ଖୋର୍ଦ୍ଧା:ଜନସାଧାରଣଙ୍କ ସୁବିଧା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସ୍ବାସ୍ଥ୍ୟ ହେଉ କିମ୍ବା ଗମନାଗମନ, ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ କୋଟିକୋଟି ଟଙ୍କା ବିନିମୟ ହେଉଛି । ମାତ୍ର ଫଳ ଶୂନ, ଅନେକ ସମସ୍ୟା ଘେରରେ ରହିଛି ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ । ବର୍ଷ ବର୍ଷ ଧରି ଏଠାକାର ଲୋକମାନେ ସମସ୍ୟା ସହ ଜୁଝି ହେଉଛନ୍ତି ।
୧୯୯୪ ମସିହା ଏପ୍ରିଲ ୨୪ରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ନଳିନୀକାନ୍ତ ମହାନ୍ତି ଏବଂ ସେତେବେଳର ଖୋର୍ଦ୍ଧା ବିଧାୟକ ତଥା ସାଧାରଣ ଅଭିଯୋଗ ଓ ପେନସନ ବିଭାଗ ମନ୍ତ୍ରୀ ପ୍ରସନ୍ନ ପାଟ୍ଟଶାଣୀ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡର ଉଦଘାଟନ କରିଥିଲେ । ଭୁବନେଶ୍ଵରରୁ ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାକୁ ଯାଉଥିବା ବସରେ ଯିବାକୁ ଥିବା ଯାତ୍ରୀଙ୍କ ଭିଡ଼ ଜମିଥାଏ ଏଠାରେ । ହେଲେ ଆଜିବି ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି ଖୋର୍ଦ୍ଧା ବସଷ୍ଟାଣ୍ଡ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଜନତା ।
ତେବେ ଏହି ବସଷ୍ଟାଣ୍ଡର ସମ୍ପ୍ରସାରଣ ଛାତ ପାଇଁ ମୂଳଦୁଆ ପଡ଼ି ମିଟରେ ଲେଖାଏଁ ଉଠିଥିବା ପିଲର ଗୁଡିକ ଯେମିତି ସେମିତି ରହିଛି । ସେହିପରି ଉପର ମହଲା ପାଇଁ ହେଉଥିବା ଗୃହ ଅଧାପନ୍ତରିଆ ଭାବେ ରହିଛି । ବସଷ୍ଟାଣ୍ଡ ଭିତରେ ଥିବା କେତେକ ଷ୍ଟଲ ଖୋଲା ଯାଉନି । ବିପଦ ସଙ୍କୁଳ ଭାବେ ଯାତ୍ରୀ ବିଶ୍ରାମଗାର ଛାତ ରହିଛି । କଳଙ୍କି ଯୁକ୍ତ ଲୁହାରଡ ଦେଖାଗଲାଣି । ବସଷ୍ଟାଣ୍ଡରେ ଯାତ୍ରୀଙ୍କ ବସିବା ପାଇଁ କୌଣସି ସୁବିଧା ନଥିବା ବେଳେ ଅଧା ଗଢା ବାରଣ୍ଡା ପାଚେରୀରେ ବସୁଛନ୍ତି ଯାତ୍ରୀ ।