କେନ୍ଦୁଝର:ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନରୁ ଆସିବାରେ ଲାଗିଛି ରାଗିଂ ଅଭିଯୋଗ । କାର୍ଯ୍ୟାନୁଷ୍ଠାନ ଗ୍ରହଣ ଜାରି ରହିଥିଲେ ସୁଦ୍ଧା କ୍ୟାମ୍ପସରେ ଏହି କାର୍ଯ୍ୟକଳାପରେ ରୋକ ଲାଗିପାରୁନି । ଏହି କ୍ରମରେ କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନୟରିଂ କଲେଜରେ ରାଗିଂ ଅଭିଯୋଗ ହୋଇଛି । ସିନିୟର ଛାତ୍ରଙ୍କ ସଂଘବଦ୍ଧ ନିର୍ଯାତନାରେ ଜଣେ କନିଷ୍ଠ ଛାତ୍ର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଭିଯୋଗ ପରେ ଆକ୍ସନ ମୋଡକୁ ଆସିଛି କଲେଜ ପ୍ରଶାସନ । ଘଟଣାର ପ୍ରାଥମିକ ତଦନ୍ତ ପରେ ସମ୍ପୃକ୍ତ ୫ ଛାତ୍ରଙ୍କୁ ଆସନ୍ତା ବର୍ଷକ ପର୍ଯ୍ୟନ୍ତ କ୍ୟାମ୍ପସରୁ ବହିଷ୍କୃତ କରାଯାଇଛି ।
ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ପୀଡିତ ଛାତ୍ର:-
କଲେଜର ଜଣେ ଦ୍ବିତୀୟ ବର୍ଷର ମାଇନିଂ ଛାତ୍ର ଏହି ଅଭିଯୋଗ କରିଛନ୍ତି । '୫ ଜଣ ସିନିୟର ଛାତ୍ର ମଙ୍ଗଳବାର ରାତିରେ ହଷ୍ଟେଲରେ କବାଟ ଭାଙ୍ଗି ତାଙ୍କ ପ୍ରକୋଷ୍ଠରେ ପ୍ରବେଶ କରି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଲୁହା ରଡରେ ପିଟିବା ସହ ନିର୍ଯାତନା ଦେଇଥିଲେ । ' ରାଗିଂ କରିଥିବା ଛାତ୍ରମାନଙ୍କ ନାମ ମୋହିତ ପାତ୍ର, ସାଫଲ୍ୟ ମଲ୍ଲିକ, କୁସୁମ ହାସଦା, ବାବୁ ଦାଶ ଓ ଶେଖର ବୋଲି ଅଭିଯୋଗକାରୀ ଛାତ୍ର ଅଭିଯୋଗରେ ଦର୍ଶାଇଛନ୍ତି । ଏମାନଙ୍କ ନିର୍ଯାତନରେ ପୀଡ଼ିତ ଗୁରୁତର ହୋଇପଡିଥିଲେ ଓ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ତାଙ୍କ ବାପା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ କଲେଜ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ୫ ଜଣ ଛାତ୍ରଙ୍କୁ କ୍ୟାମ୍ପସରୁ ବହିଷ୍କୃତ କରାଯାଇଛି । ଏମାନେ ଆସନ୍ତା ବର୍ଷେ ପର୍ଯ୍ୟନ୍ତ କ୍ୟାମ୍ପସର କୌଣସି ଏକାଡେମିକ୍ ଇଭେଣ୍ଟରେ ଅଂଶଗ୍ରହଣ କରିପାରିବେ ନାହିଁ ।
କଲେଜର ପ୍ରିନ୍ସିପାଲ ଡ. ସରୋଜ ଷଡଙ୍ଗୀ କହିଛନ୍ତି, ‘‘ରାତିରେ ଉକ୍ତ ହଷ୍ଟେଲର ଓ୍ବାର୍ଡେନ ମୋତେ ଘଟଣା ସମ୍ପର୍କରେ ଜଣାଇଲେ । ଆମେ ଏ ସମ୍ପର୍କରେ କଲେଜ ଶୃଙ୍ଖଳା କମିଟି ବୈଠକରେ ଆଲୋଚନା କରିବୁ । ଅଭିଯୋଗର ତଦନ୍ତ କରାଯିବା ପରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ଆଗକୁ କ୍ୟାମ୍ପସରେ କିପରି ଏପରି ଘଟଣାର ପୁନରାବୃତ୍ତି ନହେବ, ସେ ସମ୍ପର୍କରେ ମଧ୍ୟ ପଦକ୍ଷେପ ଗ୍ରହଣ କରିବୁ । ’’