ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଓଡ଼ିଶା ଗସ୍ତର ଆଜି ଶେଷ ଦିନ । ଆଜି ପୂର୍ବାହ୍ନରେ ଜଟଣୀ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ବା ‘ନାଇଜର’ର ତ୍ରୟୋଦଶ ସ୍ନାତକ ସମାରୋହ ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ କାର୍ଯ୍ୟ ସମାପନ ପରେ ସିଧା ବିମାନବନ୍ଦର ଅଭିମୁଖେ ଯାତ୍ରା କରି ବାୟୁସେନା ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି । ଏହା ପୂର୍ବରୁ ତିନିଦିନ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ରଥଯାତ୍ରାରେ ସାମିଲ ହୋଇଥିଲେ ମହାମହିମ ।
ଉଦୟଗିରି ଗୁମ୍ଫା ବୁଲିଥିଲେ ରାଷ୍ଟ୍ରପତି: ଗସ୍ତର ତୃତୀୟ ଦିନରେ ଭୁବନେଶ୍ବରରେ ଉଦୟଗିରି ଗୁମ୍ଫା ବୁଲିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ଉଦୟଗିରି ପରିଦର୍ଶନ କରିଥିଲେ ମହାମହିମ । ଅତୀତର ସ୍ମୃତି ମନେ ପକାଇ ଉଦୟଗିରିର ଶିଳା ଲେଖା, ଗୁମ୍ଫା, ଉତ୍କଳର ଉନ୍ନତ କଳାର ପ୍ରତୀକ ବୋଲି କହିଥିଲେ । କଳାର ସଂରକ୍ଷଣ କରିବା ଉଚିତ ବୋଲି କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଉଦୟଗିରି ଅଗଣାରେ ଛିଡା ହୋଇ ହାତୀ ଗୁମ୍ଫା ଶିଳା ଲେଖ ଦେଖିଥିଲେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କୁ ଉଦୟଗିରିର ଗୁମ୍ଫା ଏବଂ ହାତୀ ଗୁମ୍ଫା ଶିଳା ଲେଖା ପରିଭ୍ରମଣ କରାଇବା ପାଇଁ ଏଏସଆଇ ଅଧିକାରୀଙ୍କୁ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଦାୟିତ୍ଵ ମିଳିଥିଲା ।