ପୁରୀ:ବଡଦାଣ୍ଡରୁ ଉଚ୍ଛେଦ ହୋଇଥିବା ଉଠା ଦୋକାନୀଙ୍କୁ କିଭଳି ଶୀଘ୍ର ଥଇଥାନ କରିହେବ ସେ ନେଇ ସମୀକ୍ଷା କରିଛନ୍ତି ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ । ପୁରୀ ଗସ୍ତରେ ଆସି ଉଠା ଦୋକାନୀଙ୍କୁ କିଭଳି ଥଇଥାନ କରିହେବ ସେନେଇ ପୁରୀ ଜିଲ୍ଲା ପ୍ରଶାସନ ସହ ମଧ୍ୟ ସେ ଆଲୋଚନା କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ସହ ବୈଠକ ପୂର୍ବରୁ ନଗର ଉନ୍ନୟନ ପ୍ରମୁଖ ସଚିବ ଉଷା ଦେବୀ ଉଠା ଦୋକାନୀଙ୍କୁ ଥଇଥାନ କରାଯିବା ପାଇଁ ଯେଉଁ ସ୍ଥାନ ଚିହ୍ନଟ ହୋଇଛି ତାହା ପରିଦର୍ଶନ କରିଥିଲେ ।
ଶୀଘ୍ର ହେବ ଉଠା ଦୋକାନୀଙ୍କ ଥଇଥାନ !:
ସେହିପରି ଭେଣ୍ଡିଂ ଜୋନ ପାଇଁ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପୁରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ । ଜିଲ୍ଲା ପ୍ରଶାସନ ସହ ସଚିବ ଏକ ସମୀକ୍ଷା ବୈଠକ କରିଥିବା ବେଳେ ପୁରୀ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ପୁରୀ ପୌର ଅଧିକାରୀଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଉଠା ଦୋକାନୀଙ୍କ ଜୀବନ ଜୀବିକା ସୁରକ୍ଷିତ ପାଇଁ ରାଜ୍ୟ ସରକାର ବେଶ ସମ୍ବେଦନଶୀଳ । ତେଣୁ ଉଠା ଦୋକାନୀଙ୍କ ଥଇଥାନ ପାଇଁ ସବୁ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନଗର ଉନ୍ନୟନ ସଚିବ ଜିଲ୍ଲାପାଳଙ୍କୁ କହିଛନ୍ତି ।
କାହିଁକି ହୋଇଥିଲା ଉଚ୍ଛେଦ:
ଶ୍ରୀମନ୍ଦିରକୁ ଭକ୍ତ ଯାତାୟତ ସୁଗମ କରିବା, ବଡଦାଣ୍ଡରେ ଟ୍ରାଫିକ ସମସ୍ୟା ଦୂର ପାଇଁ ତତ୍କାଳୀନ ବିଜେଡି ସରକାରଙ୍କ ନିଷ୍ପତ୍ତି କ୍ରମେ ଶ୍ରୀମନ୍ଦିର ଠାରୁ ପୁରୀ ବଡଦାଣ୍ଡର ମେଡ଼ିକାଲ ଛକ ପର୍ଯ୍ୟନ୍ତ ସମସ୍ତ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ନବନିର୍ମିତ ଶ୍ରୀସେତୁ ତଳେ ବଡଦାଣ୍ଡ ଉଚ୍ଛେଦ ଉଠାଦୋକାନୀଙ୍କୁ ଥଇଥାନ ପାଇଁ ପୂର୍ବ ସରକାର ନିଷ୍ପତ୍ତି ନେଇଥିଲେ । ଥଇଥାନ ନ ହେବା ପର୍ଯ୍ୟନ୍ତ ଉଚ୍ଛେଦ ଉଠା ଦୋକାନୀଙ୍କୁ ମାସିକ ୧୫ ହଜାର ଟଙ୍କା ଦିଆ ଯିବାର ନିୟମ ହୋଇଥଲା । ତେବେ ନିର୍ବାଚନ ପରେ ସରକାର ପରିବର୍ତ୍ତନ ହେବା ପରେ ଉଠା ଦୋକାନୀଙ୍କୁ ଥଇଥାନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡିଛନ୍ତି । ତେବେ ଉଠା ଦୋକାନୀଙ୍କୁ ଥଇଥାନ ହେବାରେ ବିଳମ୍ୱ ହେଉଥିବାରୁ ଉଠା ଦୋକାନୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।