କୋରାପୁଟ: ହଳଦୀ, ଏହାର ଆଣ୍ଟି-ଇନ୍ଫ୍ଲାମେଟୋରୀ ଏବଂ ଆଣ୍ଟିଅକ୍ସିଡେଣ୍ଟ ଗୁଣବତ୍ତା ପାଇଁ ପ୍ରସିଦ୍ଧ । ଏହା ଭାରତୀୟ କୃଷି ଏବଂ ସଂସ୍କୃତିର ଏକ ମୁଖ୍ୟ ସ୍ରୋତ ମଧ୍ୟ । ତେବେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଅଞ୍ଚଳ, ହଳଦୀ ଉତ୍ପାଦନ ପାଇଁ ସାରା ଦେଶରେ ପାଇଛି ଭିନ୍ନ ପରିଚୟ । କାରଣ ଏହି ଅଞ୍ଚଳର ହଳଦୀରେ ରହିଛି ଅପେକ୍ଷାକୃତ ଅଧିକ ‘କର୍କୁମିନ୍’ ଅଂଶ । ତେବେ ଲକ୍ଷ୍ମୀପୁର ଅଞ୍ଚଳର ମହିଳାମାନେ ଏହି କ୍ଷେତ୍ରରେ ଏକ ନୂତନ ଧାରା ସହ ଆଗକୁ ବଢିଛନ୍ତି । ପ୍ରସ୍ତୁତ କରିଛନ୍ତି ହଳଦୀ ପତ୍ରରୁ ତେଲ । ଏହି ନୂତନ ଭାବେ ଉତ୍ପାଦିତ ତୈଳ ପରୀକ୍ଷାଗାରରେ ପ୍ରମାଣିତ ହୋଇ ବଜାରକୁ ଆସିଲେ, ଏହି ମହିଳାମାନଙ୍କୁ ମିଳିବ ଆର୍ଥିକ ସ୍ବାବଲମ୍ବୀର ଆଉ ଏକ ନୂଆ ଧାରା ।
ସ୍ଥାନୀୟ ମହିଳାଙ୍କ ନେତୃତ୍ୱାଧୀନ ‘କୃଷକ ଉତ୍ପାଦକ ସଂଗଠନ’ (ଏଫପିଓ) ଏହି ସୁବର୍ଣ୍ଣ ଫସଲର ଅମାପ ସମ୍ଭାବନାକୁ ବ୍ୟବହାରରେ ପରିଣତ କରିପାରିଛି । ପାରମ୍ପରିକ ଭାବରେ ପରିତ୍ୟକ୍ତ କିମ୍ବା ଖତ ଭାବରେ ବ୍ୟବହୃତ ହେଉଥିବା ହଳଦୀ ପତ୍ର ଉପରେ ଧ୍ୟାନ ଦେଇ ଏହି ମହିଳାମାନେ ଆର୍ଥିକ ସ୍ଵାବଲମ୍ବୀ ହେବା କ୍ଷେତ୍ରରେ ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ସ୍ବତନ୍ତ୍ର ମେସିନରେ ଉତ୍ପାଦନ କରିଛନ୍ତି ହଳଦୀ ପତ୍ରର ତେଲ ।
- ସୃଷ୍ଟି କରିପାରେ ନୂତନ କୃଷିଭିତ୍ତିକ ଦିଗ
ଏକ ସମାଜିକ ସଂଗଠନ ‘ୱାର୍ଡ’ ଏବଂ ମାର୍କେଟିଂ ସଂସ୍ଥା ‘ORMAS’ଙ୍କ ମାର୍ଗଦର୍ଶନରେ ଏହି ମହିଳାମାନେ ହୃଦୟଙ୍ଗମ କଲେ ଯେ ହଳଦୀ ପତ୍ରରେ ଅନେକ ସମ୍ଭାବନା ରଖିଛି । ସାଧାରଣତଃ ଏକର ଏକର ହଳଦୀ ଅମଳ ପରବର୍ତ୍ତୀ ସମୟରେ ପତ୍ରକୁ ମାଟିରେ ମିଶିଯିବା ପାଇଁ କ୍ଷେତରେ ଛାଡି ଦିଆଯାଏ, ଅଥବା ସେଠାରେ ହିଁ ପୋଡି ଦିଆଯାଏ । କିନ୍ତୁ ଏହି ମହିଳାମାନେ ପତ୍ରଗୁଡିକୁ ପୁନଃବ୍ୟବହାରଯୋଗ୍ୟ କରିବାର ଏକ ସୁଯୋଗ ଅନୁଭବ କଲେ । ଯାହା ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ସହ ହଳଦୀ ପତ୍ରରୁ ତେଲ ଉତ୍ପାଦନର ଏକ ନୂତନ କୃଷିଭିତ୍ତିକ ଦିଗ ମଧ୍ୟ ସୃଷ୍ଟି କରିପାରେ ।
- ହଳଦୀ ପତ୍ର ସମ୍ପର୍କରେ କ’ଣ କହୁଛନ୍ତି ବୈଜ୍ଞାନିକ
ପଟ୍ଟାଙ୍ଗୀ ସ୍ଥିତ ଆଞ୍ଚଳିକ ଅନୁସନ୍ଧାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ.ପର୍ଶୁରାମ ସିଆଳ ହଳଦୀ ପତ୍ରର ଆର୍ଥିକ ତଥା ଔଷଧୀୟ ଗୁଣ ଥିବା ସମ୍ଭାବନାକୁ ନିଶ୍ଚିତ କରିଛନ୍ତି । ଡ.ସିଆଳଙ୍କ କହିବାନୁସାରେ, ସବୁଜ ବା କଞ୍ଚା ହଳଦୀ ପତ୍ରରୁ ପ୍ରାୟ 0.2% ତେଲ ଉତ୍ପାଦନ କ୍ଷମତା ରହୁଥିବା ବେଳେ ଶୁଖିଲା ପତ୍ରରୁ 0.3 ରୁ 0.5 % ତେଲ ଉତ୍ପାଦନ କରିପାରିବାର କ୍ଷମତା ରହିଛି । ଏହି ତେଲ ଉଭୟ ସ୍ଥାନୀୟ ତଥା ସର୍ବଭାରତୀୟ ସ୍ତରରେ ଔଷଧ, ପ୍ରସାଧନ ସାମଗ୍ରୀ ଏବଂ ଅନ୍ୟାନ୍ୟ ଦ୍ରବ୍ୟରେ ବ୍ୟବହାରଯୋଗ୍ୟ । ଏହା ଔଷଧୀୟ ଗୁଣବତ୍ତା ବହନ କରୁଥିବାର ଏହାର ଅଧିକ ଚାହିଦା ମଧ୍ୟ ରହିଛି ।
- ପ୍ରଥମ ପର୍ୟ୍ୟାୟରେ 7ଶହ ମିଲିଲିଟର ତେଲ ଉତ୍ପାଦିତ
ଲକ୍ଷ୍ମୀପୁର ବ୍ଲକର ହଳଦୀ ଏହାର ଉଚ୍ଚ ‘କର୍କୁମିନ୍’ ପାଇଁ ଖ୍ୟାତି ଅର୍ଜନ କରି ସାରିଛି । ଏଥିରୁ ପ୍ରସ୍ତୁତ ତେଲ ପ୍ରିମିୟମ ବଜାରରେ ଏକ ଉନ୍ନତ ମାନର ଉତ୍ପାଦରେ ପରିଣତ କରିଛି । ଏହି ସୁଯୋଗକୁ ଚିହ୍ନି, ‘ଓରମାସ’ ଏବଂ ‘ୱାର୍ଡ’ ଦ୍ୱାରା ସମର୍ଥିତ ଉତ୍ପାଦକ ସଂଗଠନ ‘FPO’ର କୋଡିଏ ଜଣ ମହିଳା ନିଜ ଗାଁରେ ଏକ ହଳଦୀ ପତ୍ରରୁ ତେଲ ଉତ୍ପାଦନ ଯନ୍ତ୍ର ପ୍ରତିଷ୍ଠା କରିଛନ୍ତି । ପ୍ରାରମ୍ଭିକ ପରୀକ୍ଷଣରେ ମହିଳାମାନେ 3 କ୍ୱିଣ୍ଟାଲ ପତ୍ର ପ୍ରକ୍ରିୟାକରଣ କରି ସେଥିରୁ 700 ମିଲିଲିଟର ହଳଦୀ ତେଲ ଉତ୍ପାଦନ କରିଥିବା ଜଣାପଡିଛି ।
- ଲାବୋରେଟୋରୀ ପରୀକ୍ଷା ନିର୍ଣ୍ଣୟ କରିବ ବଜାର ମୂଲ୍ୟ:-
ମହିଳାଙ୍କ ଏହି ଗୋଷ୍ଠୀ ଉତ୍ସାହର ସହିତ ସେମାନଙ୍କ ଉତ୍ପାଦର ବଜାର ମୂଲ୍ୟ ନିର୍ଣ୍ଣୟ କରିବାକୁ ଗୁଣାତ୍ମକ ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଛନ୍ତି । ସମ୍ଭାବ୍ୟ ରିପୋର୍ଟକୁ ନେଇ ଆମେ ଉତ୍ସାହିତ, କିନ୍ତୁ ମୂଲ୍ୟ ଲାବୋରେଟୋରୀ ଫଳାଫଳ ଉପରେ ନିର୍ଭର କରିବ ବୋଲି FPO ସଦସ୍ୟ ସାନିଆ ମିନିୟାକା କହିଛନ୍ତି ।
- ପରିବର୍ତ୍ତିତ ହେଉଛି ପରମ୍ପରା:-
ଇତିମଧ୍ୟରେ, ଲକ୍ଷ୍ମୀପୁରର କୃଷକମାନେ ପିଢିଗତ ଭାବେ ହଳଦୀ ଚାଷ କରୁଥିଲେ ସୁଦ୍ଧା, ଏହାର ଉନ୍ନତ ଗୁଣବତ୍ତା ବିଷୟରେ ସଚେତନ ନଥିଲେ । ଏହାର ବଜାର ଉପଯୋଗିତା ସମ୍ପର୍କରେ ନ ଜାଣିପାରି ଶାଗ-ମାଛ ଦରରେ ବେପାରୀଙ୍କ ହାତରେ ହଳଦୀ ପତ୍ରକୁ ବିକ୍ରି କରାଯାଉଥିବା ଗ୍ରାମର ଜଣେ ମହିଳା ନାରା ହିକକା କହିଛନ୍ତି । ଏହାର ଉଚ୍ଚ କର୍କୁମିନ୍ ଅଂଶ ବିଷୟରେ ଅଜ୍ଞ ଥାଇ ସେମାନେ ଏହାକୁ ସ୍ଥାନୀୟ ବିକ୍ରେତାମାନଙ୍କୁ କମ୍ ମୂଲ୍ୟରେ ବିକ୍ରି କରିବା ସହ ଏହାର ବ୍ୟବହାରକୁ କେବଳ ରାନ୍ଧିବାରେ ସୀମିତ କରିଥିଲେ । କୃଷକମାନଙ୍କୁ ଏକ ‘FPO’ ଗଠନ କରିବାରେ ଏବଂ ସେମାନଙ୍କୁ ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣରେ ମାର୍ଗଦର୍ଶନ କରି ଏହି କାହାଣୀକୁ ପରିବର୍ତ୍ତନ କରିବାରେ ‘ORMAS’ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା ।