କ ସହ 14ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣଂ ଅଧିକାରୀଙ୍କୁ ନେଇ ବୈଠକ କରିଥିଲେ l ପରେ ଅତିରିକ୍ତ ଡିଜି ସଂଜୟ କୁମାର ,ଡିଆଇଜି ଚରଣ ସିଂ ମୀନାଙ୍କ ଉପସ୍ଥିତିରେ 4 ଟି ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କୁ ନେଇ ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଥିଲେ ।
ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ମାଲକାନଗିରି ଜିଲ୍ଲାରେ 16 କମ୍ପାନୀ ,କୋରାପୁଟ ଜିଲ୍ଲାରେ 8 କମ୍ପାନୀ, ନବରଙ୍ଗପୁର ଜିଲ୍ଲାର 3 କମ୍ପାନୀ ଓ ରାୟଗଡା ଜିଲ୍ଲାରେ 3 କମ୍ପାନି ସିଆରପିଏଫ ମୁତୟନ କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଆଉମଧ୍ୟ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିବାର ପ୍ରମାଣ ମିଳିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଇଓ । ଆଉ ମଧ୍ୟ କୋରାପୁଟରେ ନିର୍ବାଚନ ଉପରେ ନକ୍ସଲବାଦର କୌଣସି ପ୍ରଭାବ ପଡିବନାହିଁ ବୋଲି କହିଛନ୍ତି ସିଇଓ । ଅନ୍ୟପଟେ କୋରାପୁଟ ସରକାରୀ ମହାବିଦ୍ୟାଳୟକୁ ଗସ୍ତ କରି କୋରାପୁଟ ଜିଲ୍ଲାର 3ଟି ବିଧାନସଭା ଆସନର ହେବାକୁ ଥିବା ଭୋଟ ଗଣତି କେନ୍ଦ୍ର ଅନୁଧ୍ୟାନ କରିଥିଲେ ।
ଇଟିଭି ଭାରତ, କୋରାପୁଟ