ଭୁବନେଶ୍ୱର:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡିଶା ଗସ୍ତର ଆଜି (ଶୁକ୍ରବାର) ତୃତୀୟ ଦିନ । ଆଜି ଗଞ୍ଜାମ ଓ କଟକ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ଏଥି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରଥମେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 25ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ଏଠାରେ କାର୍ଯ୍ୟକ୍ରମ ଶେଷ ହେବା ପରେ କଟକରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ସାମିଲ ହେବେ । ସନ୍ଧ୍ୟାରେ ରାଜ ଭବନରେ ଓଡିଶା ସରକାରଙ୍କ ଦ୍ବାରା ଆୟୋଜିତ ପିଏମ ଜନମନର ପ୍ରସ୍ତୁତି ଦେଖିବେ ।
ଗଞ୍ଜାମ ଯିବେ ରାଷ୍ଟ୍ରପତି: ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର 25ତମ ସମାବର୍ତ୍ତନ ଉତ୍ସବ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ବିଶ୍ବବିଦ୍ୟାଳୟ ପରିସର । ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ସଜେଇ ହେଉଛି ଭଞ୍ଜ ବିହାର । ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେବା ପରଠୁ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ଗସ୍ତ । ତେଣୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ବେଶ ଉତ୍ସାହିତ ଅଛନ୍ତି । ସକାଳ 10ଟା 45ରେ ବିଶ୍ବବିଦ୍ୟାଳୟର ପରିସରରେ ରହିଥିବା ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରେ ଓହ୍ଲାଇବେ ରାଷ୍ଟ୍ରପତି । ପରେ ବିଶ୍ବବିଦ୍ୟାଳୟର ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ।