ଓଡିଶା

odisha

ETV Bharat / state

ଆସୁଛି ଘୋଷଯାତ୍ରା, ପଶ୍ଚିମ ଓଡ଼ିଶାର ବୃହତ ରଥର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ! - BOUDH RATHA YATRA

Poor Condition of Ratha: ରଥଯାତ୍ରା ପାଖେଇ ଆସୁଥିବା ବେଳେ ରଥର ଦୁର୍ବଳ ଅବସ୍ଥାକୁ ନେଇ ବୌଦ୍ଧ ଜନସାଧାରଣ ପ୍ରଶ୍ନ ଉଠାଇଛନ୍ତି । ଅଧିକ ପଢ଼ନ୍ତୁ

Poor Condition of Ratha
Poor Condition of Ratha (ETV Bharat Odisha)

By ETV Bharat Odisha Team

Published : Jun 15, 2024, 7:10 AM IST

ବୌଦ୍ଧ: ଦୁର୍ବଳ ହୋଇପଡିଛି ପଶ୍ଚିମ ଓଡ଼ିଶାର ସର୍ବପୁରାତନ ତଥା ସର୍ବବୃହତ ରଥ । ରଥଯାତ୍ରା ପୂର୍ବରୁ ରଥର ଏଭଳି ଦୁର୍ବଳ ଅବସ୍ଥାକୁ ନେଇ ଗଭୀର ଅସନ୍ତୋଷ ତଥା ଉଦବେଗ ପ୍ରକାଶ ପାଇଛି । ରକ୍ଷାଣବେକ୍ଷଣ ଅଭାବରୁ ଏଭଳି ଅବସ୍ଥା ହୋଇଥିବା ବେଳେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ଅଭାବରୁ ଐତିହ୍ୟ ସମ୍ପନ୍ନ ରଥଟି ଗତ ବର୍ଷେ ହେଲା ବଡ଼ଦାଣ୍ଡର ରାସ୍ତା ଉପରେ ରହିଥିବା ଦେଖିବାକୁ ମିଳିଛି । କେବଳ ଔପଚାରିକ ଦୃଷ୍ଟିରୁ ପ୍ରଶାସନ ପକ୍ଷରୁ ପାଳନ ହେଉଛି ମହାପ୍ରଭୁଙ୍କ ଘୋଷଯାତ୍ରା ।

ଆସୁଛି ଘୋଷଯାତ୍ରା, ପଶ୍ଚିମ ଓଡ଼ିଶାର ବୃହତ ରଥର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ! (ETV Bharat Odisha)

ଆଉ ଅଳ୍ପଦିନ ପରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁଙ୍କ ଘୋଷଯାତ୍ରା । ଏଥିପାଇଁ ସବୁଠି କାଳିଆ ସାଆନ୍ତଙ୍କ ପାଇଁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର ବୌଦ୍ଧ ଜିଲ୍ଲାର ଶତାଧିକ ସ୍ଥାନରେ ରହିଛି ଶ୍ରୀଜଗନ୍ନାଥଙ୍କ ପୀଠ ତଥା ମନ୍ଦିର । ବୌଦ୍ଧ ଜିଲ୍ଲା ସଦରମହକୁମାଠାରେ ଗଡଖାଇ ସନ୍ନିକଟରେ ରହିଛି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରାଚୀନ ମନ୍ଦିର । ତେବେ ବୌଦ୍ଧର ପ୍ରସିଦ୍ଧ ରଥ, ଯାହାକି ସମ୍ପୂର୍ଣ୍ଣ ଭିନ୍ନ ଶୈଳୀରେ ନିର୍ମାଣ କରାଯାଇଥିଲା । ଶତାଧିକ ବର୍ଷ ପୂର୍ବରୁ ଏହି ରଥକୁ ଅର୍ଦ୍ଧ ଘୂର୍ଣ୍ଣୟମାନ ରୂପରେ ନିର୍ମାଣ କରାଯାଇଥିଲା । ରଥର ମୋଡ଼କୁ ନବୁଲାଇ କେବଳ ରଥର ଉପର ଅଂଶକୁ ଘୂର୍ଣ୍ଣାୟମାନ କରାଯାଇ ପାର୍ଶ୍ଵ ପରିବର୍ତ୍ତନ କରାଯାଇଥାଏ । 10ଗୋଟି ଚକ ସହାୟତାରେ ଚାଲୁଥିବା ଏହି ରଥଟି ପଶ୍ଚିମ ଓଡ଼ିଶାର ସର୍ବପୁରାତନ ତଥା ସର୍ବବୃହତ ରଥ ବୋଲି ସୂଚନା ମିଳେ ।

ତେବେ ଶତାଧିକ ବର୍ଷ ପୁରାତନ ଏହି ଐତିହ୍ୟ ସମ୍ପନ୍ନ ରଥଟି ବର୍ତ୍ତମାନ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିବା ସୂଚନା ମିଳିଛି । ରକ୍ଷଣାବେକ୍ଷଣା ଅଭାବରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ଅଭାବରୁ ରଥଟିର ମରାମତି ଓ ରକ୍ଷଣାବେକ୍ଷଣା ଠିକରେ ହୋଇ ପାରୁନାହିଁ ବୋଲି ଅଭିଯୋଗ ହୋଇଛି । ରଥଚକ ଉପରେ ବାଡ଼ ଓ ଗଣ୍ଡିର ଅନେକ ସ୍ଥାନରେ କାଠ ରଜ ଫାଟ ସୃଷ୍ଟି ହେବା ସହିତ ଅନେକ ସ୍ଥାନରେ କେବଳ କାଠକୁ କାଠରେ ଯୋଡି ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ରଖାଯାଇଛି । ବିଗତ କିଛି ବର୍ଷ ହେଲା ରଥର ଏଭଳି ଅବସ୍ଥାକୁ ନେଇ ବୁଦ୍ଧିଜୀବୀ, ବିଶେଷଜ୍ଞ ତଥା ବିଭିନ୍ନ ରଥ କମିଟି ପକ୍ଷରୁ ଏନେଇ ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସୂଚନା ମିଳିଛି । ସୋମବାର ଚଳିତ ବର୍ଷ ଘୋଷଯାତ୍ରା ପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ଐତିହ୍ୟ ସମ୍ପନ୍ନ ରଥ ସମ୍ପର୍କରେ ଗଭୀର ଉଦବେଗ ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ.. ରଥ ଖଳା ହାଲଚାଲ: ତିନି ରଥର ଚାରି ନାହାକା ଗୁଡ଼ିକର ଅଗ ଏବଂ ମୂଳ ସାଲ କାର୍ଯ୍ୟ ଶେଷ - Ratha Yatra 2024

ବୈଦ୍ଧ ଜିଲ୍ଲାର ବିଭିନ୍ନ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପରୁ ପ୍ରତିବର୍ଷ ଶ୍ରୀକ୍ଷେତ୍ରକୁ ରଥକାଠ ପଠାଯାଉଥିବା ବେଳେ ନିଜ ଜିଲ୍ଲାର ଏହି ପ୍ରସିଦ୍ଧ ରଥ ପାଇଁ ବନ ବିଭାଗ କାଠ ଯୋଗାଇ ନପାରିବା ସମସ୍ତଙ୍କୁ ଦୁଃଖିତ କରିଛି । ସେପଟେ ରଥଯାତ୍ରା ସରିଲେ ବେଦୀ ମୁହଁ ପୋଡ଼ା ଭଳି ସମସ୍ତେ ରଥକୁ ଭୁଲି ଯାଉଛନ୍ତି । ଗତବର୍ଷ ରଥ ଖଳାର ଉନ୍ନତି ପାଇଁ ପୂର୍ତ୍ତ ବିଭାଗ ଏଭଳି ପଦକ୍ଷେପ ଗ୍ରହଣ କଲା ଯେ ରଥ ଖଳାରେ ବର୍ଷେ ହେଲା ପହଞ୍ଚି ନପାରି ବର୍ତ୍ତମାନ ସୁଦ୍ଧା ବଡ଼ଦାଣ୍ଡର ରାସ୍ତା ଉପରେ ରହିଯାଇଛି । ଏପରିକି ବୌଦ୍ଧର ବଡ଼ଦାଣ୍ଡ ମଧ୍ୟ ଜବରଦଖଲରେ ରହିଯାଇଛି । ରଥର ଏଭଳି ଅବସ୍ଥା ସମସ୍ତଙ୍କୁ ବେଶ ଦୁଃଖିତ କରିଥିବା ବେଳେ କୈାଣସି ସମୟରେ ମଧ୍ୟ ଦୁର୍ଘଟଣାର ଆଶଙ୍କା ରହିଛି । ଏନେଇ ରଥଯାତ୍ରା କମିଟି ବୁଦ୍ଧିଜୀବୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details