ପୁରୀ: ଦିନକ ପରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ରଥଯାତ୍ରାକୁ ଆସୁଥିବା ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ''ରଥଯାତ୍ରା ୨୦୨୪'' ନାମକ ଏକ ମୋବାଇଲ ଆପ୍ ଲଞ୍ଚ କରାଯାଇଛି । ଏହି ଆପ ଡାଉନଲୋଡ୍ କରି ଶ୍ରଦ୍ଧାଳୁ ନିଜ ନିକଟରେ ଥିବା ପାନୀୟଜଳ ବ୍ୟବସ୍ଥା, ସ୍ବାସ୍ଥ୍ୟକେନ୍ଦ୍ର, ମାଗଣା ଖାଦ୍ୟବଣ୍ଟନ ସ୍ଥଳୀ, ପୋଲିସ ସେବାକେନ୍ଦ୍ର, ଶିଶୁ ଡେସ୍କ ହେଲ୍ପଲାଇନ, ସୂଚନା କେନ୍ଦ୍ର, ଅସ୍ଥାୟୀ ରହଣି ଶିବିର, ଭିନ୍ନକ୍ଷମ ପାଇଁ ରଥ ଦର୍ଶନ ହ୍ବିଲଚେୟାର ବ୍ୟବସ୍ଥା, ଲାଇଫ ଗାର୍ଡ ସେବା, କଣ୍ଟ୍ରୋଲ ରୁମ୍ ଇତ୍ୟାଦି ବ୍ୟବସ୍ଥା ସମ୍ପର୍କରେ ସହଜରେ ଜାଣିପାରିବେ ।
ରଥଯାତ୍ରା ନିମନ୍ତେ ପ୍ରଶାସନ ପକ୍ଷରୁ ହୋଇଥିବା ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସହଜରେ ସମସ୍ତ ସୂଚନା ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ନିକଟରେ ଉପଲବ୍ଧ କରାଇବା ଉଦ୍ଦେଶ୍ୟରେ ଏହି ମୋବାଇଲ୍ ଆପ୍ ଲଞ୍ଚ କରାଯାଇଛି । ଏହା ଜରିଆରେ ବ୍ୟବହାରୀକାରୀ ନିଜ ନିକଟରେ ଥିବା ହୋଟେଲ ରେସ୍ତୋରାଁ, ପାର୍କିଂ ସ୍ଥାନ ଇତ୍ୟାଦି ବିଷୟରେ ମଧ୍ୟ ସୂଚନା ପାଇପାରିବେ । ଏଥିସହ ସହର ମଧ୍ୟରେ ଥିବା ବିଭିନ୍ନ ଦେବସ୍ଥଳୀ ଗୁଡିକ ସମ୍ପର୍କରେ ଜାଣିପାରିବେ । ନାଭିଗେଶନ ମାଧ୍ୟମରେ ସହଜରେ ସେ ସ୍ଥାନରେ ପହଞ୍ଚି ମଧ୍ୟ ପାରିବେ ।