ରାଇରଙ୍ଗପୁର: ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବମଣ୍ଡଳ ଭାବେ ଶିମିଳିପାଳ ଅଭୟାରଣ୍ୟ ବେଶ୍ ପରିଚିତ । ଏହି ଅଭୟାରଣ୍ୟ ମଧ୍ୟରେ ଥିବା ୩୦୩ ବର୍ଗ କିଲୋମିଟରର ଆଭ୍ୟନ୍ତରୀଣ ଅଞ୍ଚଳ ଭାରତର ପ୍ରସିଦ୍ଧ ଅଭୟାରଣ୍ୟ, ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଓ ଜାତୀୟ ଉଦ୍ୟାନ ଭାବେ ଖ୍ୟାତି ରହିଛି । ଏଠାରେ ବିଭିନ୍ନ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ସରୀସୃପ ଓ ପକ୍ଷୀ ସବୁ ରହିଛନ୍ତି । ତେବେ ଶିମିଳିପାଳ ମଧ୍ୟରେ ବନବିଭାଗ ପକ୍ଷରୁ ଲଗାଯାଇଥିବା ଟ୍ରାପ କ୍ୟାମେରା ଦ୍ବାରା ବିଭିନ୍ନ ସମୟରେ କିଛି ନା କିଛି ମନୋରମ ଦୃଶ୍ୟ ଦେଖିବାକୁ ମିଳିଥାଏ । ଏବେ ପୁଣିଥରେ ଅଭୟାରଣ୍ୟ ମଧ୍ୟରେ ଏକାସାଙ୍ଗରେ ଗୋଟିଏ ମହାବଳ ବାଘ ସହ କଳାବାଘ ବୁଲୁଥିବାର ଚିତ୍ର ସାମ୍ନାକୁ ଆସିଛି । ଯାହାକି ପରିବେଶବିତଙ୍କୁ ବିମୋହିତ କରିଛି ।
ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ପିସିସିଏଫ) ସୁଶାନ୍ତ ନନ୍ଦ ନିଜ ଏକ୍ସ ଆକାଉଣ୍ଟରେ ଦୁଇ ବାଘ ଏକାଠି ବୁଲୁଥିବାର ଏକ ଫୋଟୋ ପୋଷ୍ଟ କରିଛନ୍ତି । ପୂର୍ବରୁ ମଧ୍ୟ ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ବିଚରଣ କରୁଥିବା ସହିତ କଳାବାଘର ଉପସ୍ଥିତିର ଚିତ୍ର ସାମ୍ନାକୁ ଆସିଥିଲା । ଏବେ ପୁଣିଥରେ ଏଠାରେ କଳାବାଘ ବିଚରଣ କରିବା ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକି ବନବିଭାଗ ଦ୍ୱାରା ପଶୁମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଲାଗିଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି । ତେବେ ଏହା ଏକ ବିରଳ ମେଲାନିଷ୍ଟ ପ୍ରଜାତିର କଳାବାଘ ଅଟେ । ପିସିସିଏଫଙ୍କ ଏହି ପୋଷ୍ଟ ଦେଖିବା ପରେ ପଶୁପ୍ରେମୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି ।