ପୁରୀ:ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତେବେ ଆଜି ତିନି ରଥର ଦଣ୍ଡା ନିର୍ମାଣ ଅନୁକୂଳ ହୋଇଛି । ତିନି ରଥର ୪୨ଟି ଚକ ମଧ୍ୟରୁ ୩୯ ଗୋଟି ଚକ ନିର୍ମାଣ ଶେଷ ହେବା ସହ ତିନି ରଥର ୨୧ଟି ଅଖ ନିର୍ମାଣ ଶେଷ ହୋଇଛି । ଏଥିସହ ତିନି ରଥର ବିଭିନ୍ନ ଅଂଶ ଗୁଡ଼ିକର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ରଥର ନିର୍ମାଣ ଶେଷ ହୋଇଥିବା ଆଗ, ପଛ ଦୁଇଟି ଲେଖାଏଁ ମୁହାଁଟର ଅନୁକୂଳ ପୂଜା ହୋଇ ବିନ୍ଧ କାର୍ଯ୍ୟ ଆରମ୍ଭ ହେଇଛି । ଏଥିସହ ତିନି ରଥର ପାଞ୍ଚଦଣ୍ଡାର ଅନୁକୂଳ ପୂଜା ହୋଇ ଦଣ୍ଡାଗୁଡ଼ିକର ଚଉପଟ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇଛି ।
ତାଳଧ୍ଵଜ ରଥର ୧୧ଟି ଚକର ନିର୍ମାଣ ଶେଷ ହୋଇ ୧୨ତମ ଏବଂ ୧୩ ତମ ଚକର ତୁମ୍ବରେ ପଇ ସଂଯୋଗ ପରେ ପଇକୁ ବାନ୍ଧି ରଖିବା ପାଇଁ ପଇ ସଂଯୋଗ ସ୍ଥଳର ଘାଟି ପ୍ରସ୍ତୁତି ବା କଳଶା କାର୍ଯ୍ୟ ଜାରି ରହିଛି । ଏତତ୍ ବ୍ୟତୀତ ତାଳଧ୍ଵଜ ରଥର ତିନି ଭୂଇଁ ପାଇଁ ନିର୍ମାଣ ପାଇଁ ଆବଶ୍ୟକ ୧୨ଟି ୧୮ ଫୁଟିଆ ଭୂଇଁ ଚଉତାରୁ ପ୍ରଥମ ଭୂଇଁର ୪ଟି ଭୂଇଁ ଚଉତାକ୍ର ଚଉପଟ କାର୍ଯ୍ୟ ଶେଷ ହୋଇଛି । ତାଳଧ୍ଵଜ ରଥର ୭ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏଥିସହ ତାଳଧ୍ଵଜ ରଥର ପୋଲ ଗୟଳର ଚିରଟ୍ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଦର୍ପଦଳନ ରଥର ମୋଟ ୬ଟି ଅଖର ନିର୍ମାଣ କାର୍ଯ୍ୟ ଶେଷ ହୋବା ସହ ୧୧ତମ ଚକର ପଇ କଳଶ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।
ସେହିପରି ଦର୍ପଦଳନ ରଥର ଚାରି ଗୋଟି ପ୍ରଥମ ଭୂଇଁ ଚଉପଟ କାର୍ଯ୍ୟ ଶେଷ ହୋଇଅଛି । ଦର୍ପଦଳନ ରଥର ପାଞ୍ଚ ଦଣ୍ଡା ଅନୁକୂଳ ପୂଜା ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହେଇଛି । ନନ୍ଦିଘୋଷ ରଥର ୧୬ଟି ଚକ ମଧ୍ୟରୁ ୧୪ଟି ଚକ ନିର୍ମାଣ ଶେଷ ହୋଇଛି । ୧୫ ତମ ଚକର ତୁମ୍ବ ସିଙ୍ଗଡାରେ ପଇ ପିନ୍ଧା ପରେ ପଇ କଳସା ଜାରି ରହିଛି । ଏଥିସହ ନନ୍ଦିଘୋଷ ରଥର ୮ଟି ଅଖର ନିର୍ମାଣ ଶେଷ ହୋଇ ୧୨ ଗୋଟି ଭୂଇଁ ଚଉତାରୁ ପ୍ରଥମ ଭୂଇଁର ୪ଟି ଭୂଇଁ ଚଉତା କାଠର ଚଉପଟ ଶେଷ ହୋଇଛି । ଦ୍ୱିତୀୟ ଭୂଇଁର ୪ଗୋଟି ଭୂଇଁ ଚଉତାର ଚଉପଟ କାର୍ଯ୍ୟ ଜାରି ରହିଛି । ନନ୍ଦିଘୋଷ ରଥର ପାଞ୍ଚ ଦଣ୍ଡାର ଅନୁକୂଳ ପୂଜା ହୋଇ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି ।