ଓଡିଶା

odisha

ETV Bharat / state

ETV Bharat Exclusive: କେଉଁଠି ଅଛି ରତ୍ନ ଭଣ୍ଡାର ଚାବି ଠିକଣା କହିଲେ ଗଜପତି ମହାରାଜା, ଚାରିଦ୍ବାର ଖୋଲିବାକୁ ନେଇ ଦେଲେ ବଡ ବୟାନ - Gajapati Maharaja Exclusive

Exclusive interview with Gajapati Maharaja: ଦୁଇ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏବେ ରାଜ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ରତ୍ନଭଣ୍ଡାର ପ୍ରସଙ୍ଗ । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଖୋଲିବ ରତ୍ନଭଣ୍ଡାର ? ରଥଯାତ୍ରା ପ୍ରସ୍ତୁତି, ଶ୍ରୀମନ୍ଦିର ଏବଂ ରତ୍ନଭଣ୍ଡାର ଇତ୍ୟାଦି ତମାମ୍ ପ୍ରସଙ୍ଗକୁ ନେଇ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । ଦେଖନ୍ତୁ ସମ୍ପୂର୍ଣ୍ଣ ସାକ୍ଷାତକାର

By ETV Bharat Odisha Team

Published : Jul 4, 2024, 9:10 PM IST

Updated : Jul 4, 2024, 9:17 PM IST

ଇଟିଭି ଭାରତକୁ ପୁରୀ ମହାରାଜାଙ୍କ ସ୍ବତନ୍ତ୍ର ସାକ୍ଷାତକାର
ଇଟିଭି ଭାରତକୁ ପୁରୀ ମହାରାଜାଙ୍କ ସ୍ବତନ୍ତ୍ର ସାକ୍ଷାତକାର (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବିଗତ କିଛି ବର୍ଷ ହେବ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର, ଚାରିଦ୍ବାର ଏବଂ ରତ୍ନଭଣ୍ଡାର ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ଭାବେ ରହିଆସିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହେଉ ଅବା ରତ୍ନଭଣ୍ଡାର ଚାବି ହଜିବା ଘଟଣା, ଏହାକୁ ନେଇ ବିଗତ ଦିନରେ ରାଜ୍ୟ ରାଜନୀତିରେ ଖୁବ୍ ବାକବିତଣ୍ଡା ହୋଇଛି । ଏହାବ୍ୟତୀତ ଶ୍ରୀମନ୍ଦିରରେ ବିଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି । ଏସବୁ ଭିତରେ ଆଗକୁ ରଥଯାତ୍ରା ଥିବାବେଳେ ବର୍ତ୍ତମାନ ଯେଉଁ ଗୋଟିଏ ସବୁଠୁ ବଡ ପ୍ରସଙ୍ଗ ରହିଛି, ତାହା ହେଲା ରତ୍ନଭଣ୍ଡାର । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଖୋଲିବ ରତ୍ନଭଣ୍ଡାର ? ଯଦିଓ ରାଜ୍ୟରେ ନୂଆ ବିଜେପି ସରକାର ରତ୍ନଭଣ୍ଡାର ଖୋଲିବାକୁ ଘୋଷଣା କରିଛନ୍ତି, କିନ୍ତୁ କେବେ ଖୋଲାଯିବ ସେନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନି । ରଥଯାତ୍ରା ଉପଲକ୍ଷେ ଏହି ତମାମ୍ ବିଷୟକୁ ନେଇ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ ।

ପୁରୀ ମହାରାଜାଙ୍କ ସ୍ବତନ୍ତ୍ର ସାକ୍ଷାତକାର (ETV Bharat Odisha)

ରତ୍ନଭଣ୍ଡାର ନେଇ ଗଜପତିଙ୍କ ପ୍ରତିକ୍ରିୟା:

ରତ୍ନଭଣ୍ଡାର ଖୋଲାଯିବାକୁ ନେଇ ଗଜପତି ମହାରାଜା କହିଛନ୍ତି ଯେ, ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେଣୁ ରତ୍ନଭଣ୍ଡାର ନିହାତି ଖୋଲିବ । ଏଥିରେ କୌଣସି ଦ୍ବନ୍ଦ ରହିବା କଥା ନୁହେଁ । ତେବେ କେବେ ଖୋଲାଯିବ ସେନେଇ ସରକାର ନିଷ୍ପତ୍ତି ନେବେ । ଶ୍ରୀମନ୍ଦିର ପରିଚାଳନା କମିଟି ପୂର୍ବରୁ ରତ୍ନଭଣ୍ଡାର ଖୋଲିବା ପାଇଁ ବାରମ୍ବାର ଦାବି କରିଆସିଛି । ଏନେଇ ପରିଚାଳନା କମିଟିର ପ୍ରସ୍ତାବକ୍ରମେ ପୂର୍ବ ସରକାରଙ୍କ ଦ୍ବାରା ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ ହୋଇଥିଲା ।

ଜୁଲାଇ ୭ରେ ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ପରିଚାଳନା କମିଟି ପ୍ରସ୍ତାବ ଦେଇଛି । କାରଣ ସେହି ସମୟରେ ମହାପ୍ରଭୁ ଶ୍ରୀମନ୍ଦିର ନଥିବେ । ଏହାଦ୍ବାରା ରତ୍ନଗଣତି ସହ ଏସଏସଆଇକୁ ମରାମତି କରିବାକୁ ମଧ୍ୟ ସମୟ ମିଳିବ । ତେଣୁ ମହାପ୍ରଭୁଙ୍କ ଗୁଣ୍ଡିଚା ବିଜେ ବେଳେ ରତ୍ନଭଣ୍ଡାର ଖୋଲିବା ଉପଯୁକ୍ତ ସମୟ । ରାଜ୍ୟ ସରକାର ମଧ୍ୟ ସେହିଭଳି ନିଷ୍ପତ୍ତି ନେଇଛନ୍ତି । ଏବେ କେବଳ ସରକାର କେଉଁ ଦିନ ନିର୍ଦ୍ଧାରିତ କରୁଛନ୍ତି ତାହାକୁ ଅପେକ୍ଷା । ଅନ୍ୟପଟେ ଜଷ୍ଟିସ ଅରଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ ରତ୍ନ ଭଣ୍ଡାର ତଦାରଖ କମିଟିର ବୈଠକ ଆସନ୍ତକାଲି ବସିବାକୁ ଯାଉଛି । ଏଥିରେ ରତ୍ନଭଣ୍ଡାର ଖୋଲାଯିବା, ରତ୍ନ ଗଣତିମଣତି ଏବଂ ଏହାର ସୁରକ୍ଷା ସମ୍ପର୍କିତ ନିଷ୍ପତ୍ତି ନିଆଯିବ ।

ରତ୍ନଭଣ୍ଡାର ଚାବି କେଉଁଠି ?

ନିର୍ବାଚନ ସମୟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ବିଜେପି ଏହାକୁ ନିର୍ବାଚନୀ ପ୍ରସଙ୍ଗ କରି ତତ୍କାଳୀନ ବିଜେଡି ସରକାରକୁ ଘନ ଘନ ଟାର୍ଗେଟ କରିଥିଲା । ଏହି ଚାବି ହଜିବା ପ୍ରସଙ୍ଗରେ ଗଜପତି ମହାରାଜା କହିଛନ୍ତି, ଚାବି ଅଛି । ଆଇନ ଅନୁସାରେ ଚାବି ଜିଲ୍ଲାପାଳଙ୍କ ଟ୍ରେଜରୀରେ ରହିବା କଥା । ସରକାର ନିର୍ଦ୍ଦେଶ ପରେ ଜିଲ୍ଲାପାଳ ଆଣି ଖୋଲିପାରିବେ । ସରକାରଙ୍କ ନିଷ୍ପତ୍ତି ନେବା ପରେ ନିଶ୍ଚୟ ରତ୍ନଭଣ୍ଡାର ଖୋଲିବାର ବ୍ୟବସ୍ଥା କରାଯିବ ।

ତେବେ ୨୦୧୮ ମସିହାରେ ତତ୍କାଳୀନ ରାଜ୍ୟ ସରକାର ଭିତର ରତ୍ନଭଣ୍ଡାର ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ସେତେବେଳେକୁ ଯେଉଁ ଚାବି ଆସିଥିଲା, ସେଥିରେ ଭିତର ରତ୍ନଭଣ୍ଡାର ତାଲା ଖୋଲିନଥିଲା । ଏନେଇ ସେତେବେଳେ ସରକାରଙ୍କ ନିର୍ଦ୍ଦେଶରେ ଜଷ୍ଟିସ ରଘୁବର ଦାସ କମିଶନ ତଦନ୍ତ କରିଥିଲେ । ହେଲେ ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇନଥିଲା ।

'ଚାରିଦ୍ବାର ଖୋଲିଦେବା ବଡ କଥା ନୁହେଁ':

ସେହିପରି ଶ୍ରୀମନ୍ଦିର ଚାରିଦ୍ବାର ଏବଂ ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ଦିବ୍ୟସିଂହ ଦେବ କହିଛନ୍ତି ଯେ, ଚାରିଦ୍ବାର ଖୋଲାଯିବା କିଛି ବଡ କଥା ନୁହେଁ । କେବଳ ଦ୍ବାର ଖୋଲିଦେଲେ ଯେ, ଭକ୍ତମାନଙ୍କ ସୁବିଧା ଦର୍ଶନ ହେବ, ତାହା ଭାବିବା ଭୁଲ୍ । ଶୃଙ୍ଖଳତି ଦର୍ଶନ ବ୍ୟବସ୍ଥା ପାଇଁ ନାଟମଣ୍ଡପ ଓ ଜଗମୋହନ ଭିତରେ ସ୍ବତନ୍ତ୍ର ବ୍ୟବସ୍ଥା ଆବଶ୍ୟକ । ସେଭଳି ଉତ୍ତମ ବ୍ୟବସ୍ଥା ଅଦ୍ୟାବଧି ହୋଇପାରିନାହିଁ । ଦୈନିକ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବାବେଳେ ଦର୍ଶନରେ ସମସ୍ୟା ହେଉଛି । ଭକ୍ତଙ୍କ ସୁବିଧା ପାଇଁ ନୂତନ ବ୍ୟବସ୍ଥା କରିବାକୁ ପଡିବ ।

ରତ୍ନଭଣ୍ଡାର ସମ୍ପର୍କିତ ଖବର ପଢନ୍ତୁ:

କେବେ ଖୋଲିବ ରତ୍ନଭଣ୍ଡାର ଭଣ୍ଡାର, ଏମିତି କହିଲେ ଜଷ୍ଟିସ ଅରିଜିତ ପଶାୟତ

8ରେ ଖୋଲିବନି ରତ୍ନଭଣ୍ଡାର ! ଚର୍ଚ୍ଚାକୁ ଗୁଜବ, ଦିନେ କି ଦୁଇଦିନ ମଧ୍ୟରେ ନିଷ୍ପତ୍ତି କହିଲେ ଆଇନମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 4, 2024, 9:17 PM IST

ABOUT THE AUTHOR

...view details