ଭୁବନେଶ୍ବର:ରାତି ପାହିଲେ ପଡ଼ିବପ୍ରଥମ ପର୍ଯ୍ୟାୟ ଭୋଟ । ତେଣୁ ରାଜ୍ୟରେ ଜାରି ରହିଛି ନିର୍ବାଚନୀ ପ୍ରସ୍ତୁତି । ମାଳ ମାଳ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ତଥାପି ଆଦର୍ଶ ଆଚରଣ ବିଧି ଲାଗୁ ପରଠୁ ଏଯାବତ ଦେଖା ଦେଲାଣି ୧୯ଟି ରାଜନୈତିକ ହିଂସାକାଣ୍ଡ । ତେବେ ବଡ଼ ଧରଣର ନ ହୋଇଥିଲେ ବି ଛୋଟ ଛୋଟ ଗଣ୍ଡଗୋଳ ଯୋଗୁଁ ଆଇନଶୃଙ୍ଖଳା ଠିକ୍ ରହିଛି ବୋଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ପୋଲିସର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ ଡିଜି ।
ଏନେଇ ପୋଲିସ ଡିଜି ଅରୁଣ ଷଡଙ୍ଗୀ କହିଛନ୍ତି ଯେ, ଆଇନଶୃଙ୍ଖଳା ଉପରେ ନଜର ରଖିଛନ୍ତି ଏଡଜି ସଞ୍ଜୟ କୁମାର । ଯେ କି ନିର୍ବାଚନ ପରିଚାଳନାରେ ରାଜ୍ୟ ପୋଲିସର ନୋଡାଲ ଅଫିସର ଭାବେ ଦାୟିତ୍ବ ତୁଲାଉଛନ୍ତି । ତେବେ ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ସମସ୍ତ ଜିଲ୍ଲା ଏସପି ଓ ରେଞ୍ଜକୁ ଯାଇ ଏନେଇ ପୁର୍ବରୁ ପ୍ରସ୍ତୁତି ଓ ନିର୍ଦ୍ଦେଶ ଦିଆଯାଇଛି । ତେବେ ୩୩ ହଜାର ଓ୍ବାରେଣ୍ଟ ବା ଦାଗୀଙ୍କୁ କୋର୍ଟରେ ହାଜର କରାଯାଇଛି । ପ୍ରାୟ ୩୯ ହଜାରରୁ ଊର୍ଦ୍ଧ୍ବ ପେଷାଦାର ଅପରାଧୀଙ୍କୁ CRPC ୧୦୭,୧୦୯,୧୧୦ରେ ଆଗୁଆ ଗିରଫଦାରୀ ଏବଂ ୪୭ ହଜାରରୁ ୨୮୯ ବ୍ୟକ୍ତିଙ୍କୁ ନୋଟିସ କରାଯାଇଛି । ସେହିପରି ୭ଜଣ ଅପରାଧୀଙ୍କୁ ଏନଏସଏ ଲାଗୁ କରାଯାଇଛି ।
ଜାନୁଆରୀରୁ ଏଯାବତ ଧରପଗଡ ବେଳେ ୨୩୩ଟି ବେଆଇନ୍ ଅସ୍ତ୍ରଶସ୍ତ୍ର ସହ ୧୧୨ଟି କ୍ୟାଟ୍ରିଜ,୧୧୩ଟି ବମ୍ ,୧୫୧୩ ବିସ୍ଫୋରକ ଦ୍ରବ୍ୟ ସହ ୩ଟି ବନ୍ଧୁକ କାରଖାନା ଠାବ କରାଯାଇ ସିଲ୍ କରିଛି । ଯେଉଁଠୁ ପର୍ଯ୍ୟାପ୍ତ ମାତ୍ରାରେ ଅସ୍ତ୍ରଶସ୍ତ୍ର ତିଆରି ଜିନିଷ ଜବତ କରାଯାଇଛି । ସେହିପରି ବେଆଇନ ନିଶା କାରବାର ଓ ଟଙ୍କା ଜବତ ଉପରେ ନଜର ରଖି ୪ଲକ୍ଷ ୫୦ହଜାର ଲିଟର ବେଆଇନ୍ ମଦ ଜବତ କରାଯାଇଛି । ବିନା ଲାଇସେନ୍ସ ଏପରି କାରବାର କରୁଥିବାରୁ ୨୨ ହଜାର କେସ କରି ୩୪୨୮ଲୋକକୁ ଗିରଫ କରାଯାଇଛି ।