କେନ୍ଦୁଝର: ସରକାର ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରଣ କରୁଛନ୍ତି । କେଉଁଠି ନୂତନ ବିଦ୍ୟାଳୟ ଗଢ଼ା ହେଉଛି । କେଉଁ ପୁରୁଣା ବିଦ୍ୟାଳୟର ପୁନରୁଦ୍ଧାର କାମ ଚାଲିଛି । ହେଲେ ଏସବୁ ଭିତରେ ଶିକ୍ଷକଙ୍କ କଥା ଭୁଲିଯାଇଛନ୍ତି ସରକାର । ଶିକ୍ଷକଙ୍କ ପ୍ରତି ସରକାର ବୈମାତୃକ ମନୋଭାବ ପୋଷଣ କରୁଥିବା କହିଛି ଓଷ୍ଟା ଶିକ୍ଷକ ସଂଘ । ୧୨ ଦଫା ଦାବିରେ ସଂଘ ଗତକାଲି ବିକ୍ଷୋଭ ପ୍ରଦର୍ଶନ କରିଛି ।
କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ସଦସ୍ୟ । ଶହ ଶହ ଶିକ୍ଷକ ମାନେ ସ୍ଥାନୀୟ ଶିକ୍ଷକ ସଂଘ କାର୍ଯ୍ୟାଳୟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକମାନଙ୍କୁ ପେନସନ ପ୍ରଦାନ, ଅବସରକାଳୀନ ସୁବିଧା, ଚାକିରି ସର୍ତ୍ତାବଳୀ, ସପ୍ତମ ବେତନ ଓ ନୂତନ ବିଦ୍ୟାଳୟକୁ ଅନୁଦାନ ପ୍ରଦାନକୁ ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁରଣ ହୋଇନାହିଁ । ଏହାକୁ ପାଳନ ଦାବିରେ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ଶିକ୍ଷକ ସଂଘ । ଯଦି ତାଙ୍କ ଦାବି ପୁରଣ ନହୁଏ ତେବେ ଆଗାମୀ ଦିନରେ ସଂଘ ପକ୍ଷରୁ ଶିକ୍ଷାଦାନ ବନ୍ଦ ରହିବ । ତାସହିତ ପରୀକ୍ଷା ଏବଂ ନିର୍ବାଚନକୁ ମଧ୍ୟ ବର୍ଜନ କରାଯିବ ।