ଓଡିଶା

odisha

ETV Bharat / state

ବାତ୍ୟା କ୍ଷୟକ୍ଷତିର ଆସିଲା ଚୂଡାନ୍ତ ରିପୋର୍ଟ, 'ପ୍ରଭାବିତଙ୍କୁ ଖୁବଶୀଘ୍ର ମିଳିବ କ୍ଷତିପୂରଣ'

ବାତ୍ୟାର କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଦେଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । 616 କୋଟି 19 ଲକ୍ଷ 30 ହଜାର ଟଙ୍କାର କ୍ଷତି ହୋଇଥିବା ସୂଚନା।

CYCLONE DAMAGE REPORT
CYCLONE DAMAGE REPORT (ETV Bharat Odisha)

By ETV Bharat Odisha Team

Published : Nov 5, 2024, 10:35 PM IST

ଭୁବନେଶ୍ବର:ବାତ୍ୟା ଦାନାର କ୍ଷୟକ୍ଷତିର ଚୂଡାନ୍ତ ରିପୋର୍ଟ ଦେଲେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ବାତ୍ୟା ପ୍ରଭାବରେ 616 କୋଟି 19 ଲକ୍ଷ 30 ହଜାର ଟଙ୍କାର କ୍ଷତି ହୋଇଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ । 14 ଜିଲ୍ଲାର 166 ବ୍ଲକ ଭିତରୁ 131 ପ୍ରଭାବିତ ହୋଇଥିଲା । 11 ହଜାର 637 ଗାଁ ପ୍ରଭାବିତ ହୋଇଛି । 41 ଲକ୍ଷ 4 ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ 3,62,935.37 ହେକ୍ଟର ଜମି ପ୍ରଭାବିତ ହୋଇଛି । ଫସଲ ପ୍ରଭାବିତ ଅଞ୍ଚଳ 1,72,356.81 ହେକ୍ଟର ଜମି । 8,292.82 ଲକ୍ଷ ଫସଲ ହେକ୍ଟର ଜମିରେ ଫସଲ କ୍ଷତିଗ୍ରସ୍ତ ହୋଇଛି ।

CYCLONE DAMAGE REPORT (ETV Bharat Odisha)

'616 କୋଟିର କ୍ଷତି ହୋଇଛି '

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି," 33 ପ୍ରତିଶତରୁ ଅଧିକ କ୍ଷତି ହୋଇଥିଲେ କ୍ଷତି ପୂରଣ ଇନପୁଟ ସବସିଡି ଭିତରକୁ ଆସିବ । 87855.47 ହେକ୍ଟର ଜମିରେ 33 ପ୍ରତିଶତ ଫସଲ ନଷ୍ଟ ହୋଇଛି । 82 କୋଟି 92 ଲକ୍ଷ 82 ହଜାର ଟଙ୍କାର ଫସଲ ନଷ୍ଟ । 16417 ଘର ଆଂଶିକ ବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିଲା । 21 କୋଟି 32 ଲକ୍ଷ ଟଙ୍କାର ଘର କ୍ଷତି ହୋଇଛି । କୃଷି, ଶକ୍ତି, ପଞ୍ଚାୟତିରାଜ, ସ୍କୁଲ ଏବଂ ଗଣଶିକ୍ଷା ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ, ପାନୀୟ ଜଳ ବିଭାଗର କ୍ଷତି ହୋଇଛି । ଏହି ସବୁ ବିଭାଗରେ 512 କୋଟି 26 ଲକ୍ଷ 16 ହାଜର ଟଙ୍କା କ୍ଷତି ହୋଇଛି । ବାତ୍ୟା ସମୟରେ ରିଲିଫ, ଖାଇବା, ମେଡିକାଲ ସେବା ଓ ଅନ୍ୟ ଆନୁଷଙ୍ଗିକ କାର୍ଯ୍ୟ ପାଇଁ 23 କୋଟି 73 ଲକ୍ଷ 76 ହଜାର ଟଙ୍କା ଖର୍ଚ୍ଚ ହୋଇଛି । ମୋଟ 616 କୋଟି 19 ଲକ୍ଷ 30 ହାଜର ଟଙ୍କା କ୍ଷତି ହୋଇଛି ।"

14ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି :

ସେ ଆହୁରି ମଧ୍ୟ କହିଛନ୍ତି," ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦିନେ ଦୁଇ ଦିନ ଭିତରେ ଜିଲ୍ଲାଗୁଡ଼ିକୁ ଯିବ କ୍ଷତି ପୂରଣ ରାଶି । ପ୍ରଭାବିତ ଲୋକଙ୍କୁ କ୍ଷତିପୂରଣ ରାଶି ତୁରନ୍ତ ଦେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଭାଗମାନଙ୍କୁ ମଧ୍ୟ କ୍ଷତି ପୂରଣ ରାଶି ଦିଆଯିବ । ବାତ୍ୟା ଦାନାର ପ୍ରଭାବରେ ଉପକୂଳ 14 ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କୃଷି ,ଶକ୍ତି ,ପଞ୍ଚାୟତିରାଜ ଏବଂ ପାନୀୟ ଜଳ ,ଗ୍ରାମ୍ୟ ଉନ୍ନୟନ ,ସ୍କୁଲ ଏବଂ ଗଣଶିକ୍ଷା ବିଭାଗର ବିପୁଳ ସମ୍ପତି କ୍ଷତି ହୋଇଛି । ବାତ୍ୟା ଦାନାର ପରବର୍ତ୍ତୀ ପର୍ଯ୍ୟାୟରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ୟାକୁ ଦୁଇ ଗୁଣିତ କରିଥିଲା । "

'ଖୁବଶୀଘ୍ର ସହାୟତା ରାଶି ପାଇପାରିବେ ':

"ବାତ୍ୟା ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବାତ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଥିଲେ । ପାରାଦ୍ୱୀପ, ମହାକାଳପଡା, ରାଜନଗର, ରାଜକନିକା, ଓ ଚାନ୍ଦବାଲି, ବାଲେଶ୍ୱର, ଭଦ୍ରକ ପ୍ରଭୃତି ଅଞ୍ଚଳର ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଏରିଆଲ ସର୍ଭେ ସାରି ଫେରିବା ପରେ ବାତ୍ୟାରେ ପ୍ରଭାବିତ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ନଭେମ୍ବର, ୨ ତାରିଖ ମଧ୍ୟରେ ସବୁ ବିଭାଗ ତାଙ୍କର କ୍ଷୟକ୍ଷତି ରିପୋର୍ଟ ଦାଖଲ କରିବାକୁ । ଯଦ୍ୱାରା କ୍ଷୟକ୍ଷତିର ସମ୍ମୁଖୀନ ହୋଇଥିବା ଜନସାଧାରଣ ଖୁବଶୀଘ୍ର ସହାୟତା ରାଶି ପାଇପାରିବେ" ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି:


ସୂଚନା ଥାଉ କି, ବାତ୍ୟା ଦାନାରେ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ୬୨୧୦ଟି ଆଶ୍ରୟସ୍ଥଳୀରେ ୮ ଲକ୍ଷରୁ ଅଧିକ ଲୋକ ଆଶ୍ରୟ ନେଇଥିଲେ । ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଥିତି ସ୍ୱାଭାବିକ ହେବା ପରେ ସମସ୍ତେ ନିଜ ନିଜ ଘରକୁ ଫେରିଥିଲେ । ବାତ୍ୟାର ପ୍ରଭାବରେ ବିଦ୍ୟୁତ୍ ବିଭାଗର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ପ୍ରାୟ ୨୨ ଲକ୍ଷ ୮୪ ହଜାର ଉପଭୋକ୍ତା ପ୍ରଭାବିତ ହୋଇଥିଲେ । ସରକାର ବିଦ୍ୟୁତ୍ ରେଷ୍ଟରସନ ଅଗ୍ରାଧିକାର ଭିତ୍ତିରେ ସମାପନ କରିଥିଲେ । ୭ ହଜାରରୁ ଅଧିକ କର୍ମଚାରୀ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ କରିବା ପାଇଁ ନିୟୋଜିତ ହୋଇଥିଲେ ।

କେଉଁ କେଉଁ ଜିଲ୍ଲା ପ୍ରଭାବିତ ହୋଇଥିଲା ?

କୃଷି କ୍ଷେତ୍ରରେ କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାର ୧୨ଟି ବ୍ଲକର ୮୮୦ଟି ଗ୍ରାମ ପଞ୍ଚାୟତ ଓ ୪୧୦୦ଟି ଗ୍ରାମରେ ପ୍ରାୟ ୨ ଲକ୍ଷ ୨୧ ହଜାର ୮୦୦ ଏକର ଚାଷ ଜମିରେ ଫସଲ କ୍ଷତି ହୋଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୩୩୫ଟି ଡାକ୍ତରୀ ଦଳ ନିୟୋଜିତ ହୋଇଥିଲେ । ସମୁଦାୟ ୪୮୭୧ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ଓ ମାଆ ଗୃହକୁ ଅଣାଯାଇଥିଲା । ସେଠାରେ ଏହି ସମୟରେ ୨୫୨୯ ଜଣ ଶିଶୁ ଜନ୍ମ ଗ୍ରହଣ କରିଛନ୍ତି ।

ଅଗ୍ନିଶମ ବିଭାଗକୁ କେତେ ଫୋନ୍ କଲ୍ ଆସିଥିଲା ?


ପ୍ରଭାବିତ ଅଞ୍ଚଳର ମ୍ୟୁନସିପାଲଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକରେ ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅଣପ୍ରଭାବିତ ଅଞ୍ଚଳରୁ ସଫେଇ କର୍ମଚାରୀ ଆଣି ରାସ୍ତାଘାଟ ପରିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର ।ବିଭିନ୍ନ ସ୍ଥାନରେ ଲୋକଙ୍କ ଘରେ ବାତ୍ୟା ଦ୍ୱାରା ଗଛ ଭାଙ୍ଗି ପଡିଥିବାରୁ ଅଗ୍ନିଶମ ବିଭାଗକୁ ପ୍ରାୟ ୬ ହଜାର ଫୋନ୍ କଲ୍ ଆସିଥିଲା । ଏହା ଉପରେ ଅଗ୍ନିଶମ ବାହିନୀ ତୁରନ୍ତ ପଦକ୍ଷେପ ନେଇଥିଲା ।

ଏହା ମଧ୍ୟ ପଢନ୍ତୁ...୨୧ରୁ ବରଗଡ଼ରୁ ଧାନ କିଣା, ବର୍ଦ୍ଧିତ MSP ସହ ବୋନସ ଦେବେ ମୋହନ ମାଝୀ ସରକାର

ଏହା ମଧ୍ୟ ପଢନ୍ତୁ...ବାତ୍ୟା 'ଦାନା'ରେ ୧୪ ଜିଲ୍ଲାର ୧୬୬ ବ୍ଲକ କ୍ଷତିଗ୍ରସ୍ତ, ୬୦୦ କୋଟିର କ୍ଷତି, ଆସିଲା ପ୍ରାଥମିକ ରିପୋର୍ଟ

ଏହା ମଧ୍ୟ ପଢନ୍ତୁ...‘କେନ୍ଦ୍ରୀୟ ଟିମ ଆସିବା ପୂର୍ବରୁ କେନ୍ଦ୍ରକୁ ପଠାଯିବ ପ୍ରାଥମିକ କ୍ଷୟକ୍ଷତି ରିପୋର୍ଟ ’


ଜିରୋ କାଜୁଆଲଟି:
ବାତ୍ୟା ସମୟରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ପରିମାଣର NDRF ଟିମ୍ ପଠାଇଥିଲେ । ଲୋକଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କ ଭୂମିକା ଖୁବ୍ ସହାୟକ ହୋଇଛି । ବାତ୍ୟା ମୁକାବିଲା ପାଇଁ ୨୧ ତାରିଖରୁ ସମୀକ୍ଷା ଆରମ୍ଭ କରିଥିଲେ ଖୋଦ ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଏବଂ ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ । ବାତ୍ୟା ପରିଚାଳନାରେ ସରକାରୀ କଳର ତତ୍ପରତା ଥିବାରୁ ଜିରୋ କାଜୁଆଲଟି ହୋଇ ପାରିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details