ବୌଦ୍ଧ:ବୌଦ୍ଧରେ ଧୁମଧାମରେ ରଥଯାତ୍ରା ପାଳିତ ହୋଇଛି। ତେବେ ପ୍ରତ୍ୟେକ ବର୍ଷ ଜିଲ୍ଲାର ବିଭିନ୍ନ ସ୍ଥାନରେ ବାସୀ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି । ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଆନନ୍ଦ ଉଲ୍ଲାସର ସହିତ ବଡ଼ ଠାକୁରଙ୍କ ଘୋଷଯାତ୍ରା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି । ରଥଯାତ୍ରାରେ ବଡ଼ ଠାକୁରଙ୍କୁ ରଥ ଉପରେ ଦର୍ଶନ କରି ଭାବବିହ୍ୱଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ ।
ପଶ୍ଚିମ ଓଡ଼ିଶାର ସର୍ବବୃହତ ରଥ ଭାବରେ ପରିଚିତ ବଉଦ ଜିଲ୍ଲା ସଦରମହକୁମା ଠାରେ ରବିବାର ଘୋଷଯାତ୍ରା ଦିବସରେ ହିଁ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ ତିଥି ଥିବାରୁ ଠାକୁରଙ୍କ ନୀତି କାନ୍ତିରେ ବିଳମ୍ବ ହୋଇଥିଲା । ଅପରାହ୍ନରେ ଚତୁର୍ଦ୍ଧା ବିଗ୍ରହଙ୍କୁ ବ୍ରାହ୍ମଣ ସେବାୟତମାନେ ପହଣ୍ଡି ରେ ଆଣିବା ସହିତ ରଥାରୂଢ଼ କରିଥିଲେ । ସନ୍ଧ୍ୟା ସାତଟା ବେଳକୁ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇ ଓ୍ବେୟାରଲେସ ଛକର ନିର୍ଦ୍ଧାରିତ ସ୍ଥାନରେ ବିରଳ ଅଭଙ୍ଗ ରଥ ରାତି ପ୍ରାୟ ଦଶଟା ବେଳକୁ ପହଞ୍ଚିଥିଲା । ଯାହା ଫଳରେ ରଥରେ ରାତିରେ କାଟିଥିଲେ ମହାବାହୁ । ଏଭଳି ପ୍ରଥମ ଥର ରଥ ହୋଇଥିବା ବେଳେ ମହାପ୍ରଭୁଙ୍କୁ ଦେଖି ବେଶ ଉତ୍ସାହିତ ଭକ୍ତ ।
ରବିବାର ସକାଳୁ ଅପରାହ୍ନ ଯାଏଁ ପ୍ରବଳ ଖରା ଗୁଳୁଗୁଳି ଯୋଗୁଁ ସାଧାରଣ ଭକ୍ତ ଶ୍ରଦ୍ଧାଳୁ କଷ୍ଟ ଅନୁଭବ କରିଥିବା ବେଳେ ଅପରାହ୍ନ ପରେ ସାମାନ୍ୟ ବର୍ଷା ପାଗ ଘୋଷଯାତ୍ରାକୁ ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବେଶ ଅନୁକୂଳ କରିଥିଲା । ବୌଦ୍ଧ ର ରଥଯାତ୍ରା ଦେଖିବାକୁ ଜିଲ୍ଲା ସମେତ ଅନ୍ୟାନ୍ୟ ଜିଲ୍ଲାର ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ ଚଳିତ ବର୍ଷ ତିଥି ଲଗ୍ନରେ ତାରତମ୍ୟ ହେତୁ ରଥ ଉପରେ ପ୍ରଥମ ଥର ପାଇଁ ବଡ଼ ଠାକୁର ରାତ୍ରି ଯାପନ କରିଥିଲେ ।