ରାଇରଙ୍ଗପୁର: ଅଭିନବ ଉପାୟରେ ପ୍ରତିବାଦ । ରାଜପଥ ମଝିରେ ପତାକା ଉତ୍ତୋଳନ କଲେ ବାଙ୍ଗିରିପୋଷିର ବାସିନ୍ଦା । ଦୀର୍ଘ ୧୨ ଘଣ୍ଟା ଜାତୀୟ ରାଜପଥକୁ ବନ୍ଦ କରିଥିଲେ ଅଞ୍ଚଳବାସୀ । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଦେଶ ଏତେ ଆଗକୁ ବଢ଼ୁଥିବା ବେଳେ ଏପର୍ଯ୍ୟନ୍ତ ବିଜୁଳି ତାଙ୍କ ପାଖରେ ପହଞ୍ଚି ପାରିନାହିଁ । ଅନେକ ଥର ଦାବି ଶୁଣେଇଥିଲେ ମଧ୍ୟ ତାଙ୍କ ଗୁହାରୀ କେହି ଶୁଣିନଥିଲେ । ଫଳରେ ସେମାନେ ଏହି ଭଳି ପଦକ୍ଷେପ ନେଇଛନ୍ତି ।
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଦୁଆରଶୁଣୀ ଘାଟି ତଳ ୪୯ ନଂ ଜାତୀୟ ରାଜପଥରେ କରାଗଲା ପତାକା ଉତ୍ତୋଳନ । ଶତାଧିକ ଲୋକ ରାସ୍ତା ଅବରୋଧ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଦୀର୍ଘ ଦିନରୁ ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଚାକିଡି ଗ୍ରାମ ପଞ୍ଚାୟତରେ ବିଦ୍ୟୁତର ସମସ୍ୟା ରହିଛି । ଦେଶ ଦୁନିଆ ଏତେ ଆଗକୁ ବଢ଼ିଥିଲେ ମଧ୍ୟ ଏବେ ବି ଅନ୍ଧାରରେ ଦିନ କାଟୁଛନ୍ତି ଚାକିଡି ଗ୍ରାମର ଲୋକ । ଗ୍ରାମବାସୀଙ୍କ ତରଫରୁ ବିଦ୍ୟୁତ ସଂଯୋଗୀକରଣ ପାଇଁ ବାରମ୍ବାର ଦାବି କରାଯାଇଥିଲା । ହେଲେ ସେ ସବୁ ଅସୁବିଧା କେବଳ କାଗଜରେ ରହିଯାଇଛି । ସମସ୍ୟାର କିଛି ସମାଧାନ ନହେବାରୁ ଏହିଭଳି ପଦକ୍ଷେପ ନେଇଥିବା କହିଛନ୍ତି ଗ୍ରାମବାସୀ ।