ପୁରୀ:ଆଡପ ପହଣ୍ଡି ଅଘଟଣ ପରେ ଆକ୍ସନମୋଡରେ ଶ୍ରୀମନ୍ଦିର ପ୍ରଶାସନ । ନୀତିକାନ୍ତି ଓ ସେବା ପୂଜା ଆଳରେ ରଥ ଉପରେ ଚଢୁଥିବା ଅଣସେବାୟତଙ୍କ ଉପରେ ରଖାଯାଇଛି କଡା ନଜର । ଆଜି ପହଣ୍ଡି ବେଳେ ତିନିରଥରେ ଚଢିଥିବା ଅଣସେବାୟତଙ୍କୁ ଚିହ୍ନଟ କରି ବାହାରକୁ କାଢ଼ିଛନ୍ତି ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ l ମୁଖ୍ୟ ପ୍ରଶାସକ ପାଢୀ ନିଜେ ତିନିରଥ ପରିଦର୍ଶନ କରିବା ସହ କିଛି ଅଣସେବାୟତଙ୍କୁ ଚିହ୍ନଟ କରିଥିଲେ । ସେମାନଙ୍କୁ ତୁରନ୍ତ ପୋଲିସ କର୍ଡନ ବାହାରକୁ ପଠାଯାଇଥିଲା । ନିଜେ ମୁଖ୍ୟ ପ୍ରଶାସକ ଅଣସେବାୟତଙ୍କ ହାତ ଭିଡିନେଇ ବାହାରେ ଛାଡିଥିଲେ ।
ରଥଯାତ୍ରା ସମୟରେ ଶରଧାବାଲିରେ ଆଡପ ପହଣ୍ଡି ବେଳେ ବଡ ଅଘଟଣ ଘଟିଥିଲା । ରଥରୁ ଆଡପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ପଡିଯାଇଥିଲେ ବଡଠାକୁର ଶ୍ରୀ ବଳଭଦ୍ର । ରଥ ଉପରେ ମାତ୍ରାଧିକ ସେବକଙ୍କ ଭିଡକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏପରି ସେବାୟତଙ୍କ ଉପରେ ମନ୍ଦିର ପ୍ରଶାସନର ନିୟନ୍ତ୍ରଣ ରହୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ଏବେ ଏହି ଘଟଣାର ତଦନ୍ତ ଜାରି ରହିଛି । 3ଜଣିଆ କମିଟି ଏହି ଘଟଣାର ତଦନ୍ତ କରି ମୁଖ୍ୟ ପ୍ରଶାସକଙ୍କୁ ନିଳାଦ୍ରୀବିଜେ ପରେ ରିପୋର୍ଟ ପ୍ରଦାନ କରିବ । ସେହିପରି ଏହି ଘଟଣାର ପୁନରାବୃତ୍ତି ନହେବା ପାଇଁ ବାହୁଡାଯାତ୍ରା ପାଇଁ ପ୍ରଶାସନ ବିଭିନ୍ନ କଟକଣା ଜାରି କରିଥିଲା । ଏଥିମଧ୍ୟରେ ରଥ ଉପରେ ଅଣସେବାୟତ ନଚଢିବା ପାଇଁ କଡା ନିର୍ଦ୍ଦେଶ ଜାରି କରାଯାଇଥିଲା । କେବଳ ନୀତିକାନ୍ତି ସହ ସମ୍ପର୍କିତ ସେବାୟତଙ୍କୁ ରଥ ଉପରେ ଚଢିବା ପାଇଁ ଅନୁମତି ରହିଥିଲା ।