ରାଇରଙ୍ଗପୁର:ବାରିପଦାରେ ଆଜି ଶ୍ରୀଶ୍ରୀହରିବଳଦେବଜୀଉ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଆରମ୍ଭ ହୋଇଛି । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀ ବାହୁଡା ଯାତ୍ରାର ପରେ 2 ଦିନ ଧରି ବାରିପଦା ଠାରେ ବାହୁଡା ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରଥମ ଦିନରେ ମହାପ୍ରଭୁଙ୍କର ନନ୍ଦିଘୋଷ ଶ୍ରୀମନ୍ଦିରରେ ପହଞ୍ଚିଛି । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ପୂର୍ବ ବର୍ଷମାନଙ୍କ ଭଳି ଟାଉନ ଥାନା ସମ୍ମୁଖରେ ପହଞ୍ଚିଛି ।
ଗତକାଲି (ସୋମବାର) ପହଣ୍ଡି ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାଋଢ଼ କରାଯାଇଥିଲା । ପରେ ରଥରେ ଦିଅଁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ଆଜି (ମଙ୍ଗଳବାର) ସକାଳେ ସେହିପରି ରଥାଋଢ଼ ଦିଅଁଙ୍କୁ ଦର୍ଶନ ପାଇଁ ଭକ୍ତଙ୍କ ଗହଳି ଲାଗିଥିଲା । ଅପରାହ୍ନରେ ସମସ୍ତ ନୀତି ସମ୍ପନ୍ନ ପରେ ଅପରାହ୍ନ ୩ଟାରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିଲା । ଭକ୍ତମାନେ ରଥକୁ ଟାଣିଟାଣି ନେଇ ୪ଟା ୨୮ମିନିଟରେ ଶ୍ରୀମନ୍ଦିରରେ ପହଞ୍ଚାଇଥିଲେ । ମହାପ୍ରଭୁଙ୍କ ରଥକୁ ଟାଣିବା ପାଇଁ ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ଅଗ୍ନିଶମ ବାହିନୀ ପକ୍ଷରୁ ଗରମ ଓ ଗୁଳୁଗୁଳିରୁ ରକ୍ଷା ପାଇଁ ପାଣି ସିଞ୍ଚନ ହୋଇଥିଲା ।
ମହାପ୍ରଭୁଙ୍କ ରଥ ଶ୍ରୀମନ୍ଦିର ପହଞ୍ଚିବା ପରେ ୪ଟା ୪୫ରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥଟଣା । ପରମ୍ପରା ଅନୁଯାୟୀ, ଦେବୀ ସୁଭଦ୍ରାଙ୍କ ରଥ କେବଳ ମହିଳାମାନଙ୍କ ଦ୍ୱାରା ଟଣାଯାଉ ଥିବାରୁ ରାଜ୍ୟ ବାହାରୁ ଓ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ୫୦ ହଜାରରୁ ଊର୍ଦ୍ଧ୍ୱ ମହିଳା ସୁଭଦ୍ରାଙ୍କ ରଥକୁ ଶଙ୍ଖ ହୁଳୁହୁଳି ଓ ହରିବୋଲ ଧ୍ୱନି ଦେଇ ରଥକୁ ଟାଣି ସନ୍ଧ୍ୟା ୫ଟା ୫୦ମିନିଟରେ ଟାଉନ ଥାନା ସମ୍ମୁଖରେ ପହଞ୍ଚାଇଥିଲେ । ପ୍ରଥମ ଦିନ ବାହୁଡା ଯାତ୍ରା କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପୃଥକ ସ୍ଥାନରେ ଧାରାବିବରଣୀ ପ୍ରଦାନ କରାଯାଇଥିବା ବେଳେ ଜିଲ୍ଲାର ବହୁ ଆଧ୍ୟାତ୍ମିକ ଜ୍ଞାନୀଗୁଣି ବିବରଣୀ ପ୍ରଦାନ କରିଥିଲେ । ରଥ ଉପରୁ ଭାଗବତ ପଣ୍ଡା ଧାରା ବିବରଣୀ ପ୍ରଦାନ କରିଥିଲେ ।