ପୁରୀ/ନିଆଳି:ଅତ୍ୟଧିକ ସ୍ନାନ କରି ଜ୍ୱରରେ ପୀଡିତ ମହାବାହୁ । ଆଜି(ମଙ୍ଗଳବାର) ଅଣସର ଏକାଦଶୀରେ ଦଶମୂଳ ମୋଦକ ସେବନ କରି ସୁସ୍ଥ ହେବେ ଶ୍ରୀଜିଉ । ଏକାଦଶୀ ତିଥିରେ ଜ୍ବରରେ ଆକ୍ରାନ୍ତ ଶ୍ରୀଜିଉମାନଙ୍କୁ ଲାଗି ହେବ ଦଶମୂଳ ମୋଦକ । ଗତକାଲି(ସୋମବାର) ରାଜବୈଦ୍ୟ ଏହି ଦଶମୂଳ ମୋଦକ ପ୍ରସ୍ତୁତ କରି ଶ୍ରୀମନ୍ଦିରରେ ଦେଇଥିଲେ । ଏହି ଆୟୁର୍ବେଦ ଦଶମୂଳ ମୋଦକ ମହାପ୍ରଭୁ ସେବନ କରି ସୁସ୍ଥ ହେବେ । ସେପଟେ ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କଠାରେ ଲାଗି ହେବ ରଙ୍ଗବେରଙ୍ଗର ପୁଷ୍ପ ଓ ତୁଳସୀ ।
କିପରି ପ୍ରସ୍ତୁତ ହୁଏ ଦଳମୂଳ ମୋଦକ:ରାଜବୈଦ୍ୟଙ୍କ ଘରେ ପ୍ରସ୍ତୁତ ହୋଇଥାଏ ଏହି ଦଶମୂଳ ମୋଦକ । ଗମ୍ଭାରୀ, ବେଲ, ପାଟଳୀ, କୃଷ୍ଣପର୍ଣ୍ଣି, ଶାଳପର୍ଣ୍ଣୀ, ଅଙ୍କରାନ୍ତି, ଗୋଖରା ପରି ବିଭିନ୍ନ ପ୍ରକାରର ଆୟୁର୍ବେଦ ଚେରମୂଳରେ ଏହା ପ୍ରସ୍ତୁତ ହୋଇଥାଏ । ଏହାକୁ ସେବନ କରିବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଚତୁର୍ଦ୍ଧାମୂର୍ତ୍ତି । ଏହାକୁ ପ୍ରସ୍ତୁତ କରି ଅଣସର ଦଶମୀ ତିଥିରେ ଶ୍ରୀମନ୍ଦିରରେ ଦେଇଥାନ୍ତି ରାଜବୈଦ ।
ଅନ୍ୟପଟେ ଆଜି ଏକାଦଶୀ ତିଥିରେ ମହାପ୍ରଭୁଙ୍କଠାରେ ଲାଗି ହେବ ରଙ୍ଗବେରଙ୍ଗର ପୁଷ୍ପ ଓ ତୁଳସୀ । ଶ୍ରୀମନ୍ଦିରରେ ବାଜିବ ଘଣ୍ଟ ଘଣ୍ଟାର ଶବ୍ଦ । ସନ୍ଧ୍ୟାଧୂପ ପରେ ଆରମ୍ଭ ହେବ ଏହି ନୀତି । ସୁଦ୍ଧସୂଆର ମାନେ ଖଳି ପ୍ରସ୍ତୁତ କରି ମନ୍ଦିରକୁ ଦେବା ପରେ ଦଇତାପତିଙ୍କ ଦ୍ୱାରା ମଧ୍ୟାହ୍ନ ଧୂପ ହେବ । ଏହାପରେ ଲାଗି କରାଯାଇ ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ଲାଗି କରାଯିବ । ଆସନ୍ତାକାଲି (ବୁଧବାର) ଅଣସର ଦ୍ୱାଦଶୀ ତିଥିରେ ସକାଳଧୂପ ପରେ ମହାପ୍ରଭୁଙ୍କ ସୁସ୍ଥ ହେବା ଖବର ନେଇ ଶ୍ରୀନଅରକୁ ଯିବେ ଦଇତାପତି ସେବାୟତମାନେ । ମହାପ୍ରଭୁଙ୍କ ରଥଯାତ୍ରା ପ୍ରସ୍ତୁତି ନିମନ୍ତେ ଗଜପତିଙ୍କୁ ବାର୍ତ୍ତା ଦେବେ ।