ପୁରୀ: ପାଖେଇ ଆସୁଛି ଖ୍ରୀଷ୍ଟ ମାସ ଏବଂ ନୂଆବର୍ଷ । ଜିରୋ ନାଇଟ ଏବଂ ନ୍ୟୁୟର ସେଲିବ୍ରେସନ ପାଇଁ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରସ୍ତୁତି । ୨୦୨୪ର ସ୍ମୃତି ସାଉଁଟିବା ସହ ୨୦୨୫କୁ ନିଆରା ଢଙ୍ଗରେ ସ୍ବାଗତ କରିବାକୁ ସବୁଠି ପ୍ରସ୍ତୁତି । ଏପଟେ ଓଡ଼ିଶାର ପ୍ରାଣକେନ୍ଦ୍ର, ଜଗନ୍ନାଥ ଧାମ ପୁରୀରେ ଏବେଠୁ ଲାଗିଲାଣି ଗହଳି ଚହଳି । ଶ୍ରୀମନ୍ଦିର ଠାରୁ ମହୋଦଧି, ବଡ଼ଦାଣ୍ଡ ଠାରୁ ହୋଟେଲ ଇଣ୍ଡଷ୍ଟ୍ରି ସବୁଠି ତୟାରି । ପର୍ଯ୍ୟଟକଙ୍କ ସ୍ବାଗତ ପାଇଁ ନୂଆ ଏବଂ ନିଆରା ଢଙ୍ଗରେ ସଜେଇ ହେଲାଣି ନୀଳାଚଳ ଧାମ ।
ନୂଆବର୍ଷ ପାଇଁ ସଜେଇ ହେଲାଣି ଶ୍ରୀକ୍ଷେତ୍ର:
ନୂଆବର୍ଷକୁ ଜବରଦସ୍ତ ଢଙ୍ଗରେ ମନାଇବାକୁ ପୁରୀରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୁରୀକୁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବାର ଏବେଠୁ ସଂକେତ ମିଳିଲାଣି । ଡିସେମ୍ବର ୨୦ ତାରିଖରୁ ଜାନୁଆରୀ ୧୫ ତାରିଖ ଯାଏଁ ପୁରୀରେ ଥିବା ହୋଟେଲ ଗୁଡ଼ିକର ୮୦ରୁ ୯୦ ପ୍ରତିଶତ ବୁକିଂ ଏବେଠୁ ସରିଗଲାଣି । ଆଉ କିଛି ହୋଟେଲରେ ମାତ୍ର ୧୦ରୁ ୧୫ ପ୍ରତିଶତ ରୁମ୍ ବୁକିଂ ଅପେକ୍ଷାରେ ରହିଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଅଧିକାଂଶ ବୁକିଂ ରାଜ୍ୟ ବାହାରରୁ ହୋଇଥିବା ବେଳେ, ଅନଲାଇନ ବୁକିଂ ଅଧିକ ।
ପୁରୀରେ ୭୦୦ ହୋଟେଲ:
ପୁରୀ ସହର ଛୋଟ ବଡ଼ ହୋଟେଲ, ହଲି ଡେ ହୋମ, ଗେଷ୍ଟ ହାଉସ, ଲଜ୍ ମିଶାଇଲେ ଏହି ସଂଖ୍ୟା ୭୦୦ରୁ ଅଧିକ ହେବ । ପୁରୀରେ 40 ରୁ 50 ବଡ଼ ହୋଟେଲ ଥିବା ବେଳେ ରୁମ୍ ଦର 4 ହଜାରରୁ 7 ହଜାର ପର୍ଯ୍ୟନ୍ତ ରହିଛି । ତେବେ ହୋଟେଲଗୁଡ଼ିକର ଅଧିକାଂଶ ରୁମ ଡିସେମ୍ବର 20 ରୁ ଜାନୁଆରୀ 15 ତାରିଖ ଯାଏଁ ବୁକ୍ ହୋଇ ସାରିଛି । ହେଟେଲିୟର ଶ୍ରୀମନ୍ତ ଦାଶଙ୍କ କହିବା କଥା, "୮୦ରୁ ୯୦ ପ୍ରତିଶତ ରୁମ୍ ଅନ ଲାଇନରେ ବୁକିଂ ସରି ଯାଇଛି । କେବଳ ବ୍ୟବସାୟ ନୁହେଁ ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କୁ କିଭଳି ଅଧିକ ସୁବିଧା ଓ ଉତ୍ତମ ଆତିଥ୍ୟତା ପ୍ରଦାନ କରିହେବ ତାହା ଆମର ମୁଖ୍ୟ ଲକ୍ଷ୍ୟ ।" ରୁମ ବୁକିଂକୁ ନଜରରେ ରଖି ପୁରୀ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟର ପୂର୍ବାନୁମାନ, ଆଗାମୀ ନୂଆବର୍ଷ ସେଲିବ୍ରେସନ ପାଇଁ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ ।
କେଉଁ ବର୍ଷ କେତେ ପର୍ଯ୍ୟଟକ:
ତଥ୍ୟ ଅନୁଯାୟୀ, 2022 ମସିହାରେ ପୁରୀକୁ ମୋଟ ୧ କୋଟି ୪୭ ଲକ୍ଷ ୪୭ ହଜାର ୩୭୦ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ । ସେଥିମଧ୍ୟରୁ ୫ ହଜାର ୧୪୦ ଜଣ ବିଦେଶୀ ପର୍ଯ୍ୟଟକ ଥିଲେ । ସେହିପରି 2023 ମସିହାରେ ୨ କୋଟି ୬ ଲକ୍ଷ ୫୮ ହଜାର ୧୭୯ ଜଣ ପର୍ଯ୍ୟଟକ ପୁରୀ ବୁଲି ଆସିଥିଲେ । ସେଥିମଧ୍ୟରୁ ୯ ହଜାର ୨ ଶହ ୫୪ ଜଣ ବିଦେଶୀ ପର୍ଯ୍ୟଟକ । 2022 ତୁଳନାରେ 2023 ମସିହାରେ ପୁରୀକୁ ଯଥେଷ୍ଟ ଅଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଥିବା ବେଳେ ଚଳିତ ବର୍ଷ 2024 ରେ ବିଗତ ବର୍ଷ ଅପେକ୍ଷା ଅଧିକ ପର୍ଯ୍ୟଟକ ପୁରୀ ଆସିବେ ବୋଲି ପୁରୀ ଜିଲ୍ଲା ପର୍ଯ୍ୟଟନ ବିଭାଗ ଏବଂ ହୋଟେଲ ବ୍ୟବସାୟୀ ଆଶା ରଖିଛନ୍ତି ।
- 2022: ୧ କୋଟି ୪୭ ଲକ୍ଷ ୪୭ ହଜାର ୩୭୦ ପର୍ଯ୍ୟଟକ
- 2022: ୫ ହଜାର ୧୪୦ ବିଦେଶୀ ପର୍ଯ୍ୟଟକ
- 2023: ୨ କୋଟି ୬ ଲକ୍ଷ ୫୮ ହଜାର ୧୭୯ ପର୍ଯ୍ୟଟକ
- 2023: ୯ ହଜାର ୨ ଶହ ୫୪ ବିଦେଶୀ ପର୍ଯ୍ୟଟକ
ପର୍ଯ୍ୟଟକଙ୍କୁ ଭଲ ଆତିଥ୍ୟ ପ୍ରାଥମିକତା:
ହୋଟେଲିୟର ଶ୍ରୀମନ୍ତ ଦାଶ କହିଛନ୍ତି "ପୁରୀ ଜଗନ୍ନାଥ ଧାମ । ଦେଶର ଚାରିଧାମ ମଧ୍ୟରୁ ଅନ୍ୟତମ ଶ୍ରେଷ୍ଠ ଧାମ । ନୂଆବର୍ଷରେ ଓଡ଼ିଶାରୁ ଏବଂ ଓଡ଼ିଶା ବାହାରୁ ବହୁ ପର୍ଯ୍ୟଟକ ପୁରୀ ଆସିଥାନ୍ତି ନୂଆବର୍ଷ ପାଳନ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବା ପାଇଁ । ନୂଆବର୍ଷରେ ସକାଳୁ ମହୋଦଧିରେ ସ୍ନାନ କରି ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ବିଭିନ୍ନ ସ୍ଥାନରୁ ଭକ୍ତ ଓ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି । ହୋଟେଲିୟରଙ୍କୁ ଅନୁରୋଧ ରହିବ ନୂଆବର୍ଷ ପାଇଁ ରୁମ୍ ଦର ଅଧିକ ବଢ଼ାନ୍ତୁ ନାହିଁ । ପର୍ଯ୍ୟଟକଙ୍କୁ ଭଲ ଆତିଥ୍ୟତା ପ୍ରଦାନ କରାଯାଉ । ଫଳରେ ପୁରୀକୁ ଆସୁଥିବା ପର୍ଯ୍ୟଟକ ଏକ ଭଲ ଅନୁଭୂତି ନେଇ ଫେରିବେ । କେବଳ ବ୍ୟବସାୟ ନୁହେଁ ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କୁ କିଭଳି ଅଧିକ ସୁବିଧା ପ୍ରଦାନ କରିହେବ ତାହା ଆମର ମୁଖ୍ୟ ଲକ୍ଷ୍ୟ। "
ସ୍ବର୍ଣ୍ଣାଭ ବେଳାଭୂମି ଉପଭୋଗ ସହ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ବଡ଼ ସୁଯୋଗ:
ହୋଟେଲିୟର ବିଭୁଦତ୍ତ ସୁବୁଦ୍ଧି କହିଛନ୍ତି, "ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ ପୁରୀରେ ହୋଟେଲ ଶିଳ୍ପ ଅଗ୍ରଗତି କରୁଛି । ଏହାର ମୁଖ୍ୟ କାରଣ ପୁରୀ ସହରକୁ ଦିନକୁ ଦିନ ଅଧିକ ପର୍ଯ୍ୟଟକଙ୍କ ଆଗମନ ହେଉଛି । ଡିସେମ୍ବର ୩୧ ଜିରୋ ନାଇଟ ସେଲିବ୍ରେସନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କୋଭିଡ ମହାମାରୀ ଯୋଗୁଁ ଗତ ଦୁଇ ତିନି (୨/୩) ବର୍ଷ ହେବ ଲୋକେ ଘରେ ରହିଥିଲେ । ଅନେକ ମାନସିକ ଦୁଶ୍ଚିନ୍ତାରେ ଥିଲେ । ସେହି ଚାପରୁ ବର୍ତ୍ତିବା ପାଇଁ ଲୋକ ପୁରୀ ଆସୁଛନ୍ତି । ଡିସେମ୍ବର ମାସ ପାଣିପାଗ ଦୃଷ୍ଟିରୁ ବେଶ ସୁଖପ୍ରଦ ରହିଥାଏ । ଏଣୁ ନୂଆବର୍ଷ ସହିତ ବୁଲାବୁଲି କରିବା ପାଇଁ ଅନେକ ପର୍ଯ୍ୟଟକ ପୁରୀକୁ ଆସିଥାନ୍ତି । ପର୍ଯ୍ୟଟକମାନେ ସ୍ବର୍ଣ୍ଣାଭ ବେଳାଭୂମି ଉପଭୋଗ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଥାନ୍ତି । କେବଳ ସେତିକି ନୁହେଁ କୋଣାର୍କ, ସାତପଡ଼ା ଏବଂ ଚିଲିକା ସମେତ ଭୁବନେଶ୍ଵରର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିଥାନ୍ତି । "