ଓଡିଶା

odisha

Srimandir New Rules: ସେପ୍ଟେମ୍ବର ପହିଲାରୁ ଶ୍ରୀମନ୍ଦିରରେ ବାସି ଅବଢ଼ା ବିକ୍ରି ବନ୍ଦ, ଆନନ୍ଦ ବଜାର ଜଗିବେ ପୂର୍ବତନ ସେନା କର୍ମଚାରୀ - ROTTEN MAHAPRASAD SALE BAN

By ETV Bharat Odisha Team

Published : Aug 29, 2024, 11:37 AM IST

Rotten Mahaprasad Sale Ban in Puri Jagannath Temple: ସେପ୍ଟେମ୍ବର 1 ତାରିଖରୁ ଆନନ୍ଦ ବଜାରରେ ଲାଗୁ ହେବ ନୂଆ ନିୟମ । ଆନନ୍ଦ ବଜାରରେ ଶୃଙ୍ଖଳା ନେଇ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ନିଷ୍ପତ୍ତି । ବାସି ମହାପ୍ରସାଦ ବା ଅବଢ଼ା ବିକ୍ରି ଉପରେ ଲାଗିବ ରୋକ । ଅଧିକ ପଢନ୍ତୁ

MAHAPRASAD
MAHAPRASAD (ETV BHARAT ODISHA)

ପୁରୀ:ଶ୍ରୀମନ୍ଦିର ଆନନ୍ଦ ବଜାରରେ ଆସିବ ଶୃଙ୍ଖଳା। ସେପ୍ଟେମ୍ବର 1 ତାରିଖରୁ ଆନନ୍ଦବଜାରରେ ଲାଗୁ ହେବ ନୂଆ ନିୟମ । ବାସି ମହାପ୍ରସାଦ ବା ଅବଢ଼ା ବିକ୍ରି ଉପରେ ଲାଗିବ ରୋକ । ଅଣ ସେବାୟତ ବିକ୍ରି କରିପାରିବେନି ମହାପ୍ରସାଦ । ଆନନ୍ଦ ବଜାର ବ୍ୟତିତ ଶ୍ରୀ ମନ୍ଦିରର ଅନ୍ୟ କୌଣସି ସ୍ଥାନରେ ମହାପ୍ରସାଦ ବିକ୍ରି ପାଇଁ ଅନୁମତି ଦିଆଯିବ ନାହିଁ । ନିର୍ଦ୍ଧାରିତ ସ୍ଥାନରେ ବସି ସୁଆର ମହାସୁଆର ସେବକ ମହାପ୍ରସାଦ ବିକ୍ରି କରିବେ । ଏଥିସହ ଶ୍ରୀମନ୍ଦିର ବାହାରେ ତିଆରି ହୋଇ ବିକ୍ରି ହେଉଥିବା ଖାଦ୍ୟ ଉପରେ ଲାଗିବ ରୋକ । ଆନନ୍ଦ ବଜାରରେ କିପରି ଶୃଙ୍ଖଳା ବଜାୟ ରଖିହେବ, ସେ ନେଇ ଗତକାଲି ମନ୍ଦିର ପ୍ରଶାସନର ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି ।

MAHAPRASAD (ETV BHARAT ODISHA)

ଶ୍ରୀମନ୍ଦିରରେ ବିକ୍ରି ହେବନି ବାସି ମହାପ୍ରସାଦ:

ଶ୍ରୀମନ୍ଦିରରେ ବାସି ମହାପ୍ରସାଦ ବିକ୍ରି ହେବାର ଖବର ନଜିର ରହିଛି । ଏହା ଉପରେ ଏଥର ରୋକ ଲଗାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି । ଖାଦ୍ୟର ମାନ ପ୍ରତିଦିନ ଫୁଡ ଇନସ୍ପେକ୍ଟର ଦ୍ବାରା ଯାଞ୍ଚ କରାଯିବ । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓଏସଡି ଅଜୟ କୁମାର ଜେନା ।

ଆନନ୍ଦ ବଜାର ଜଗିବେ ପୂର୍ବତନ ସେନା କର୍ମଚାରୀ:

ଆସନ୍ତା 1 ତାରଖରୁ ଆନନ୍ଦ ବଜାରରେ ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଶୃଂଙ୍ଖଳା ରକ୍ଷା ପାଇଁ 60 ପୂର୍ବତନ ସେନା କର୍ମଚାରୀଙ୍କୁ ଆନନ୍ଦ ବଜାରରେ ନିୟୋଜନ କରାଯିବ । ଏକ ଆଉଟ୍ ସୋର୍ସିଂ ସଂସ୍ଥା ଅଧୀନରେ ସେମାନେ କାର୍ଯ୍ୟ କରିବେ । ପୂର୍ବତନ ସେନା କର୍ମଚାରୀଙ୍କୁ ଏଥିପାଇଁ ଟ୍ରେନିଂ ମଧ୍ୟ ଦିଆଯିବ । ଏହା ଛଡ଼ା ଆନନ୍ଦ ବଜାରରେ କ୍ଲୋଜ ସର୍କିଟ କ୍ୟାମେରା ବ୍ୟବସ୍ଥା କରାଯିବ । ଭକ୍ତଙ୍କ ସୁରକ୍ଷା ପାଇଁ ପୋଲିସ ସହାୟତା କେନ୍ଦ୍ର ଖୋଲାଯିବା ନେଇ ପ୍ରସ୍ତାବ ରହିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓଏସଡି ।

ନିର୍ଦ୍ଧାରିତ ସ୍ଥାନରେ ବିକ୍ରି ହେବ ମହାପ୍ରସାଦ:

ଶ୍ରୀମନ୍ଦିର ପ୍ରଶାସନ ଓଏସଡି ଅଜୟ କୁମାର ଜେନା କହିଛନ୍ତି, ''ଏଣିକି ଶ୍ରୀମନ୍ଦିରରେ ମନ ଇଚ୍ଛା ଯେଉଁଠି ବସି ସେଇଠି ମାହାପ୍ରସାଦ ବିକ୍ରି କରିପାରିବେନି ସେବାୟତ । ଯେଉଁଠି ସ୍ଥାନ ନିର୍ଦ୍ଧାରଣ କରାଯାଇଛି, ସେହି ସ୍ଥାନରେ ହିଁ ଅବଢ଼ା ବିକ୍ରି ହେବ । କୋଇଲି ବୈକୁଣ୍ଠ କିମ୍ବା ଅନ୍ୟ କୌଣସି ସ୍ଥାନରେ ବିକ୍ରି ହୋଇପାରିବ ନାହିଁ ମହାପ୍ରସାଦ । ଏହି ସବୁ ବ୍ୟବସ୍ଥା ଚୂଡ଼ାନ୍ତ ପାଇଁ ଖୁବଶୀଘ୍ର ମନ୍ଦିର ପ୍ରଶାସନଏବଂ ସୁଆର ମହାସୁଆର ନିଯୋଗ କର୍ମକର୍ତ୍ତାଙ୍କୁ ନେଇ ବୈଠକ ଅନୁଷ୍ଠିତ ହେବ । ସେହିପରି ମହାପ୍ରସାଦ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଆଲୋଚନା ଜାରି ରହିଛି । ଆସନ୍ତାକାଲି 30 ତାରିଖ ଭିତରେ ଏଥିପାଇଁ ସମସ୍ତଙ୍କୁ ନିଯୁକ୍ତି ଦିଆଯିବ । ପିଏସଆଇପିଏଲ ମାଧ୍ୟମରେ ନିଯୁକ୍ତି କରାଯାଉଛି । ''

ଏହା ମଧ୍ୟ ପଢନ୍ତୁ-ଭକ୍ତଙ୍କୁ ମିଳିବ ମାଗଣା ମହାପ୍ରସାଦ, ଖୁବଶୀଘ୍ର ରତ୍ନଭଣ୍ଡାର ଯାଞ୍ଚ ଆରମ୍ଭ - free Mahaprasad to devotees in Puri

ଚିହ୍ନଟ ହେବେ ସୁପକାର ଅଣସୁପକାର:

ସୁପକାର ଅଣସୁପକାର ମଧ୍ୟ ଚିହ୍ନଟ ହେବେ । ଏଥିପାଇଁ ସେମାନେ ଆଜି ଲିଷ୍ଟ ଦେବେ । କେଉଁମାନେ ଅବଢ଼ା, କେଉଁମାନେ ପିଠା ଓ କେଉଁମାନେ ଖଜା ବିକ୍ରି କରିବେ ସେନେଇ ଲିଷ୍ଟ ଦିଆଯିବ । ଦରକାର ପଡିଲେ ମନ୍ଦିର ପ୍ରଶାସନ ସେମାନଙ୍କୁ ଆଇକାର୍ଡ ମଧ୍ୟ ପ୍ରଦାନ କରିବ । ଫଳରେ ଚିହ୍ନଟ କରିବାର କୌଣସି ଅସୁବିଧା ହେବ ନାହିଁ ।

ଆନନ୍ଦବଜାରରେ ଭକ୍ତଙ୍କ ସୁରକ୍ଷା ଉପରେ ଦୃଷ୍ଟି:

ଖରା ଓ ବର୍ଷାରୁ ଭକ୍ତଙ୍କୁ ସୁରକ୍ଷା ପାଇଁ ଆନନ୍ଦ ବଜାର ଉପରେ ସେଡ ନିର୍ମାଣ କରାଯାଉଛି । ସେଠାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟିପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଆନନ୍ଦ ବଜାରରେ ଦଲାଲି ବ୍ୟବସ୍ଥା ଉଚ୍ଛେଦ କରାଯିବ । କେବଳ ଅଧିକୃତ ସୁଆର ମହାସୁଆର ସେବକଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ । ଭକ୍ତଙ୍କୁ ଦୁର୍ବ୍ୟବହାର ଅଭିଯୋଗ ଆସିଲେ ସଙ୍ଗେ ସଙ୍ଗେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆଗାମୀ ଦିନରେ ହେବାକୁ ଥ‌ିବା ବୈଠକରେ ପୁରୀ ଏସପି ଉପସ୍ଥିତ ରହି ଆନନ୍ଦ ବଜାରରେ ଭକ୍ତଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ ସେ ନେଇ ନିଷ୍ପତ୍ତି ହେବ। ଶ୍ରୀମନ୍ଦିରରେ ଆନନ୍ଦ ବଜାରରେ ଭକ୍ତଙ୍କୁ ଶୋଷଣଏବଂ ଖରାପ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇ ଆସୁଛି । ତେଣୁ ସେଠାରେ ସଂସ୍କାର ଆଣିବା ପାଇଁ ମନ୍ଦିର ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି । ଏହିସବୁ ବ୍ୟବସ୍ଥା ଗୁଡ଼ିକ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀ ମନ୍ଦିର ପ୍ରଶାସନ ଓଏସଡି(OSD) ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details