ଭୁବନେଶ୍ୱର:ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହା ସହ ଜଡିତ ଘୂର୍ଣ୍ଣିବଳୟ ଦକ୍ଷିଣ ପଶ୍ଚିମ ଆଡ଼କୁ ଢଳି ରହିଛି । ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୨ ଦିନରେ ଓଡ଼ିଶା ଉପକୂଳରେ ପହଞ୍ଚିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାସହ ମୌସୁମୀ ସକ୍ରିୟ ଥିବାରୁ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ଲଘୁଚାପ ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ଜାରି ରହିବ ବର୍ଷା ।
ଏସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି
ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ । ୧୯ ତାରିଖ ଅର୍ଥାତ୍ ଆସନ୍ତାକାଲି ଲଘୁଚାପର ରହିବ ସର୍ବାଧିକ ପ୍ରଭାବ । ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନାକୁ ନେଇ କୋରାପୁଟ, ମାଲକାନଗିରି, ଗଂଜାମ ଓ ଗଜପତି ଏହି ୪ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ସହ ପ୍ରବଳ ବର୍ଷା ପାଇଁ ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ ଓ ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେହିପରି ଆସନ୍ତାକାଲି ପାଇଁ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଗଂଜାମ, ଗଜପତି, ରାୟଗଡା, ମାଲକାନଗିରି, କନ୍ଧମାଳ, ବୌଦ୍ଧ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ନୂଆପଡା, ବଲାଙ୍ଗୀର, ସୋନପୁର, ନୟାଗଡ, ଖୋର୍ଦ୍ଧା, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା ଓ କଟକ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।