ଓଡିଶା

odisha

ETV Bharat / state

ଚାଷୀର ସ୍ବପ୍ନ ଧୂଳିସାତ କରିଦେଲା ଅଦିନିଆ ବର୍ଷା, ପାଣିରେ ଭାସୁଛି ଅମଳ ଧାନ - RAIN DAMAGE PADDY CROP

ଅଦିନିଆ ଲଗାଣ ବର୍ଷାରେ ଜଗତସିଂହପୁର, ଅନୁଗୋଳ ଓ କଳାହାଣ୍ଡିରେ ବ୍ୟାପକ ଧାନ ନଷ୍ଟ । ପାଣିରେ ଭାସୁଛି ବର୍ଷ ଯାକର ପରିଶ୍ରମ ।

Unseasonal Rain Damage Paddy Crop
Unseasonal Rain Damage Paddy Crop (ETV Bharat Odisha)

By ETV Bharat Odisha Team

Published : Dec 27, 2024, 11:21 AM IST

Updated : Dec 27, 2024, 1:42 PM IST

ଜଗତସିଂହପୁର/ଅନୁଗୋଳ/କଳାହାଣ୍ଡି/ବୌଦ୍ଧ: ଚଳିତ ବର୍ଷ କ୍ଷେତରେ ଧାନ ଦେଖି ଚାଷୀ ବେସ ଖୁସି ହୋଇ ଯାଇଥିଲା । ହେଲେ ଠିକ ଅମଳ ସମୟରେ ଦାଉ ସାଧିଲା ଅଦିନିଆ ବର୍ଷା । ଲଗାଣ ବର୍ଷାରେ ଧୋଇ ହୋଇଗଲା ଚାଷୀର ସ୍ବପ୍ନ । ଯୁଆଡେ ଚାହିଁଲେ ଧାନ କ୍ଷେତରେ ଖାଲି ପାଣି ହିଁ ପାଣି । କେଉଁଠି ଧାନ କଟା ହୋଇ ବିଲରେ ଗଦା ହୋଇଛି ତ ଆଉ କେଉଁଠି ଚାଷୀଙ୍କ ଧାନ ମଣ୍ଡିରେ ପଡ଼ିଛି ତ ଆଉ କେଉଁଠି ଖଳାରେ ରହିଛି ଅମଳ ଦାନ । ବର୍ଷ ଯାକର ପରିଶ୍ରମ ପାଣିରେ ଭାସୁଥିବା ଦେଖି ଚାଷୀ ପାଣିରୁ ଧାନକୁ ଛାଣି ଆଣୁଥିବା ବେଳେ ଧାନକେଣ୍ଡା ସବୁ ଝଡ଼ିପଡ଼ୁଛି । ଏଣେ ଅମଳ ସରିଥିବା ମଣ୍ଡିରେ ପଡ଼ିଥିବା ଧାନ ବସ୍ତାରେ ପାଣି ପଶି ଧାନ ଗଜା ହେବାକୁ ବସିଛି । ଯାହାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଜଗତସିଂହପୁର, ଅନୁଗୋଳ, କଳାହାଣ୍ଡି ଓ ବୌଦ୍ଧ ଜିଲ୍ଲାର ଚାଷୀ ।

ଜଗତସିଂହପୁରରେ ବ୍ୟାପକ ଫସଲ ହାନି:

ଜଗତସିଂହପୁର ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଫଳରେ ବ୍ୟାପକ ଫସଲ ହାନି ହୋଇଛି । ଧାନ ଅମଳ ସମୟରେ ଅଦିନିଆ ବର୍ଷାକୁ ନେଇ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି । ଲଗାଣ ବର୍ଷା ଫଳରେ ଜିଲ୍ଲାର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । କିଛି ସ୍ଥାନରେ ଧାନ ଗଜା ହୋଇଯାଇଥିବା ଦେଖିବାକୁ ମିଳିଛି । ସେପଟେ ଜିଲ୍ଲାରେ କ୍ଷୟକ୍ଷତିର ଆକଳନ କରିଛି ଜିଲ୍ଲା ପ୍ରଶାସନ । ଜଗତସିଂହପୁର ଜିଲ୍ଲାର, କୁଜଙ୍ଗ, ଏରସମା, ବାଲିକୁଦା, ନାଉଗାଁ, ରଘୁନାଥପୁର ଆଦି ବ୍ଲକରେ ଶହଶହ ହେକ୍ଟର ଚାଷ ଜମିରେ ଧାନ ନଷ୍ଟ ହୋଇଥିବା ବେଳେ ବିରିଡି ବ୍ଲକରେ ପରିବା ଚାଷ ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି ।

Rain Damage Paddy Crop (ETV Bharat Odisha)

ଏନେଇ ଜଗତସିଂହପୁର ଜିଲ୍ଲାପାଳ ଜେ. ସୋନାଲକହିଛନ୍ତି, "ଜଗତସିଂହପୁର ଜିଲ୍ଲାରେ ଲଘୁଚାପଜନିତ ବର୍ଷାରେ ବ୍ୟାପକ ଭାବରେ ଧାନଚାଷ ନଷ୍ଟ ହୋଇଛି । ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷ କ୍ଷୟକ୍ଷତି ସମ୍ପର୍କରେ ସବିଶେଷ ତଥ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । ରାଜ୍ୟ ସରକାର ଏହା ଉପରେ ଖୁବଶୀଘ୍ର ପଦକ୍ଷେପ ନେବେ ।"

ଚିନ୍ତାରେ ଅନୁଗୋଳ ଚାଷୀ:

Rain Damage Paddy Crop (ETV Bharat Odisha)

ସେପଟେ ଅନୁଗୋଳ ଜିଲ୍ଲାରେ ଅଦିନିଆ ବର୍ଷାରେ ଶହ ଶହ ଏକର ଜମିରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ଜିଲ୍ଲାର ତଳିଆ ଅଞ୍ଚଳରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି । ଏ ସବୁ ଅଞ୍ଚଳରେ ଅଧିକାଂଶ ତଳିଆ ଜମି । ତେଣୁ ବର୍ଷା ହେଲେ କ୍ଷେତରେ ପାଣି ଜମି ରହେ । ଏ ଅଞ୍ଚଳର ଶତକଡା ଶହେ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଧାନ ଚାଷ ଲୋକଙ୍କର ମୁଖ୍ୟ ଫସଲ । ଯେଉଁମାନଙ୍କର ଜମି ନାହିଁ ସେମାନେ ମଧ୍ୟ ଭାଗ ଚାଷ କରନ୍ତି । ଚଳିତ ବର୍ଷ ଚାଷୀମାନଙ୍କ ଉପରେ ପ୍ରକୃତି ଦାଉ ସାଧିଲା । ଅମଳ ସମୟରେ ବର୍ଷା ସବୁକିଛି ଧୋଇ ନେଇଛି ।

Unseasonal Rain Damage Paddy Crop (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...ଅଦିନିଆ ବର୍ଷା ଛଡେଇନେଲା ଚାଷୀ ମୁହଁରୁ ଆହାର

ଲଗାଣ ବର୍ଷା ଯୋଗୁ ଧାନ ବିଲ ଗୁଡିକରେ ପାଣି ଜମି ରହିଛି । ଯେଉଁ ଚାଷୀମାନେ ଧାନ କାଟି ଦେଇଥିଲେ ସେହି ଧାନରେ ଗଜା ହୋଇ ଗଲାଣି । ବିଲରୁ ଧାନ ଆଣିବା ମଧ୍ୟ କଷ୍ଟକର ହୋଇପଡିଛି । ଧାର କରଜ କରି ସାର, ଔଷଧ କିଣିଥିଲେ । ହାଡ଼ଭଙ୍ଗା ପରିଶ୍ରମ କରି ଚାଷ କରିଥିଲେ । ଭାବିଥିଲେ ବର୍ଷ ଯାକର ଖାଇବା ସାଇତି ରଖି ବଳକା ଧାନ ବିକ୍ରି କରି ତେଲ ଲୁଣ କିଣିବେ । ହେଲେ ସବୁ ଆଶା ଧୁଳସାତ ହୋଇଯାଇଛି । ବହୁ ଖର୍ଚ୍ଚ ଓ ପରିଶ୍ରମ କରି ଧାନ ଚାଷ କରିଥିବା ଚାଷି ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଛି । ହଜାର ହଜାର ଚାଷୀ ଏବେ ସରକାରୀ ସହାୟତାକୁ ଚାତକ ପରି ଚାହିଁ ବସିଛନ୍ତି । ତେଣୁ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ପ୍ରଦାନ କରିବାକୁ ଚାଷୀମାନେ ଦାବି କରିଛନ୍ତି।

Unseasonal Rain Damage Paddy Crop (ETV Bharat Odisha)
ଏହା ମଧ୍ୟ ପଢ଼ନ୍ତୁ...ଉଜୁଡା ଫସଲ ଉଜାଡିଲା ପରିବାର, ଜୀବନ ହାରିଲେ ଚାଷୀ

କଳାହାଣ୍ଡି ମଣ୍ଡିରେ ଅନିୟମିତତା ଅଭିଯୋଗ :

ସେପଟେ କୃଷି ଭିର୍ତ୍ତିକ ଅର୍ଥନୀତି ଉପରେ ପର୍ଯ୍ୟବେସିତ କଳାହାଣ୍ଡି ଜିଲ୍ଲା ଚାଷୀଙ୍କ ଆଖିରେ ଲୁହ ଭରି ଦେଇଛି ବର୍ଷା । ଦୁଇଦିନର ଲଗାଣ ବର୍ଷା ଧୋଇ ନେଇଛି ଚାଷୀର ସମସ୍ତ ସ୍ଵପ୍ନ ଓ ସମ୍ଭାବନା । ଆର୍ଥିକ ଅବସ୍ଥା ସ୍ଵଚ୍ଛଳ ନ ଥିବା ଚାଷୀ ମୁଣ୍ଡରେ ହାତଦେଇ ବସିଛି । ଚଳିତ ଖରିଫ ଋତୁରେ ସରକାର କଳାହାଣ୍ଡି ଜିଲ୍ଲା ପାଇଁ ଧାନ କ୍ରୟ ଲାଗି ୫୦ ଲକ୍ଷ କ୍ବିଣ୍ଟାଲ ଟାର୍ଗେଟ ଦେଇଛନ୍ତି । ବଡ କଷ୍ଟରେ ୧୧ ଲକ୍ଷ ୭୩ ହଜାର କୁଇଣ୍ଟାଲ ସଂଗ୍ରହ ହୋଇପାରିଛି । ସେପଟେ ମଣ୍ଡିରେ ଗଦା ହୋଇଥିବା ଧାନରେ ପାଣି ପଶି ସେସବୁ ନଷ୍ଟ ହେବାକୁ ବସିଛି । ବର୍ଷା ପୂର୍ବରୁ ମଣ୍ଡିରେ କଟନୀଛଟନୀ ହେଉଥିବା ବେଳେ ବର୍ଷା ପରେ କଟନୀଛଟନୀ ଅଧିକ ହେବ ବୋଲି କହିଛନ୍ତି ଚାଷୀ । ସେପଟେ ମଣ୍ଡିରେ ଅବ୍ୟବସ୍ଥା ହେଉଥିବା ଅଭିଯୋଗ ଆଣି ଆସନ୍ତା ୨୮ ତାରିଖ ସମଗ୍ର ଭବାନୀପାଟଣା ନିର୍ବାଚନ ମଣ୍ଡଳୀ ପାଇଁ ବନ୍ଦ ଡାକରା ଦିଆଯାଇଛି ।

ଭବାନୀପାଟଣା ବନ୍ଦ ଡାକରା:

Rain Damage Paddy Crop (ETV Bharat Odisha)

ଏନେଇ ସଦର ବିଧାୟକ ସାଗର ଚରଣ ଦାସ କହିଛନ୍ତି, "ମୁଁ 7 ଦିନ ଧରି ମଣ୍ଡି ବୁଲିଛି । ସମସ୍ତ ମଣ୍ଡିରେ ସମାନ ଅବସ୍ଥା । ମଣ୍ଡିମାନଙ୍କରେ ଚାଷୀଙ୍କ ପାଇଁ କୌଣସି ସୁବିଧା ନାହିଁ । ସମସ୍ତ ମଣ୍ଡିରେ କ୍ଵିଣ୍ଟାଲ ପ୍ରତି ୭ କେଜି କଟନୀ ହେଉଛି, ମିଲର୍ସଙ୍କ ମାନମାନି ଚାଲୁଛି । ଯାହାକୁ ନେଇ ଆସନ୍ତା 2 ଦିନ ଆମ୍ କର୍ମୀ ସମସ୍ତ ମଣ୍ଡି ଜଗିବେ ଏବଂ ଏହାପରେ ଆସନ୍ତା ୨୮ ତାରିଖ ଦିନ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରେ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦରେ ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି ।"

ଏହା ମଧ୍ୟ ପଢ଼ନ୍ତୁ...ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଲା ବର୍ଷା, ପାଣିରେ ଭିଜୁଛି ବର୍ଷକର ଫସଲ

ସେହପିର ଧର୍ମଗଡ ଅଞ୍ଚଳର ଚାଷୀ କୁନୁ ତାଣ୍ଡି କହିଛନ୍ତି, "ପୂର୍ବରୁ ୫ କେଜି କଟନୀରେ ଧାନ ନେଉଥିଲେ । ବର୍ଷାରେ ସବୁ ଧାନ ଭିଜି ଯାଇଛି, ଏବେ ଆହୁରି ଅଧିକ କଟନୀଛଟନୀ ହେବ । ନହେଲେ ମିଲର୍ସ ଧାନ ନେବେ ନାହିଁ । ବର୍ଷା ହେବାରୁ ସମସ୍ତ ଧାନକୁ ପାଲ ଘୋଡାଇ ରଖିଛୁ, ତଥାପି ସବୁ ଭିଜି ଯାଇଛି । ଦୁଇ ପଇସା ଅଧିକ ପାଇବୁ ବୋଲି ମଣ୍ଡିକୁ ଧାନ ଆଣିଲୁ । ହେଲେ ଏଠାରେ ଅନେକ ସମସ୍ୟ ରହିଛି।" ସେପଟେ କାଣ୍ଡେଲ ଗାଁର ଚାଷୀ ଜନ୍ମେଜୟ ମହଲାକହିଛନ୍ତି, "ଧାନ ୫ କେଜି ଓ ବସ୍ତା ବାବଦକୁ ଦୁଇକେଜି କ୍ଵିଣ୍ଟାଲ ପିଛା କାଟୁଛନ୍ତି । ମଣ୍ଡିରେ ମିଲ ମାଲିକଙ୍କ ରାଜୁତି ଚାଲୁଛି କହିଲେ ମଧ୍ଯ କେହି ଶୁଣୁ ନାହାନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ଚାଷୀ ମେରୁଦଣ୍ଡ ଭାଙ୍ଗିଲା ବର୍ଷା, ମଣ୍ଡିରେ ଧାନ FAQ ବାଦ୍ ଦେବାକୁ ବିଜେଡିର ଦାବି

ବୌଦ୍ଧରେ ଚାଷୀଙ୍କୁ ହତାସ କଲା ବର୍ଷା:

Rain Damage Paddy Crop (ETV Bharat Odisha)

ସପେଟ ଅଦିନିଆ ବର୍ଷାରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ବ୍ୟାପକ ଫସଲ ନଷ୍ଟ ହୋଇଛି । ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ବର୍ଷାର ସିଧାସଳଖ ପ୍ରଭାବ ଧାନ ସଂଗ୍ରହ ଉପରେ ପଡିଛି । ବର୍ଷା ଯୋଗୁଁ ଧାନ ପାଣିରେ ଭିଜିବା ସହିତ ଗଜା ହେବାର ଆଶଙ୍କା ସୃଷ୍ଟି ହୋଇଛି । ଧାର କରଜ କରି ଚାଷ କରିଥିବା ଚାଷୀ ବର୍ତ୍ତମାନ ଓଦା ଧାନକୁ ନେଇ କିଭଳି ମଣ୍ଡିରେ ବିକ୍ରି କରିବ ଚିନ୍ତାରେ ପଡିଛି ।

ଇଟିଭି ଭାରତ, ଜଗତସିଂହପୁର/ଅନୁଗୋଳ/କଳାହାଣ୍ଡି/ବୌଦ୍ଧ

Last Updated : Dec 27, 2024, 1:42 PM IST

ABOUT THE AUTHOR

...view details