ମାଲକାନଗିରି:ନିର୍ବାଚନ ତାରିଖ ଘୋଷଣା ହେବା ସହ ଲାଗୁ ହୋଇସାରିଛି ଆଦର୍ଶ ଆଚରଣ ବିଧି । ଏନେଇ ଗତକାଲି(ରବିବାର) ଜିଲ୍ଲା ନିର୍ବାଚନ ଅଧିକାରୀ ସଚିନ ପାୱାର ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ରାଜନୈତିକ ଦଳ ଓ ସାମ୍ବାଦିକଙ୍କ ସହ ଏକ ବୈଠକ ଆୟୋଜନ କରି ସମସ୍ତ ସୂଚନା ପ୍ରଦାନ କରିଛନ୍ତି । ତେବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଥିବା ହୋର୍ଡିଂକୁ ବାହାର କରିବା ସହ ପ୍ରାଚୀରରେ ଚିତ୍ରିତ ହୋଇଥିବା ସରକାରୀ ବିଜ୍ଞାପନକୁ ଧଳା ଚୂନରେ ରଙ୍ଗ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ରାଜନୈତିକ ଦଳମାନଙ୍କୁ ଏମସିସି ନିମନ୍ତେ କଣ ସବୁ ଦାୟିତ୍ଵ ଓ ନିୟମ ରହିଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଭାବେ କୁହାଯାଇଥିଲା । ସମସ୍ତ ପ୍ରକାର ସଭା ସମିତି ଓ ଶୋଭାଯାତ୍ରା ଅନୁମତି ପାଇଁ ସୁବିଧା ପୋର୍ଟାଲ ମାଧ୍ୟମରେ ଆବେଦନ କରି ପାରିବେ। ଯାହାକୁ ଯଥା ଶୀଘ୍ର ତଥା ୨୪ ଘଣ୍ଟା ମଧ୍ୟରେ ଅନୁମତି ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ମତଦାନ ପାଇଁ ମହିଳା ଓ ପୁରୁଷଙ୍କ ବ୍ୟତୀତ ଭିନ୍ନକ୍ଷମ, ଗର୍ଭବତୀ, କିନ୍ନର ଓ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯିବ । ସେହିପରି ସି ଭିଜିଲ ଆପରେ ପଞ୍ଜିକରଣ କରି ଅଭିଯୋଗ ଦାଖଲ କରି ପାରିବେ । ପ୍ରାର୍ଥୀଙ୍କ ସମସ୍ତ ସୂଚନା ନିମନ୍ତେ କେୱାଇସି ଆପ ମାଧ୍ୟମରେ ସମସ୍ତ ସୂଚନା ମିଳିପାରିବ । ଜିଲ୍ଳା ସ୍ତରରେ ଏମସିଏମସି କମିଟି ମାଧ୍ୟମରେ ବିଭିନ୍ନ ବିଜ୍ଞାପନ ଓ ସମ୍ବାଦକୁ ତର୍ଜମା କରାଯିବ । ବିଭିନ୍ନ ସୂଚନା ଓ ଅଭିଯୋଗ ପାଇଁ ଦେୟମୁକ୍ତ ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ୧୯୫୦ ମାଧ୍ୟମରେ ଆବଶ୍ୟକୀୟ ସୂଚନା ଓ ଅଭିଯୋଗ ଦାଖଲ କରିପାରିବେ ।
ଏହା ମଧ୍ୟ ପଢନ୍ତୁ-ନିର୍ବାଚନ ପାଇଁ ତତ୍ପର କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଶତ ପ୍ରତିଶତ ମତଦାନ ଲକ୍ଷ୍ୟ