ଓଡିଶା

odisha

ETV Bharat / state

ମହାପ୍ରଭୁଙ୍କ ଜମି ବିକ୍ରି, 'ଦୋଷୀଙ୍କ ବିରୋଧରେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ' - PURI JAGANNATH TEMPLE LAND ISSUE

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିକୁ ବେଆଇନ ଭାବେ ବିକ୍ରି ପ୍ରସଙ୍ଗ । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଜଣଙ୍କ ନାଁରେ ମାମଲା ରୁଜୁ ।

PURI JAGANNATH TEMPLE LAND ISSUE
PURI JAGANNATH TEMPLE LAND ISSUE (ETV Bharat Odisha)

By ETV Bharat Odisha Team

Published : Nov 20, 2024, 3:19 PM IST

ପୁରୀ:ମହାପ୍ରଭୁଙ୍କ ଜମି ଜବରଦଖଲ ମାମଲା । ମାଟି ତୋଟା ମୌଜାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିକୁ ବେଆଇନ୍ ଭାବେ ଜବରଦଖଲ ଏବଂ କିଣା ବିକା ହୋଇଥିବା ପ୍ରସଙ୍ଗରେ ନିଜର ମତ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ମହାପ୍ରଭୁଙ୍କ ଜମି ବିକ୍ରି ପ୍ରସଙ୍ଗ, ଏମିତି କହିଲେ ଉପମୁଖ୍ୟମନ୍ତ୍ରୀ:

PURI JAGANNATH TEMPLE LAND ISSUE (ETV Bharat Odisha)

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି,"ସରକାରୀ ଜମିକୁ ଯିଏ ବି ଜବରଦଖଲ କରୁ ଏବଂ ବେଆଇନ୍ ଭାବରେ କିଣାବିକା କରୁ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ସରକାର ବିକାଶମୂଳକ କାର୍ଯ୍ୟ ପାଇଁ ବଦ୍ଧପରିକର ଥିବାବେଳେ ଏଥିପାଇଁ ଅନେକ ଜମିର ଆବଶ୍ୟକତା ରହିଛି । ସେହିପରି ପୁରୀରେ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଅନେକ ଜମିର ଆବଶ୍ୟକତା ରହିଛି । ଏଣୁ ସରକାରୀ ଜମି ହେଉ ଅବା ମହାପ୍ରଭୁଙ୍କ ଜମି ଯେଉଁମାନେ ବେଆଇନ୍ ଭାବେ ଜବରଦଖଲ କରିଥିବେ ଅବା କିଣାବିକା କରିଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବା ସହ ଜମିଗୁଡିକୁ ମଧ୍ୟ ଉଦ୍ଧାର କରାଯିବ । "

୭ ଜଣଙ୍କ ନାଁରେ ମାମଲା ରୁଜୁ:

ପୁରୀ ବାସେଳୀ ସାହି ଥାନା ମାଟି ତୋଟା ମୌଜାରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୬୪ ଏକର ଜମି ବେଆଇନ୍ ଭାବେ ପ୍ଲଟିଙ୍ଗ କରି ବିକ୍ରି କରାଯିବା ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି । ଏଥିସହିତ ଘଟଣାର ତଦନ୍ତ କରୁଥିବା ଅଧିକାରୀଙ୍କୁ ସମସ୍ତ ତଥ୍ୟ ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରାଯାଇଛି । ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି," ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ ଏବଂ ତହସିଲଦାର ମିଳିତ ଭାବେ ଘଟଣାସ୍ଥଳ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନ ଅନୁଯାୟୀ କିଭଳି ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଘର ଉଚ୍ଛେଦ ସହ ମହାପ୍ରଭୁଙ୍କ ଜମିକୁ ସୁରକ୍ଷା ଯୋଗାଇ ଦିଆଯିବ ସେନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । "

PURI JAGANNATH TEMPLE LAND ISSUE (ETV Bharat Odisha)

ନୋଟାରୀ ମାଧ୍ୟମରେ ବିକ୍ରି ହୋଇଛି ମହାପ୍ରଭୁଙ୍କ ଜମି :
ବାସେଳି ସାହି ଥାନା ଅନ୍ତର୍ଗତ ମାଟିତୋଟା ମୌଜାରେ ରହିଛି ୬୪ ଏକର ୮୮ ଡ଼ିସିମିଲ ଜମି । ୟୁନିଟ ୧ ଖାତା ନମ୍ବର ୩୮ରେ ୧୦୯ଟି ରାଜସ୍ୱ ପ୍ଲଟ ବେଆଇନ ଭାବେ ଜବରଦଖଲ ହୋଇ ହସ୍ତାନ୍ତର ବା ନୋଟାରୀ ମାଧ୍ୟମରେ ବିକ୍ରି ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ଏହା ଜାଣିବା ପରେ ବାସେଳୀ ସାହି ଥାନାରେ ଏତଲା ଦେବା ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବ୍ୟକ୍ତିଗତ ଭାବେ ଜିଲ୍ଲାପାଳ ଓ ଏସପିଙ୍କ ସହ କଥା ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନର ମୂଲ୍ୟବାନ ଜମି ବେଆଇନ ଭାବେ ଜବରଦଖଲ କରିବା ଓ ହସ୍ତାନ୍ତର କରିବା ଆଇନଗତଃ ଅପରାଧ । ଏଥିରୁ ନିବୃତ୍ତ ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ଏକ ପ୍ରେସ ଇସ୍ତାହାର ଯୋଗେ ଅବଗତ କରାଇଥିଲା । ବେଆଇନ ଭାବେ ଜମି ହାତେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଅବଗତ କରାଯିବା ସହ ବାସେଳୀ ସାହି ଥାନାରେ ଏତଲା ଦିଆଯାଇଛି । ଯେଉଁ ବ୍ୟକ୍ତି ବିଶେଷ ବେଆଇନ୍ ଜମିରେ ନିର୍ମାଣ କରିଛନ୍ତି, ତାହାକୁ ତୁରନ୍ତ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ ...'ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି, ଜାନୁଆରୀରେ ଆସିବ ରତ୍ନର ପୂରା ହିସାବ'

ଏହା ମଧ୍ୟ ପଢନ୍ତୁ ...ଝଲସିବ ଶ୍ରୀମନ୍ଦିର, ଗୁମୁଟ ଦ୍ୱାରରୁ ନେଇ ରତ୍ନ ପଲଙ୍କ ହେବ ରୂପା ଛାଉଣୀ

ଏହା ମଧ୍ୟ ପଢନ୍ତୁ ...ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ, ନାକେଦମ ହେଲା ପ୍ରଶାସନ


ଏମିତି କହିଲେ ସେବାୟତ:

PURI JAGANNATH TEMPLE LAND ISSUE (ETV Bharat Odisha)
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ କହିଛନ୍ତି,"ପୁରୀ କାହିଁକି ସାରା ରାଜ୍ୟରେ ଏବଂ ଦେଶରେ ମହାପ୍ରଭୁଙ୍କ ନାମରେ ଅନେକ ଜମି ରହିଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ସୁରକ୍ଷା କରାଯାଉନାହିଁ । ପୂର୍ବ ସରକାର ନୂଆ ୟୁନିଫର୍ମ ପଲିସି କରି ଲୋକଙ୍କୁ ଜମି ପଟ୍ଟା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ । ହେଲେ ଦୁର୍ଭାଗ୍ୟର ବିଷୟ ଏହା ଠିକରେ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ । ଏଣୁ ଆଜି ଏହି ଭଳି ଅବସ୍ଥା ହେଇଛି । ତେବେ ୟୁନିଫର୍ମ ପଲିସି ଶ୍ରୀମନ୍ଦିର ପ୍ରଶାସନ ଜମିକୁ ସେଟଲ ନକଲେ ଏହିଭଳି ସବୁବେଳେ ପରିସ୍ଥିତି ସୃଷ୍ଟି ହେଉଥିବ । ଅନେକ ଲୋକ ପୁରୁଷ ପୁରୁଷ ଧରି ଜମିରେ ରହି ଆସୁଥିବା ବେଳେ ତାଙ୍କର ପଟା ହୋଇ ପାରିନାହିଁ । ଯାହାକୁ ନେଇ ଲୋକମାନେ ବହୁତ ଅସୁବିଧା ଭୋଗୁଛନ୍ତି । "

ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଦାବି:

ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି,"ପୁରୀ ସହରର 80 ଭାଗ ଲୋକଙ୍କ ଜମିଜମା ସମସ୍ୟା ରହିଛି । ତାଙ୍କର ପାଖରେ ପଟ୍ଟା ଓ ଦଲିଲ ଥିଲେ ମଧ୍ୟ ଏହାକୁ ସେମାନେ କୌଣସି କାର୍ଯ୍ୟରେ ବ୍ୟବହାର କରିପାରୁନାହାନ୍ତି । ଏହା ଏକ ଜଟିଳ ଆଇନଗତ ପ୍ରକ୍ରିୟାରେ ରହିଛି । ତେବେ ନୋଟାରୀରେ ଜମି କିଣାବିକା ସମ୍ପୂର୍ଣ୍ଣ ଅସିଦ୍ଧ । ଏହି କାର୍ଯ୍ୟ ଯିଏ କରିଛି ସେ ଚଞ୍ଚକତା କରିଛି । ଏହା ବିରୋଧରେ ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେଉ । ବେଆଇନ୍ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଶାସନ କାର୍ଯ୍ୟନୁଷ୍ଠାନ ନେଇ ଜମିକୁ ଉଦ୍ଧାର କରାଯାଉ । ତେବେ 2015 ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପୁରୁଷ ପୁରୁଷ ଧରି ରହି ଆସିଥିବା ବ୍ୟକ୍ତିଙ୍କୁ ରହିଥିବା ସ୍ଥାନର ପ୍ରଜାସତ୍ଵ ପ୍ରଦାନ କରୁ ।"



ଇଟିଭି ଭାରତ, ପୁରୀ

ABOUT THE AUTHOR

...view details