ଓଡିଶା

odisha

ETV Bharat / state

17ରୁ ରତ୍ନଭଣ୍ଡାର ମରାମତି, ବାହାର କାଠରୁ ଦର୍ଶନ କରିବେ ଭକ୍ତ - PURI JAGANNATH TEMPLE RATNA BHANDAR

ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି । ମରାମତି ସାରିବାକୁ 3 ମାସ ସମୟ ଧାର୍ଯ୍ୟ କରିଛି ‘ଏଏସଆଇ’ । ପ୍ରଭାବିତ ହେବନି, ନୀତିକାନ୍ତି ଓ ଦର୍ଶନ ।

17ରୁ ରତ୍ନଭଣ୍ଡାର ମରାମତି, ବାହାର କାଠରୁ ଦର୍ଶନ କରିବେ ଭକ୍ତ
17ରୁ ରତ୍ନଭଣ୍ଡାର ମରାମତି, ବାହାର କାଠରୁ ଦର୍ଶନ କରିବେ ଭକ୍ତ (ETV Bharat odisha)

By ETV Bharat Odisha Team

Published : Dec 11, 2024, 8:49 AM IST

Updated : Dec 11, 2024, 3:09 PM IST

ପୁରୀ:ଚଳିତମାସ 17 ତାରିଖରୁ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଭାରତୀୟ ପ୍ରତ୍ନତାତ୍ତ୍ବିକ ବିଭାଗର ଉଚ୍ଚସ୍ତରୀୟ ବିଶେଷଜ୍ଞଙ୍କ ଦ୍ବାରା ଏହି ମରାମତି କାର୍ଯ୍ୟ ହେବ । ଏହି ସମୟରେ ବାହାରକାଠରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଗତକାଲି (ବୁଧବାର) ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏ ସମ୍ପର୍କିତ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଅଧ୍ୟକ୍ଷତା କରିଥିବା ବେଳେ ଛତିଶା ନିଯୋଗ ପ୍ରତିନିଧି, ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

17ରୁ ରତ୍ନଭଣ୍ଡାର ମରାମତି, ବାହାର କାଠରୁ ଦର୍ଶନ କରିବେ ଭକ୍ତ (ETV Bharat odisha)
  • ଅପରାହ୍ନ 1ରୁ ସଂଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ ମରାମତି କାର୍ଯ୍ୟ:- ମୁଖ୍ୟ ପ୍ରଶାସକ

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହି ବୈଠକ ରେ ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗରେ ଆଲୋଚୋନା ହୋଇଥଲା । ତେବେ ରତ୍ନଭଣ୍ଡାର ମରାମତି ବେଳେ ଯେଭଳି ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନ ଯେଭଳି ବାଧା ନଉପୁଜେ ସେଥିପାଇଁ ସ୍ୱତନ୍ତ୍ର ସମୟ ନିର୍ଦ୍ଧାରିତ ହେଇଛି । ତେବେ ଛତିଶା ନିଯୋଗ ବୈଠକ ନିଷ୍ପତ୍ତି ଅନୁଯାଇ ଆସନ୍ତା 17ତାରିଖରୁ ‘ଏଏସଆଇ’ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ କରିବ । ମହାପ୍ରଭୁଙ୍କ ଦ୍ଵିତୀୟ ଭୋଗ ମଣ୍ଡପ ଶେଷ ହେବା ପରେ ପ୍ରାୟ ଦିନ ଗୋଟାଏ ବେଳକୁ ଏହା ଶେଷ ହେବ ବୋଲି ଆମେ ଆଶା ରଖୁଛୁ । ଏଣୁ ଅପରାହ୍ନ ଦିନ ଗୋଟାଏରୁ ସନ୍ଧ୍ୟା 5 ଟାରୁ 6 ଟା ପର୍ଯ୍ୟନ୍ତ ‘ଏଏସଆଇ’ ମରାମତି କାର୍ଯ୍ୟ କରିବ । କିନ୍ତୁ ଶନିବାର, ରବିବାର, ନୁଆବର୍ଷ, 31 ଡିସେମ୍ବର ତଥା ଯେଉଁ ଦିନ ଅଧିକ ଭକ୍ତଙ୍କ ଭିଡ ହୋଇଥିବ ସେହି ଦିନ ମରାମତି କାର୍ଯ୍ୟ ନକରିବାକୁ ଆମେ ‘ଏଏସଆଇ’କୁ ପରାମର୍ଶ ଦେଇଛୁ ।

17ରୁ ରତ୍ନଭଣ୍ଡାର ମରାମତି, ବାହାର କାଠରୁ ଦର୍ଶନ କରିବେ ଭକ୍ତ (ETV Bharat odisha)
  • ମରାମତି ପରେ ଭଣ୍ଡାର ଭିତରେ ହେବ ଗଣତି- ମଣତି: ମୁଖ୍ଯ ପ୍ରଶାସକ

ଆହୁରି ମଧ୍ୟ ପାଢୀ କହିଛନ୍ତି,‘‘ ରତ୍ନଭଣ୍ଡାର ମରାମତି ଯେଉଁ ଦିନ ଜାରି ରହିବ ସେହି ସମୟରେ ବାହାର କାଠରୁ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟବସ୍ଥା ରହିବ । ତେବେ ରତ୍ନ ଭଣ୍ଡାରର ମରାମତିକୁ ସଠିକ୍ ଭାବରେ କରାଯିବାକୁ ପରାମର୍ଶ ଦିଆଯାଇଛି । ତେବେ ତିନି ମାସରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ସାରିବା ପାଇଁ ‘ଏଏସଆଇ’ ଆମକୁ ଲିଖିତ ଭାବେ ଦେଇଛନ୍ତି । ଆମେ ଆଶା କରୁଛି ଯଥାଶୀଘ୍ର ଏହି କାର୍ଯ୍ୟ ସରିବ । ରତ୍ନଭଣ୍ଡାରର ମରାମତି ସରିବା ପରେ ଭଣ୍ଡାର ଭିତରେ ହିଁ ରତ୍ନ ଅଳଙ୍କାର ଗଣତି କରାଯିବ ।’’

17ରୁ ରତ୍ନଭଣ୍ଡାର ମରାମତି, ବାହାର କାଠରୁ ଦର୍ଶନ କରିବେ ଭକ୍ତ (ETV Bharat odisha)
  • ନିର୍ଘଣ୍ଟ ପହିଲି ଭୋଗ ନୀତି:-

ଏହି ବୈଠକରେ ମଧ୍ୟ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ନିର୍ଘଣ୍ଟ ଅନୁମୋଦନ ହୋଇଛି । ଆସନ୍ତା 16 ଡିସେମ୍ବରରୁ 13 ଜାନୁଆରୀ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ପହିଲି ଭୋଗ ନୀତି ଅନୁଷ୍ଠିତ ହେବ। ଏହାର ନିତି ନିର୍ଘଣ୍ଟ ଉପରେ ସଂପୂର୍ଣ୍ଣ ଆଲୋଚନା ହେବା ସହ ଏହାକୁ ଅନୁମୋଦନ କରାଗଲା । ଆସନ୍ତା ଜାନୁଆରୀ 13 ତାରିଖ ରେ ଦେବାଭିସେକ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ । ଏହାର ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଜାନୁଆରୀ 14 ତାରିଖରେ ମକର ସଂକ୍ରାନ୍ତି ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇ ଅନୁମୋଦନ କରାଗଲା ।

17ରୁ ରତ୍ନଭଣ୍ଡାର ମରାମତି, ବାହାର କାଠରୁ ଦର୍ଶନ କରିବେ ଭକ୍ତ (ETV Bharat odisha)
  • 3 ମାସ ସମୟ ମାଗିଛି ASI

‘ଏଏସଆଇ’ ଅଧିକ୍ଷକ ଡି.ବି ଗଡ଼ନାୟକ ପ୍ରତିକ୍ରିୟାରେ କହିଛନ୍ତି,‘‘ମହାପ୍ରଭୁଙ୍କ ନୀତିକାନ୍ତିକୁ ଦେଖି ରତ୍ନଭଣ୍ଡାରର ମରାମତି କରିବୁ । କାମ ଯେଭଳି ଭଲ ଭାବେ ହେବା ସହ ଶୀଘ୍ର ଶେଷ ହେବ ସେନେଇ ଆମର ତତ୍ପରତା ରହିବ । ରତ୍ନଭଣ୍ଡାରର କାନ୍ଥରେ ଫାଟ ରହିଛି । ଚଟାଣରେ ମୂଷା ଗାତ ରହିଛି । ‘ଜିପିଆରଏସ’ ସର୍ଭେ ଦ୍ଵାରା ସବିଶେଷ ରିପୋର୍ଟ ମିଳିଛି । ଏହି ରିପୋର୍ଟ ସହାୟତାରେ ଆମେ ଭଲ ଭାବରେ ମରାମତି ଆମେ କରିପାରିବୁ । କିଛି ପଥର ଓ ଲୁହା ବିମ୍ ରହିଛି ତାହା ଅପସାରଣ କରାଯାଇ ନୁଆ ବିମ୍‌ ଲଗାଯାଇ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ କାର୍ଯ୍ୟ ଶେଷ କରାଯିବ । ଆମେ ତିନି ମାସ ସମୟ ମାଗିଛୁ । ତେବେ ଯେତେ ଶୀଘ୍ର କାର୍ଯ୍ୟ ହୋଇ ପାରିବ ଆମେ ଚେଷ୍ଟା କରିବୁ ।

17ରୁ ରତ୍ନଭଣ୍ଡାର ମରାମତି, ବାହାର କାଠରୁ ଦର୍ଶନ କରିବେ ଭକ୍ତ (ETV Bharat odisha)
  • 46 ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର

ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଅନୁଯାୟୀ ରତ୍ନଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ଚଳିତବର୍ଷ ଜୁଲାଇ ୧୪ ଏବଂ ୧୮ ତାରିଖରେ ଉଭୟ ବାହାର ଏବଂ ଭିତର ରତ୍ନଭଣ୍ଡାର ଖୋଲାଯାଇ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରାଯାଇଥିଲା । ପରେ ରତ୍ନ ଅଳଙ୍କାରଗୁଡ଼ିକୁ ମଧ୍ୟ ଶ୍ରୀମନ୍ଦିର ଭିତରେ ଥିବା ଖଟଶେଜ ଓ ଚାଙ୍ଗଡ଼ା ଗୃହରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ କରାଯାଇ ରଖାଯାଇଛି । ପରବର୍ତ୍ତୀ ସମୟରେ ‘ଏଏସଆଇ’ ପକ୍ଷରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ ସହିତ ଜିପିଆର ସର୍ଭେ କରାଯାଇଥିଲା । ତେବେ ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ କିଛି ଫାଟ ଥିବା ଜଣାପଡିଥିବା ବେଳେ ରତ୍ନଭଣ୍ଡାରରେ କୌଣସି ସୁଡ଼ଙ୍ଗ ଅବା ଗୁପ୍ତ କୋଠରୀ ନଥିବା ଜଣାପଡିଥିଲା ।

ରତ୍ନଭଣ୍ଡାର ସଂପର୍କିତ ଏହି ସବୁ ଖବର ପଢ଼ନ୍ତୁ-

ଏହା ମଧ୍ୟ ପଢନ୍ତୁ:- ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର GPR-GPS ସର୍ଭେ ରିପୋର୍ଟ ପ୍ରଦାନ କଲା ASI

ରତ୍ନଭଣ୍ଡାର GPR ସର୍ଭେ ଶେଷ, ଜଣାପଡ଼ିବ ସୁଡ଼ଙ୍ଗ ସତ - Ratna Bhandar GPR Survey

ସରିଲା ପ୍ରଥମ ଦିନର GPR ସର୍ଭେ, ଗୁପ୍ତ ସୁଡ଼ଙ୍ଗକୁ ନେଇ ଏମିତି କହିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ - GPR SURVEY

  • କାର୍ତ୍ତିକ ପାଇଁ ଅଟକିଥିଲା ମରାମତି

କାର୍ତ୍ତିକ ମାସରେ ପ୍ରବଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖାଯାଇ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ହୋଇପାରିନଥିଲା । ଏବେ କାର୍ତ୍ତିକ ମାସ ଶେଷ ହୋଇସାରିଥିବା ବେଳେ ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପାଇଁ ଏବେ ସରକାର ‘ଏଏସଆଇ’କୁ ଅନୁରୋଧ କରିଥିଲେ । ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ପରେ ଆସନ୍ତା ଜାନୁଆରୀ ୩୧ ତାରିଖରେ ରତ୍ନଭଣ୍ଡାରରେ ଥିବା ସମସ୍ତ ରତ୍ନ ଅଳଙ୍କାରଗୁଡ଼ିକର ଗଣତି ମଣତି କରାଯିବ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଥିଲେ ।

ରତ୍ନଭଣ୍ଡାର ଖୋଲିବାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମହଲରେ ବେଶ ଉତ୍କଣ୍ଠା ଥିଲା । ତେବେ ରତ୍ନଭଣ୍ଡାର ଖୋଲାଯାଇ ସାରିଥିବା ବେଳେ କେବେ ରତ୍ନଭଣ୍ଡାରର ମରାମତି ହୋଇ ରତ୍ନ ଅଳଙ୍କାରଗୁଡ଼ିକର ଗଣତି-ମଣତି କରାଯିବ ଏବଂ ଏହା ସୁରକ୍ଷିତ ଅଛି କି ନାହିଁ ତା'କୁ ନେଇ ଏବେ ଭକ୍ତ ଏବଂ ବିଶ୍ବବ୍ୟାପୀ କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଅପେକ୍ଷା ରହିଛି।

ଇଟିଭି ଭାରତ, ପୁରୀ

Last Updated : Dec 11, 2024, 3:09 PM IST

ABOUT THE AUTHOR

...view details