ବଲାଙ୍ଗୀର:ତୀବ୍ର ହେବାରେ ଲାଗିଛି 'ଗନ୍ଧମାର୍ଦ୍ଧନ ବଞ୍ଚାଅ' ଆନ୍ଦୋଳନ । ବିଭିନ୍ନ ସଂଗଠନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଆଜି ଦୀର୍ଘ 56 ଦିନରେ ପହଞ୍ଚିଛି । ଆଜି ଆୟୋଜିତ ମହାସମାବେଶରେ ବରଗଡ଼ ଓ ବଲାଙ୍ଗୀରର ଏକାଧିକ ସଂଗଠନ ସାମିଲ ହୋଇଥିବା ବେଳେ ବିରୋଧୀ ‘ବିଜେଡି’ ମଧ୍ୟ ଏଥିରେ ଲମ୍ଫ ମାରିଛି ।
- ସୁରକ୍ଷା ଦାବିରେ 56 ଦିନ ଧରି ଧାରଣା:
ଗନ୍ଧମାର୍ଦ୍ଧନ ପାହାଡ ତଳେ ଚାଲି ଥିବା ଅହୋରତ୍ର ଧାରଣା 56 ଦିନରେ ପହଞ୍ଚିଛି । ଏନେଇ ଆଜି ଏକ ବିଶାଳ ଜନସମାବେଶ ହୋଇଛି । ଯେଉଁଥିରେ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ପ୍ରାୟ ସମସ୍ତ ଛାମୁଆ ସଂଗଠନ ସହ ‘ବିଜେଡି’ର ନେତାମାନେ ସାମିଲ ହୋଇ ସ୍ବର ଉଠାଇଛନ୍ତି । ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଐତିହାସିକ ଓ ପର୍ଯ୍ୟଟନସ୍ଥଳ ଗନ୍ଧମାର୍ଦ୍ଧନ । ଏଠାରେ ଗଚ୍ଛିତ ଥିବା ବକ୍ସାଇଟ୍ ଖନନ ପାଇଁ ଆଦାନୀ କମ୍ପାନୀ ହାତକୁ ଏହାକୁ ଟେକିଦେବା ପାଇଁ ସରକାର ଯୋଜନା କରୁଥିବା ଅଭିଯୋଗ ହେବା ସହ ଏହା ବିରୋଧରେ ବିରୋଧାଭାଷ ମଧ୍ୟ ତେଜିବାରେ ଲାଗିଛି । ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଶତାଧିକ ସଂଗଠନ ସହ କୋଶଳ ରାଜ୍ୟ ସଂଗଠନ ଏପରିକି ବିରୋଧୀ ବିଜେଡି ଓ କଂଗ୍ରେସ ମଧ୍ୟ ବିରୋଧ କରିଛନ୍ତି ।
‘ଗନ୍ଧମାର୍ଦ୍ଧନ ବଞ୍ଚାଅ ଯୁବ କମିଟି’ ଓ ‘ଗନ୍ଧମାର୍ଦ୍ଧନ ସୁରକ୍ଷା କମିଟି’ ପକ୍ଷରୁ ଏହି ପାହାଡ ତଳେ ଅହୋରତ୍ର ଧାରଣା ଦିଆଯାଉଛି । ବରଗଡ଼ର ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ପୂର୍ବତନ ବିଧାୟିକା ରୀତା ସାହୁ, ପଦ୍ମପୁର ବିଧାୟିକା ବର୍ଷା ସିଂହ ବରିହା, ବରଗଡ଼ ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପାଟଣାଗଡ଼ ପୂର୍ବତନ ବିଧାୟକ ସରୋଜ ମେହେର, ପ୍ରକୃତି କର୍ମୀ ପ୍ରଫୁଲ୍ଲ ସାମନ୍ତ ରାୟ ଓ କୋଶଳ ନେତା ପ୍ରମୋଦ ମିଶ୍ର ପ୍ରମୁଖ ଏହି ସମାବେଶରେ ଯୋଗ ଦେଇଥିଲେ । ସରକାର ଲିଖିତ ଭାବରେ ଗନ୍ଧମାର୍ଦ୍ଧନରେ ଖଣି ଖନନ ହେବନାହିଁ ବୋଲି ଦିଅନ୍ତୁ । ଏହାସହ ବିଧାନସଭାରେ ଏଥିପାଇଁ ସ୍ବତନ୍ତ୍ର ଆଇନ ଆଣନ୍ତୁ ବୋଲି ଏମାନେ ବାଦି କରିଛନ୍ତି ।
- 'ଗନ୍ଧମାର୍ଦ୍ଦନ ଆମ ମା’'
ବିଜେଡିର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି," ଗନ୍ଧମାର୍ଦ୍ଧନ ପାହାଡ ଏହି ଦୁଇ ଜିଲ୍ଲାର ଜୀବନ ଜୀବିକା । ଏହା ଆମ ମା’ । 40 ବର୍ଷ ତଳେ ସେତେବେଳର ସରକାର ଏହା ଉପରେ ଲୋଲୁପ ଦୃଷ୍ଟି ପକାଇଥିଲେ । ସମାନ ଭାବରେ ଏବେ ବର୍ତ୍ତମାନ ସରକାର ଏଠାରେ ଥିବା ବକ୍ସାଇଟ ଖନନ ପାଇଁ ଆଦାନିକୁ ବିକ୍ରି କରୁଛନ୍ତି । ଏଠାକାର ସବୁ ସାମିଜକ ସଂଗଠନ, ଗନ୍ଧମାର୍ଦ୍ଧନ ସୁରକ୍ଷା କମିଟି ଏହାକୁ ବିରୋଧ କରି 56 ଦିନ ହେବ ଆନ୍ଦୋଳନ କରି ଆସୁଛନ୍ତି । ତେବେ ବିଜେଡି ଦଳ ସହିତ ମୋର ମଧ୍ୟ ସମର୍ଥନ ଅଛି । ଆମେ କେବେବି ଏହାର ଖନନ ହେବାକୁ ଦେବୁନାହିଁ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ତୀବ୍ର ଆନ୍ଦୋଳନ କରିବ ।"
- 'ଆୟୋଜକଙ୍କୁ ଧନ୍ୟବାଦ'
ସେହିପରି ପାଟଣାଗଡ଼ ପୂର୍ବତନ ବିଧାୟକସରୋଜ ମେହେରକହିଛନ୍ତି,"80 ଦଶକ ପରେ କୌଣସି କମ୍ପାନୀ ଏଠାରେ ଜମି କ୍ରୟ କରୁ ନଥିଲା । ହେଲେ ଏବେ ଏଠି ଆଦାନୀ କମ୍ପାନୀ ଜମି କିଣିଛି । ଡବଲ ଇଞ୍ଜିନ ସରକାର ଆସିଲା ପରେ ଏହା ଦେଖିବାକୁ ମିଳିଛି । ଏପଟେ ଲୋକ ବିଶ୍ଵାସରେ ସରକାର ଆଣିଥିଲେ । ହେଲେ ସରକାର ବିଶ୍ୱାସଘାତକତା କରିଛନ୍ତି । ଏହାକୁ ବିକ୍ରି କରିଦେବାକୁ ଯୋଜନା କରିଛି । ଯାହା ବିରୋଧରେ ଆଜି ପଶ୍ଚିମ ଓଡ଼ିଶା ସ୍ତରୀୟ ମହାସମାବେଶ ହୋଇଛି। ଯେଉଁଥିରେ ସବୁ ସଂଗଠନ ଓ ଦଳ ସାମିଲ ହୋଇଛନ୍ତି । ଏହି ଆଦାନୀ ହଟାଅ ଆନ୍ଦୋଳନ ପାଇଁ ମୁଁ ଏହାର ଆୟୋଜକଙ୍କୁ ଧନ୍ୟବାଦ ଦେଉଛି ।"
- ଅନ୍ୟ ସ୍ଥାନର କ୍ଷତିପୂରଣ ପାଇଁ ଏଠାରେ ବନୀକରଣ କାହିଁକି ?