ରାୟଗଡ଼ା:ଜିଲ୍ଲା ଶିକ୍ଷକ ତାଲିମ ଅନୁଷ୍ଠାନ (DIET)ରେ ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ । ଡିଆଇଇଟିର ପ୍ରିନ୍ସିପାଲ ଛାତ୍ରୀଙ୍କୁ ଘରକୁ ଡାକି ଅସଦାଚରଣ କରୁଥିବା ସାଂଘାତିକ ଅଭିଯୋଗ ଆସିଛି । ଏନେଇ ଅନୁଷ୍ଠାନର ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ପ୍ରିନ୍ସିପାଲ ଶରତ ଚନ୍ଦ୍ର ସେଠ ସେମାନଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଭିଯୋଗକାରୀ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ । ଏଥିସହ ଏ ସମ୍ପର୍କରେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଅବଗତ କରାଯିବ ବୋଲି ସେ ଜଣାଇଛନ୍ତି ।
ଗାଧୁଆ ଘର ସାମ୍ନାରେ ଲାଗିଥିଲା CCTV:
ଅଭିଯୋଗ ଅନୁସାରେ, ପ୍ରିନ୍ସିପାଲ ଶରତ ଚନ୍ଦ୍ର ଛାତ୍ରୀଙ୍କୁ ବିଭିନ୍ନ ପ୍ରକାର ଅଶୋଭନୀୟ ମେସେଜ୍ ପଠାନ୍ତି । ଏମିତିକି ନିଜ ଘରକୁ ଡାକି ଅସଦାଚରଣ କରିବା ସହିତ ଘରକାମରେ ନିୟୋଜିତ କରନ୍ତି । ପ୍ରତିବାଦ କଲେ ସେ ଅସଭ୍ୟ ଭାଷାରେ ଗାଲିଗୁଲଜ କରନ୍ତି । ଏନେଇ ଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗପତ୍ରରେ ଲେଡିଜ ହଷ୍ଟେଲ ଓ ଗାଧୁଆ ଘର ସାମ୍ନାରେ ସିସିଟିଭି ମଧ୍ୟ ଖଞ୍ଜାଯାଇଥିବା ଦର୍ଶାଇଛନ୍ତି ।
ଘରକୁ ଡାକି ଅସଦାଚରଣ କରୁଥିଲେ ପ୍ରିନ୍ସିପାଲ:
ରାୟଗଡ଼ା ଡିଆଇଇଟିର ଜଣେ ଛାତ୍ରୀ କହିଛନ୍ତି, ''ପ୍ରିନ୍ସିପାଲ୍ ସାର୍ ଆମକୁ ଘରକୁ ଡାକି ଶ୍ରମିକଙ୍କ ଭଳି ଖଟାନ୍ତି । ଚ୍ୟାମ୍ବରକୁ ଡାକି ଅସଦାଚରଣ କରନ୍ତି । କଥା ନ ଶୁଣିଲେ ଖରାପ ଭାଷାରେ ଗାଳିଗୁଲଜ କରନ୍ତି । ସାର୍ ଆମକୁ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଛନ୍ତି । ଏଥିରେ ଅତିଷ୍ଠ ହୋଇ ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏଥିସହ ଲେଡିଜ ବାଥରୁମ ଉପରେ ସିସିଟିଭି କ୍ୟାମେରା ଲାଗିଛି । ଯେଉଁଥିପାଇଁ ଆମେ ଅସୁରକ୍ଷିତ ମଣୁଛୁ । ଏଥିପାଇଁ ଆମେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛୁ ।