ହାଇଦ୍ରାବାଦ:ପୁରୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏଥିପାଇଁ ସେ 6 ତାରିଖରୁ 4 ଦିନିଆ ରାଜ୍ୟ ଗସ୍ତରେ ଆସୁଛନ୍ତି । 6 ତାରିଖରେ ଭୁବନେଶ୍ବରରେ ପହଞ୍ଚିବା ପରେ 7 ତାରିଖ ସକାଳେ ପୁରୀ ଗସ୍ତ କରିବେ । ରଥଯାତ୍ରାରେ ଅଂଶଗ୍ରହଣ ସମେତ 6ରୁ 9 ତାରିଖ ମଧ୍ୟରେ ଏକାଧିକ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିବେ ରାଷ୍ଟ୍ରପତି । 9 ତାରିଖ ସନ୍ଧ୍ୟାରେ ସେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି ।
ରାଷ୍ଟ୍ରପତି ଓଡ଼ିଶା ଗସ୍ତ ସମ୍ପର୍କରେ ରାଷ୍ଟ୍ରପତି ଭବନରୁ ଏପର୍ଯ୍ୟନ୍ତ ବିଧିବଦ୍ଧ ସୂଚନା ମିଳିନାହିଁ । ମାତ୍ର ଗଣମାଧ୍ୟମରେ ପ୍ରସାରିତ ସୂଚନା ଅନୁସାରେ, ରାଷ୍ଟ୍ରପତି ରଥଯାତ୍ରାରେ ଅଂଶଗ୍ରହଣ କରିବା ପରେ ଭୁବନେଶ୍ବରରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏଥିପାଇଁ ଭୁବନେଶ୍ବର ଓ ପୁରୀରେ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯିବ । ବ୍ଲୁ-ବୁକ୍ ପ୍ରୋଟୋକଲ ଆଧାରରେ କମିଶନରେଟ୍ ପୋଲିସ ଓ ପୁରୀ ପୋଲିସ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବ । ନୂଆ ସରକାର ଗଠନ ହେବା ପରେ ରାଷ୍ଟ୍ରପତି ପ୍ରଥମ ଥର ରାଜ୍ୟ ଗସ୍ତ କରୁଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ ମନ୍ତ୍ରୀମାନେ ମଧ୍ୟ ତାଙ୍କୁ ସାକ୍ଷାତ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।